ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଜାରି , ୯ଟା ସୁଦ୍ଧା ୧୩ ପ୍ରତିଶତ ଭୋଟିଂ
ନୂଆଦିଲ୍ଲୀ,୧୩/୧୧: ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଝାଡଖଣ୍ଡରେ ଜାରି ରହିଛି ଭୋଟିଂ । ୮୧ ଆସନ ମଧ୍ୟରୁ ଆଜି ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ଭୋଟଗ୍ରହଣ ହେଉଛି । ମୋଟ ୬୮୩ ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ତେବେ ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ପୂର୍ବାହ୍ନ ୯ଟା ସୁଦ୍ଧା ପ୍ରାୟ ୧୩. ୪ ପ୍ରତିଶତ ଭୋଟିଂ ହୋଇଛି ।
ଝାଡଖଣ୍ଡର ମୋଟ ୨.୬୦ କୋଟି ଭୋଟରଙ୍କ ମଧ୍ୟରୁ ଆଜି ୧.୩୭ କୋଟି ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୫ ହଜାର ୩୪୪ ମତଦାନ କେନ୍ଦ୍ରରେ ମତାଦାନ ପ୍ରକ୍ରିୟା ଜାରି ରହିଛି । ସେଥିମଧ୍ୟରୁ ୧୨,୭୦୦ଭୋଟିଂ ସେଣ୍ଟର ସହରାଞ୍ଚଳରେ ଥିବା ବେଳ ଅବଶିଷ୍ଟ ପୁଲିଂ ବୁଥ ଗ୍ରାମାଞ୍ଚଳରେ ରହିଛି ।
ଚଳିତ ପର୍ଯ୍ୟାୟରେ ମୋଟ ୬୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ପୁରୁଷ ଓ ୭୩ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି । ୪୩ଆସନ ମଧ୍ୟରୁ ୧୭ ଟିରେ ଅଣସଂରକ୍ଷିତ ବା ସାଧାରଣ ବର୍ଗର ପ୍ରାର୍ଥୀ ରହିଛନ୍ତି । ଅନ୍ୟ ସଂରକ୍ଷିତ ଆସନରେ ୨୦ଜଣ ଅନୁସୂଚିତ ଜନଜାତି (ଏସଟି) ଓ 6ଜଣ ଅନୁସୂଚିତ ଜାତି (ଏସସି) ବର୍ଗର ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।ତେବେ ୫ଟା ୩୦ରେ ମତଗ୍ରହଣ ଶେଷ ହେବା ପରେ ଇଭିଏମ ଓ ଭିଭିପ୍ୟାଟକୁ କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯିବ । ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଆସନ୍ତାମାସ (ଡିସେମ୍ବର) ୩ ତାରିଖରେ ମତଗଣନା ଓ ଜନାଦେସ ପ୍ରକାଶ ପାଇବ । ମହାରାଷ୍ଟ୍ର ସହିତ ଝାଡଖଣ୍ଡର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।ଅନ୍ୟପଟେ ଆଜି ୧୦ ରାଜ୍ୟରେ ୩୧ ଆସନରେ ବିଧାନସଭା ଉପନିର୍ବାଚନ ପାଇଁ ମଧ୍ୟ ଭୋଟିଂ ଜାରି ରହିଛି । କେରଳର ଚର୍ଚ୍ଚିତ ୱାୟନାଡ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ହେଉଛି । ଏଠାରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଢୁଛନ୍ତି ନିର୍ବାଚନ ।