କାର୍ର ଅନ୍ତିମ ସଂସ୍କାର; ୨୦୦୦ ଲୋକଙ୍କୁ ୪ ପୃଷ୍ଠାର ନିମନ୍ତ୍ରଣ ପତ୍ର, ‘ସମାଧି’ ପାଇଁ ଖର୍ଚ୍ଚ ହୋଇଛି ୪ ଲକ୍ଷ
ନୂଆଦିଲ୍ଲୀ ୦୯।୧୧: ସମାଧି ପାଇଁ ଗାତ ଖୋଳା ହୋଇଛି । ପାଖରେ ଆତ୍ମୀୟସ୍ବଜନ । ପାରମ୍ପରିକ ରୀତିନୀତି ଚାଲିଛି । ଏ ଚିତ୍ର ଦେଖିଲେ ଯେ କେହି ବି କହିବ ଏ ହେଉଛି କାହା ଅନ୍ତିମ ସଂସ୍କାରର ସମୟ । କିନ୍ତୁ ଏଠି ଭାବ ମଣିଷ ସହିତ ନୁହେଁ, ଏକ ନିର୍ଜୀବ ବସ୍ତୁ…ଯିଏ ସାଥିରେ ଥିଲା ଡଜନେ ବର୍ଷରୁ ଅଧିକ । ସେଥିପାଇଁ ଏକତ୍ରିତ ୧୫୦୦ ଲୋକ, ସମାଗମ ସାଧୁସନ୍ଥ , ସୁସଜ୍ଜିତ ଫୁଲ ମାଳ, ଶୋଭାଯାତ୍ରାର ଅନ୍ତ ସମାଧିରେ ।
ଅଖାଡୁଆ ଲାଗୁଥିଲେ ମଧ୍ୟ ଏହା ବାସ୍ତବ ସତ କଥାଟି । ଏପରି କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ଅମରେଲି ଜିଲ୍ଲାରେ । ଲାଠି ତାଲୁକାର ପଦାରସିଂହା ବାସିନ୍ଦା ସଞ୍ଜୟ ପୋଲାରା ଏକ ଚାଷୀ ପରିବାର । ସେ ଏବଂ ତାଙ୍କ ପରିବାର ଏହି ନିଆରା କାର୍ଯ୍ୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏକ ପୁରୁଣା କାର୍କୁ ଏମାନେ ଦେଇଛନ୍ତି ବିଦାୟ । ସେ ପୁଣି ଏମିତି ସେମିତି ନୁହେଁ, ସମ୍ପୁର୍ଣ୍ଣ ରୀତିନୀତୀରେ ଦେଇଛନ୍ତି ବିଦାୟ । ବାସ୍ତବରେ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ଏହି ପରିବାରକୁ ସେବା ଦେଇ ଆସୁଥିଲା ଏକ ପୁରୁଣା କାର୍ । କାରଟିକୁ ପରିବାର ଲୋକେ ‘ଲକି’ ମାନିଥାନ୍ତି । ଏଥିପାଇଁ ସେମାନେ କାର୍କୁ ବିକ୍ରି କରବା ବଦଳରେ ସମ୍ମାନର ସହ ସମାଧି ଦେଇଛନ୍ତି ।