ଦେଶ- ବିଦେଶ

ବାଂଲାଦେଶକୁ ୪ ଦିନ ମହଲତ ଦେଲା ଆଦାନି, ବକେୟା ନଦେଲେ ବିଜୁଳି ଯୋଗାଣ ବନ୍ଦ ହେବ

ନୂଆଦିଲ୍ଲୀ: ବକେୟା ବିଜୁଳି ବିଲ୍ ପୈଠ କରିବା ପାଇଁ ଆଦାନି ପାୱାର ବାଂଲାଦେଶକୁ ୪ ଦିନ ସମୟ ଦେଇଛି। ପୂର୍ବରୁ କମ୍ପାନି ବାଂଲାଦେଶକୁ ବିଜୁଳି ଯୋଗାଣ ଅଧା କମାଇ ଦେଇଛି। ବାଂଲାଦେଶ ଆଦାନି ଗ୍ରୁପ୍ କମ୍ପାନି ଆଦାନି ପାୱାର ଝାଡ଼ଖଣ୍ଡ ଲିମିଟେଡ୍(ଏପିଜେଏଲ୍)କୁ ୮୪୬ ନିୟୁତ ଡଲାର (ପ୍ରାୟ ୭୧୧୮ କୋଟି ଟଙ୍କା) ପୈଠ ନକରିବା ଦ୍ବାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବାଂଲାଦେଶର ପାୱାର ଗ୍ରିଡ୍ ତଥ୍ୟ ଅନୁଯାୟୀ, ଏପିଜେଏଲ୍ ଗୁରୁବାର ରାତିରୁ ବିଦ୍ୟୁତ୍ ଯୋଗାଣ ହ୍ରାସ କରିଛି। ଏଥିପାଇଁ ବାଂଲାଦେଶକୁ ବିଜୁଳି ଅଭାବ ସାମ୍ନା କରିବାକୁ ପଡ଼ୁଛି। ଗତ ଅକ୍ଟୋବର ୨୭ ତାରିଖରେ ଆଦାନି ପାୱାର ବାଂଲାଦେଶ ପାୱାର ଡେଭଲପମେଣ୍ଟ୍ ବୋର୍ଡ (ବିପିଡିବି)କୁ ଚିଠି ଲେଖି ୩୦ ଅକ୍ଟୋବର ସୁଦ୍ଧା ବକେୟା ରାଶି ପୈଠ କରିବାକୁ କହିଥିଲା।

କମ୍ପାନି ବକେୟା ରାଶି ପୈଠ ସହିତ ସିକ୍ୟୁରିଟି ବାବଦରେ ୧୭୦ ନିୟୁତ ଡଲାର (୧୪୫୦ କୋଟି ଟଙ୍କା)ର ଲେଟର୍ ଅଫ୍ କ୍ରେଡିଟ୍ ଦେବା ପାଇଁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସମୟ ଦେଇଥିଲା। ବିପିଡିବି ଦେଶର କୃଷି ବ୍ୟାଙ୍କ ଜରିଆରେ ଲେଟର୍ ଅଫ୍ କ୍ରେଡିଟ୍ ଦେବାପାଇଁ ସୂଚନା ଦେଇଥିଲା। କିନ୍ତୁ ତାହା ଶକ୍ତି କ୍ରୟ ରାଜିନାମାର ସର୍ତ୍ତ ଅନୁସାରେ ହୋଇ ନଥିଲା। ବିପିଡିବିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ପୁରୁଣା ବିଲ୍ ପୈଠ ହୋଇସାରିଛି। କିନ୍ତୁ ଜୁଲାଇରୁ ଆଦାନିର ବିଦ୍ୟୁତ୍ ବିଲ୍ ପ୍ରତି ସପ୍ତାହରେ ୧୮ ନିୟୁତ ଡଲାରରୁ ଅଧିକ ହୋଇଯାଇଛି। କିନ୍ତୁ ପିଡିବି ୧୮ ନିୟୁତ ଡଲାର ପ୍ରଦାନ କରୁଛି। ଏଥିଯୋଗୁ ବକେୟା ରାଶି ବଢ଼ି ଚାଲିଛି। ଆଦାନି ପାୱାର ବାଂଲାଦେଶକୁ ୨୦୨୩ ଏପ୍ରିଲ ୧୦ରୁ ବିଦ୍ୟୁତ୍ ଯୋଗାଇ ଆସୁଛି। ୨୦୧୭ରେ କମ୍ପାନି ଏଥିପାଇଁ ରାଜିନାମା କରିଛି। ଝାଡ଼ଖଣ୍ଡର ଗୋଡ୍ଡା ପାୱାର ପ୍ଲାଣ୍ଟ୍ରୁ କମ୍ପାନି ୨୫ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଇବା ପାଇଁ ଚୁକ୍ତି କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button