ସଲମାନ୍ଙ୍କୁ ଧମକ ଦେଇଥିବା ଯୁବକ ଗିରଫ, କର୍ଣ୍ଣାଟକରୁ ବାନ୍ଧିଲା ମୁମ୍ବାଇ ପୁଲିସ

ମୁମ୍ବାଇ ୦୬/୧୧: ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀ ନାମରେ ପୁଣି ଧମକ ମିଳିଛି । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ ଟ୍ରାଫିକ୍ ପୁଲିସର ହେଲ୍ପଲାଇନ୍ ନମ୍ବରକୁ ଆସିଥିବା ମେସେଜ୍ରେ କୁହାଯାଇଛି ଯେ, କୃଷ୍ଣସାର ମୃଗ ଶିକାର ମାମଲାରେ ଯଦି ସଲମାନ୍ ବିଷ୍ଣୋୟୀ ସମାଜର ମନ୍ଦିରକୁ ଯାଇ କ୍ଷମା ନ ମାଗିବେ କିମ୍ବା ୫ କୋଟି ଟଙ୍କା ଦେବେନାହିଁ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ।
ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସର ଭାଇ ଅନମୋଲ ଭାବେ ପରିଚୟ ଦେଇଥିଲେ । ଏଥିସହିତ ସେମାନଙ୍କର ଗ୍ୟାଙ୍ଗ ଏବେ ବି ସକ୍ରିୟ ଥିବା କହିଥିଲେ ।
ଏହି ମାମଲାରେ ମୁମ୍ବାଇ ପୁଲିସ ଜଣେ ଅଭିଯୁକ୍ତଙ୍କୁ କର୍ଣ୍ଣାଟକରୁ ଗିରଫ କରିଛି । ତାଙ୍କର ନାମ ବିକ୍ରମ(୩୫) ହୋଇଥିବାବେଳେ ଅଧିକ ତଦନ୍ତ ଲାଗି ତାଙ୍କୁ ମୁମ୍ବାଇ ଅଣାଯିବ । ତେବେ ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ଟ୍ରାଫିକ ପୋଲିସ ସଲମାନଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ପାଇଥିଲା। ଯେଉଁଥିରେ ୨ କୋଟି ଟଙ୍କା ଦାବି କରାଯାଇଥିଲା। ଏଥିସହିତ ବିଷ୍ଣୋଇ ଗ୍ୟାଙ୍ଗ ନାମରେ ସଲମାନଙ୍କୁ ଧମକ ଦେବା ଖବର ଆସିବା ପରେ ଅଭିନେତାଙ୍କ ପ୍ରଶଂସକମାନେ ପୁଣି ଚିନ୍ତିତ ଅଛନ୍ତି।