ରାଜ୍ୟ

ପ୍ରେମକୁ ଭାରି ପଡ଼ୁଛି ପ୍ରତାରଣା: ଘରୋଇ ହିଂସା ବଢ଼ାଉଛି ବିବାହ ବିଚ୍ଛେଦ

ଭୁବନେଶ୍ୱର: ୧୮ ବର୍ଷ ବୟସରେ ପ୍ରେମ ବିବାହ କଲେ। ଶାଶୂଘରେ ମାତ୍ର ୧୫ ଦିନ ରହିଛନ୍ତି କି ନାହିଁ ଯୌତୁକ ପାଇଁ ଆରମ୍ଭ ହେଲା ଅତ୍ୟାଚାର। ଝିଅର କଷ୍ଟ ଦେଖି ଘର ଲୋକ କରଜ କରି ପାଖାପାଖି ଦଶ ଲକ୍ଷ ଟଙ୍କାର ଜିନିଷ ଶାଶୂ ଘରକୁ ପଠାଇଲେ। ହେଲେ ଅତ୍ୟାଚାର ସରିଲାନି। ସ୍ବାମୀ ଓ ଶାଶୂଘର ପରିବାର ସଦସ୍ୟଙ୍କ ବିରୋଧରେ ସେ ଖଲ୍ଲିକୋଟ ଥାନା ଓ ମହିଳା କମିସନରଙ୍କ ଦ୍ବାରସ୍ଥ ହେଲେ। ଦୀର୍ଘ ଦେଢ଼ ବର୍ଷ ହେଲାଣି ସେ କେଉଁଠୁ ବି ନ୍ୟାୟ ପାଇ ନାହାନ୍ତି।

କଲେଜ ପଢ଼ିଲା ବେଳେ ପ୍ରେମରେ ପଡ଼ିଲେ। ପରେ ବିବାହ କଲେ। ବିବାହର ଅଳ୍ପ କେଇଟା ଦିନ ଯାଇଛି, ଆରମ୍ଭ ହେଲା ଯୌତୁକ ନିର୍ଯାତନା। ଅନେକ ଥର ନିଜ ବାପ ଘରର ସାମର୍ଥ୍ୟ ମୁତାବକ ଅର୍ଥ ଓ ଜିନିଷପତ୍ର ଆଣିଲେ। ହେଲେ ସେତିକିରେ ଶାଶୂ ଘର ଲୋକଙ୍କ ମନ ମାନିଲାନି। ଶେଷରେ ତାଙ୍କୁ ଘରୁ ତଡ଼ି ଦେଲେ। ତେଣୁ ବର୍ଷେ ହେବ ସେ ସୁଦୂର ମୟୂରଭଞ୍ଜରୁ ମହିଳା କମିସନକୁ ଦୌଡ଼ୁଛନ୍ତି।
ଦିନେ ନିଜ ପ୍ରେମକୁ ହାତ ପାଆନ୍ତାରେ ପାଇ ଆତ୍ମହରା ହୋଇପଡ଼ୁଥିବା ଖଲ୍ଲିକୋଟର ମନୀଷା ଏବଂ ମୟୂରଭଂଜର ରୀନାରାଣୀ ଏବେ ମହିଳା କମିସନ ବାରଣ୍ଡାରେ ବସି ନିଜର ଦୁଃଖ କାହାଣୀ କହିବା ବେଳେ କାନ୍ଦି ପକାଉଥିଲେ। କେବଳ ଏହି ଦୁଇ ଜଣ ନୁହନ୍ତି; ପରିବାର ଲୋକଙ୍କ ପ୍ରସ୍ତାବରେ ରାଜି ହୋଇ ସୁଖରେ ଘର କରିବା ସ୍ୱପ୍ନ ଦେଖିଥିବା ଏକାଧିକ ମହିଳା ବି ଏଭଳି ନିର୍ଯାତନାର ଶିକାର ହୋଇ ମହିଳା କମିସନଙ୍କ ଠାରୁ ନ୍ୟାୟ ଅପେକ୍ଷାରେ ଅଛନ୍ତି। ଦିନକୁ ଦିନ ଏଭଳି ଘରୋଇ ହିଂସା କେବଳ ମହିଳାଙ୍କ ମାନସିକ ସ୍ଥିତିକୁ ବିଗାଡ଼ି ନାହିଁ ବରଂ ବିବାହ ବିଚ୍ଛେଦ ବଢ଼ାଇବାରେ ଲାଗିଛି। ସାରା ଭାରତବର୍ଷ ଏବେ ‘ମହିଳା ହିଂସା ବିରୋଧୀ ପକ୍ଷ’ ପାଳନ କରୁଛି। କିନ୍ତୁ ଅନ୍ୟପଟେ ମହିଳାଙ୍କ ଉପରେ ହିଂସା ବଢ଼ି ବଢ଼ି ଚାଲିଛି।

