ରାଜ୍ୟ

ନିବେଶ ଚିନ୍ତାରେ ସରକାର: କଣ୍ଟା ସାଜିଲାଣି ବନ୍ଦର, ୨ ବନ୍ଦରରେ ନାହିଁ କଣ୍ଟେନର ଟର୍ମିନାଲ

ଭୁବନେଶ୍ବର: ଯେତେବେଳେ ସାରା ବିଶ୍ୱରୁ ପୁଞ୍ଜିପତିମାନେ ଭାରତରେ ପୁଞ୍ଜିନିବେଶ କରିବାକୁ ଚାହିଁବେ, ସେତେବେଳେ ଓଡ଼ିଶା ସେମାନଙ୍କର ପ୍ରଥମ ପସନ୍ଦର ସ୍ଥାନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରରେ ପୁଞ୍ଜିପତିଙ୍କୁ ଭେଟିବାକୁ ଯିବା ପୂର୍ବରୁ ଏମିତି ସୂଚନା ଦେଇଥିଲେ। ବାସ୍ତବରେ କ’ଣ ଭାରତମୁହାଁ ହେବାକୁ ଥିବା ପୁଞ୍ଜିପତିଙ୍କ ପାଇଁ ଓଡ଼ିଶା ପ୍ରଥମ ପସନ୍ଦ ହେବାକୁ ଆବଶ୍ୟକ ଭିତ୍ତିଭୂମି ଅଛି? ଗୁଜରାଟ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଛାଡି ଯଦି କୌଣସି ପୁଞ୍ଜିପତି ଓଡ଼ିଶାରେ ନିବେଶ କରିବେ, ତେବେ ସେ ଏଠାରୁ ସାରା ବିଶ୍ବକୁ ତାଙ୍କର ଉତ୍ପାଦକୁ ସୁବିଧାରେ ପଠାଇପାରିବେ ତ? ରାଜ୍ୟ ଭିତରେ ଜଳପଥରେ ମାଲ୍‌ ପରିବହନ କରିପାରିବେ କି?

ଏମିତି ମାଳ ମାଳ ପ୍ରଶ୍ନ ଏଇଥିପାଇଁ ଉଠୁଛି, କାରଣ ବୃହତ୍‌ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ କଲେ ‌ସେମାନେ ଯେଉଁ ସାମଗ୍ରୀ ଉତ୍ପାଦନ କରିବେ ତାହାକୁ ବିଦେଶକୁ ପଠାଇବାକୁ ଆବଶ୍ୟକ ବନ୍ଦର ଭିତ୍ତିଭୂମି ଓଡ଼ିଶାରେ ଯଥେଷ୍ଟ ନାହିଁ। ରାଜ୍ୟରେ ମାତ୍ର ତିନିଟି ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁର କାର୍ଯ୍ୟକ୍ଷମ ରହିଛି। ଏସବୁ ବନ୍ଦରରେ ମୁଖ୍ୟତଃ ଲୁହାପଥର, କୋଇଲା, ବକ୍ସାଇଟ୍ ସମେତ ବିଭିନ୍ନ ଖଣିଜ ଓ ଧାତବ ପଦାର୍ଥ ପରିବହନ ହେଉଛି। ତେଣୁ ସଂପୂର୍ଣ୍ଣ ଭାବେ ଏହି ବନ୍ଦରଗୁଡ଼ିକ ଖଣିଜ ଓ ଧାତବ ପଦାର୍ଥ ପରିବହନ ଉପରେ ନିର୍ଭରଶୀଳ।

