ନିବେଶକଙ୍କୁ ଆମେରିକା ନିର୍ବାଚନ ଚିନ୍ତା: ସେନ୍ସେକ୍ସ ୯୪୧ ପଏଣ୍ଟ ଖସିଲା
ମୁମ୍ବାଇ: ଆମେରିକାରେ ଘଟିବାକୁ ଯାଉଥିବା ଦୁଇଟି ଘଟଣାକୁ ନେଇ ଭାରତୀୟ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଗୋଟିଏ ହେଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଓ ଅନ୍ୟଟି ହେଉଛି ଫେଡେରାଲ୍ ରିଜର୍ଭର ସୁଧ ସମ୍ପର୍କିତ ନିଷ୍ପତ୍ତି। ଏହାକୁ ନେଇ ମନରେ ଶଙ୍କା ରହିଥିବାରୁ ନିବେଶକମାନେ ବିପୁଳ ପରିମାଣର ସେୟାର ବିକ୍ରି କରିଛନ୍ତି।
ତାହାର ପ୍ରଭାବରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୯୪୧ ପଏଣ୍ଟ ହ୍ରାସ ପାଇ ୭୮,୭୮୨ ପଏଣ୍ଟରେ ବନ୍ଦ ହୋଇଛି। ସେହି ସମୟରେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୩୦୯ ପଏଣ୍ଟ ହ୍ରାସ ପାଇ ୨୩,୯୯୫ ପଏଣ୍ଟକୁ ଖସିଆସିଛି। ନିବେଶକମାନେ ସୋମବାର ମୁଖ୍ୟତଃ ରିଅଲ ଇଷ୍ଟେଟ୍, ଶକ୍ତି ଓ ଧାତବ କ୍ଷେତ୍ରର ସେୟାର ଅଧିକ ବିକ୍ରି କରିଛନ୍ତି। ସେନ୍ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୭.୩୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଫଳରେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ଥିବା ସମସ୍ତ କମ୍ପାନିର ମୋଟ ବଜାର ପୁଞ୍ଜି ପରିମାଣ ୪୪୧ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ବିଶେଷଜ୍ଞମାନଙ୍କ ମତରେ ଆଜି କାରବାର ମାନ୍ଦା ରହିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି କିଛି ନିବେଶକ ଲାଭ ପାଇବା ଆଶାରେ ମଧ୍ୟ ସେୟାର ବିକ୍ରି କରିଛନ୍ତି। ସେଥିପାଇଁ ଏକ ସମୟରେ ସେନ୍ସେକ୍ସ ୧୫୦୦ ପଏଣ୍ଟ ତଳକୁ ଖସିଥିଲା। କାରବାର ଶେଷ ବେଳକୁ ସେଥିରେ ସୁଧାର ଘଟିଥିଲା।
ଚଳିତ ବର୍ଷର ସେପ୍ଟମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଷ୍ଟକ୍ ବଜାର ଏହାର ନିବେଶକମାନଙ୍କୁ ବହୁତ ଭଲ ରିଟର୍ଣ୍ଣ ଦେଇଥିଲା। ସେପ୍ଟେମ୍ବର ୨୭ରେ ସେନ୍ସେକ୍ସ ଏହାର ସର୍ବକାଳୀନ ସର୍ବୋଚ୍ଚ ସ୍ତର ୮୫,୯୭୮ ପଏଣ୍ଟରେ ପହଞ୍ଚିଥିଲା। କିନ୍ତୁ ତା’ପରଠାରୁ ଯେଭଳି ଖରାପ ବେଳା ଆରମ୍ଭ ହୋଇଥିଲା। କାରଣ ଗତ ପାଞ୍ଚ ସପ୍ତାହ ଭିତରେ ସେନ୍ସେକ୍ସରେ ୭୭୦୦ ପଏଣ୍ଟର ହ୍ରାସ ଘଟିଛି। କେବଳ ଦୀପାବଳି ସପ୍ତାହକୁ ଛାଡ଼ିଦେଲେ ଅକ୍ଟୋବର ମାସ ସାରା ସେନ୍ସେକ୍ସ ଅସ୍ଥିର ରହିଥିଲା। ଗତ ପାଞ୍ଚ ସପ୍ତାହ ଭିତରେ ୨୫ ଦିନ କାରବାର ହୋଇଥିଲେ। ସେଥିରୁ ଅଧିକାଂଶ ଦିନ ସେନ୍ସେକ୍ସ ତଳକୁ ଖସିଥିଲା। ନଭେମ୍ବର ମାସ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବରର ହ୍ରାସ ଧାରା ଜାରି ରହିଛି। ତେଣୁ ଦୀର୍ଘବର୍ଷ ପରେ ସେନ୍ସେକ୍ସରେ ବଡ଼ ହ୍ରାସ ହେବା ଆଶଙ୍କା ସୃଷ୍ଟି ହୋଇଛି।
ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଦାନି ପୋର୍ଟସ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ସନ୍ ଫାର୍ମା, ବଜାଜ୍ ଫିନ୍ସର୍ଭ, ଏନ୍ଟିପିସି, ଟାଟା ମୋଟର୍ସ, ଆକ୍ସିସ୍ ବ୍ୟାଙ୍କ ଓ ଟାଇଟାନ୍ର ସେୟାର ମୂଲ୍ୟ ହ୍ରାସ ପାଇଛି। ସେହି ସମୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟେକ୍ ମହିନ୍ଦ୍ରା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଏଚ୍ସିଏଲ୍ ଟେକ୍ନୋଲୋଜି, ଇନ୍ଫୋସିସ୍ ଓ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କର ସେୟାର ମୂଲ୍ୟ କମ୍ ହୋଇଛି।