ମହିଳା କମିସନରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୧-୨୨ ମସିହାରେ ଯୌତୁକ ଦାବି ମାମଲା ୪୬୪ଟି ପଞ୍ଜୀକୃତ ହୋଇଥିବା ବେଳେ ଯୌତୁକ ଜନିତ ହିଂସା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୧ ରହିଛି। ୨୦୨୨-୨୩ରେ ଯୌତୁକ ଦାବି ମାମଲା ୪୯୩ଟି ପଞ୍ଜୀକୃତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭ ରହିଛି। ୨୦୨୧-୨୨ରେ ଘରୋଇ ହିଂସା ମାମଲା ୮୦୩ଟି ପଞ୍ଜୀକୃତ ହୋଇଥିବା ବେଳେ ୨୦୨୨-୨୦୨୩ରେ ଏହି ହିଂସା ମାମଲା ବୃଦ୍ଧି ପାଇ ୮୬୯ରେ ପହଞ୍ଚିଥିଲା। ମହିଳା କମିସନଙ୍କ ତଥ୍ୟ ମୁତା‌ବକ ମାସକୁ ୭୦ ଅଭିଯୋଗ ପଞ୍ଜୀକୃତ ହେଉଛି। ଏହାର ୮୦ ପ୍ରତିଶତ ହେଉଛି ଯୌତୁକ ଜନିତ ଘରୋଇ ହିଂସା। ବଡ଼କଥା ହେଉଛି ଏହି ସବୁ ମାମଲାରେ ଅନ୍ୟ ଜିଲ୍ଲା ଓ ସହର ଅପେକ୍ଷା ରାଜଧାନୀରେ ଘରୋଇ ହିଂସା ଅଧିକ। କେବଳ ଭୁବନେଶ୍ବରରେ ୨୦୨୧-୨୨ରେ ମୋଟ ୨୬୨ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ୨୦୨୨-୨୩ ରେ ୩୩୮ଟି ପଞ୍ଜୀକୃତ ହୋଇଛି।

ଏନେଇ ଗଣତାନ୍ତ୍ରିକ ମହିଳା ସମିତି ଜାତୀୟ ସମ୍ପାଦିକା ତାପସୀ ପ୍ରହରାଜଙ୍କ କହିବା କଥା, ଏନ୍‌ସିଆରବିର ରିପୋର୍ଟ ଅନୁସାରେ ଘରୋଇ ହିଂସା ଓଡ଼ିଶାରେ ୨୪ ପ୍ରତିଶତ। ସାରା ଭାରତ ବର୍ଷରେ ଝିଅମାନଙ୍କ ଡ୍ରପ୍‌ଆଉଟ ମାମଲାରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ। ଶିକ୍ଷାର ଅଭାବ, ବେକାରି ଓ ପରିବାର ଚାପ ଓ ନିଜ ଇଚ୍ଛାରେ ମହିଳାମାନେ କମ୍‌ ବୟସରେ ବାହା ହୋଇଯାଉଥିବାରୁ ଘରୋଇ ହିଂସା ବଢ଼ୁଛି। ରିପୋର୍ଟ ଅନୁସାରେ ୧୨ ପ୍ରତିଶତ ମହିଳା ବିବାହ ପାଇଁ ଚାକିରି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ବିବାହ ବିଚ୍ଛେଦର କାରଣ ପାଲଟିଛି। ବର୍ତ୍ତମାନ ଅଧିକାଂଶ ଝିଅ ସମ୍ପତ୍ତିରେ ଅଧିକାର ଦାବି ନକରି ଯୌତୁକକୁ ଏକ ସୁରକ୍ଷା କବଚ ବୋଲି ଭାବୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button