ହସ୍ତତନ୍ତ, ହସ୍ତଶିଳ୍ପ, ପୋଷାକ, ଔଷଧ, ମେଡିକାଲ ଯନ୍ତ୍ରାଂଶ, ଗୃହ ଉପକରଣ, ପ୍ଲାଷ୍ଟିକ ସାମଗ୍ରୀ, ଶସ୍ୟ, ରାସାୟନିକ ପଦାର୍ଥ, ଗାଡ଼ି ଓ ଗାଡ଼ିରେ ବ୍ୟବହୃତ ଉପକରଣ, ରବର, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ରତ୍ପାନି ନାହିଁ। କାରଣ ଏସବୁ ଆମ ରାଜ୍ୟରେ ପର୍ଯ୍ୟାପ୍ତ ଉତ୍ପାଦନ ହେଉନି। ଏହିଭଳି ସାମଗ୍ରୀ ଆମଦାନୀ କରିବାକୁ ହେଲେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। କାରଣ ବନ୍ଦର ମାଧ୍ୟମରେ ବିଭିନ୍ନ ପ୍ରକାରର ସାମଗ୍ରୀ ଆମଦାନୀ ଓ ରତ୍ପାନି କରିବାକୁ ଆବଶ୍ୟକ କଣ୍ଟେନର କାର୍ଗୋ ଟର୍ମିନାଲ ଧାମରା କି ଗୋପାଳପୁର ବନ୍ଦରରେ ନାହିଁ। ଏହି ଦୁଇଟି ବନ୍ଦର କେବଳ ଖଣିଜ ପଦାର୍ଥ ଓ କୋଇଲା ପରିବହନ ପାଇଁ ବ୍ୟବହାର ହେଉଛି। ପାରାଦୀପରେ ଗୋଟିଏ କଣ୍ଟେନର ଟର୍ମିନାଲ ଥିବାବେଳେ ଏହା ବି ଗୋଟିଏ ସଂସ୍ଥା ଦ୍ବାରା ସୀମିତ ସମୟ ପାଇଁ ପରିଚାଳିତ ହେଉଛି। ‌ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି ପୁଞ୍ଜିପତି ନିବେଶ ଲାଗି ଏମ୍‌ଓୟୁ ସ୍ବାକ୍ଷର କରୁଥିଲେ ହେଁ ଅଧିକାଂଶ ଏମ୍‌ଓୟୁ ସ୍ବାକ୍ଷରରେ ସୀମିତ ରହୁଛି। ଏଭଳି ବନ୍ଦରଜନିତ ଦୁର୍ବଳ ଭିତ୍ତିଭୂମିରେ ଶିଳ୍ପ ସଂସ୍ଥା କାହିଁକି ଓଡ଼ିଶାମୁହାଁ ହେବେ ସେନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।

୧୬ବର୍ଷ ହେଲା ଘୋଷଣାରେ ସୀମିତ ୧୦ ବନ୍ଦର
୨ ବନ୍ଦରରେ ନାହିଁ କଣ୍ଟେନର ଟର୍ମିନାଲ

ତଥ୍ୟ ମୁତାବକ, ରାଜ୍ୟ ସରକାର ୧୬ବର୍ଷ ପୂର୍ବରୁ ରାଜ୍ୟରେ ୧୪ଟି ଅଣବୃହତ୍‌ ବନ୍ଦର ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ସମୟ‌ ଭିତରେ କେବଳ ଦୁଇଟି ବନ୍ଦର ଗୋପାଳପୁର ଓ ଧାମରା ନିର୍ମିତ ହୋଇଛି। ବାଲେଶ୍ବରରେ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ୨୦୦୬ ମସିହାରୁ ଏମ୍‌ଓୟୁ ସ୍ବାକ୍ଷର ହୋଇଥିବାବେଳେ ଏବେ ଏହାର ପ୍ରାରମ୍ଭିକ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ସେହିପରି ପୁରୀ ଜିଲ୍ଲାରେ ଅସ୍ତରଙ୍ଗ ବନ୍ଦର ନିର୍ମାଣ ପାଇଁ ୨୦୦୮ ମସିହାରୁ ଏମ୍‌ଓୟୁ ସ୍ବାକ୍ଷର ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହାର ଜମି ଅଧିଗ୍ରହଣ ସରିନି। ପୂର୍ବ ସରକାରଙ୍କ ଅମଳରେ ଏହା ଯେମିତି ମନ୍ଥର ଗତିରେ ଚାଲିଥିଲା ନୂଆ ସରକାରରେ ବି ସମାନ ସ୍ଥିତି। ରାଜ୍ୟ‌ରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା କରିବା, ଏମ୍‌ଏସ୍‌ଏମ୍‌ଇ ବଜାରକୁ ସମୃଦ୍ଧ କରିବାକୁ ବନ୍ଦର ଏକ ପ୍ରମୁଖ ମାଇଲଖୁଣ୍ଟ ହୋଇଥିବାବେଳେ ସରକାରଙ୍କ ପ୍ରାଥମିକତାରେ ବନ୍ଦର ନିର୍ମାଣ ଓ ଏହାର ସମ୍ପ୍ରସାରଣ ନାହିଁ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button