ଦେଶ- ବିଦେଶ

ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଉଦ୍‌ଯାପିତ: ଦ୍ବିତୀୟ ସ୍ଥାନରେ ରହି ମନ ଜିଣିଲା ଓଡ଼ିଶା ମଣ୍ଡପ

ନୂଆଦିଲ୍ଲୀ: ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଙ୍ଗଠନ (ଆଇଟିପିଓ) ପକ୍ଷରୁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ୪୩ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା (ଆଇଆଇଟିଏଫ୍‌)-୨୦୨୪ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଅଂଶଗ୍ରହଣ କରିଥିବାବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଛି। ମଧ୍ୟପ୍ରଦେଶ ପାଭିଲିୟନ୍‌ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣପଦକ ହାସଲ କରିଛି।

ସୂଚନାଯୋଗ୍ୟ, ଗତବର୍ଷ ଆଇଆଇଟିଏଫ୍‌ରେ ଓଡ଼ିଶା ପ୍ରଥମ ହୋଇ ସ୍ବର୍ଣ୍ଣପଦକ ପାଇଥିଲା। ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଶ୍ରେଷ୍ଠ ପାଭିଲିୟନ୍‌ଗୁଡ଼ିକୁ ଚୟନ କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆବାସିକ କମିସନର ବିଶାଲ ଗଗନ ଉପସ୍ଥିତ ରହି ଆଇଟିପିଓର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂହ ଖରୋଲଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ନଭେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ମେଳାରେ ଓଡ଼ିଶା ମଣ୍ଡପକୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଥିମ୍‌ ଆଧାରରେ ଡିଜାଇନ୍‌ କରାଯାଇଥିଲା। ଓଡ଼ିଶା ମଣ୍ଡପର ପ୍ରବେଶ ଦ୍ବାରରେ ମୁକ୍ତେଶ୍ବର ମନ୍ଦିର ଓ ରତ୍ନଗିରିର ପ୍ରସିଦ୍ଧ ବୌଦ୍ଧ କଳା ପ୍ରଦର୍ଶିତ ହୋଇଥିଲା। ମଣ୍ଡପରେ ମୋଟ ୨୬ଟି ଷ୍ଟଲ୍‌ ଖୋଲିଥିବା ବେଳେ ମହିଳା ସଶକ୍ତୀକରଣ, କଳା ଓ ସଂସ୍କୃତି, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଯାଇଥିଲା। ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ଉତ୍ପାଦଗୁଡ଼ିକୁ ଦିଲ୍ଲୀବାସୀ ବେଶ ପସନ୍ଦ କରିଥିଲେ। ବ୍ୟବସାୟ ମଧ୍ୟ ସନ୍ତୋଷଜନକ ରହିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button