ଦେଶ- ବିଦେଶ

ଲାହୋରରେ ୧୦୦୦ ଛୁଇଁଲା AQI, ସ୍କୁଲ ବନ୍ଦ ପାଇଁ ଆଦେଶ, ଘରୁ କାମ କରିବେ କର୍ମଚାରୀ

ପାକିସ୍ତାନର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଏଠାରେ ସମସ୍ତ ପ୍ରାଥମିକ ସ୍କୁଲକୁ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି । ଶନିବାର ଲାହୋରରେ ପ୍ରଦୂଷଣ ସ୍ତର ୧୦୦୦ ଅତିକ୍ରମ କରିଛି, ଯାହାକି ଅତି ବିପଜ୍ଜନକ ସ୍ତର । ପାକିସ୍ତାନର ପଞ୍ଜାବରେ ମଧ୍ୟ ରବିବାର ୧୦୦୦ରେ ପହଞ୍ଚିଛି AQI, ଯାହା ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଛି ।

 

ଲାହୋରର ୧୪ ମିଲିୟନ ପାଖାପାଖି ଲୋକ ପ୍ରଦୂଷଣର ଶିକାର ହୋଇଛନ୍ତି । ଡିଜେଲ ଗାଡ଼ିରୁ ବାହାରୁଥିବା ଧୂଆଁ, ନଡ଼ା ଜଳାଇବା ସହିତ ଥଣ୍ଡା ପାଗ ଯୋଗୁ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି ।

ଲାହୋରର ପରିବେଶ ଅଧିକାରୀ କହିଛନ୍ତି, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସହରର ବାୟୁ ଆସନ୍ତା ୬ ଦିନ ଯାଏ ଏହିପରି ରହିବ । ଏଥିରେ କୌଣସି ପ୍ରକାର ସୁଧାର ଆସିବ ନାହିଁ । ତେଣୁ ସହରର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ୧ ସପ୍ତାହ ପାଇଁ ବନ୍ଦ କରି ଦିଆଯାଇଛି ।

ପଞ୍ଜାବର ମନ୍ତ୍ରୀ ମରିୟମ୍ ଔରଙ୍ଗଜେବ କହିଛନ୍ତି, ଲୋକଙ୍କ ପାଇଁ ଏହି ଧୂଆଁ ଅତ୍ୟନ୍ତ ହାନିକାରକ । ଆମେ ଲଗାତାର ସ୍ଥିତି ଉପରେ ନଜର ରଖିଛୁ । ସ୍କୁଲ ପିଲାମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଦେଇଛୁ । ପ୍ରଦୂଷଣରୁ ପିଲାମାନଙ୍କୁ ଅଧିକ ବିପଦ ରହିଛି ।

ଗତ ସପ୍ତାହରେ ଲାହୋରର ଅଧିକାରୀମାନେ ସମସ୍ତ ସ୍କୁଲର ବାହ୍ୟ ଗତିବିଧି ଉପରେ ଆସନ୍ତା ଜାନୁୟାରୀ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଥିଲେ । ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ସ୍କୁଲର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଏହା ବ୍ୟତୀତ ବର୍ତ୍ତମାନ ସହରର ସରକାରୀ ଏବଂ ବେସରକାରୀ ଅଫିସଗୁଡ଼ିକ ନିଜର ଅଧା କର୍ମଚାରୀଙ୍କୁ ସୋମବାଠାରୁ ଘରୁ କାମ କରିବା ପାଇଁ କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button