ରାଜ୍ୟ

‘ଚିତ୍ତ ଚିନ୍ତନ: ଚିତ୍ତଙ୍କ ଭାଷାରେ’ ୧୦ଟି ପୁସ୍ତକର ପାଠକାର୍ପଣ

ଭୁବନେଶ୍ବର: ‘ସମ୍ବାଦ’ର ଚାରି ଦଶନ୍ଧିର ଯାତ୍ରାରେ ଅନେକ ଚିନ୍ତାଶୀଳ ବ୍ୟକ୍ତିଙ୍କ ଅବଦାନ ରହିଛି। ସେମାନଙ୍କୁ ମଧ୍ୟରୁ ବିଶିଷ୍ଟ ସାହିତ୍ୟିକ, ଅନୁବାଦକ ତଥା ସମାଜ ସଂସ୍କାରକ ଚିତ୍ତରଞ୍ଜନ ଦାସ ଅନ୍ୟତମ। ‘ସମ୍ବାଦ’ରେ ଧାରାବାହିକ ଭାବେ ପ୍ରକାଶ ପାଉଥିବା ତାଙ୍କ ଲେଖା ‘ବିଶ୍ବକୁ ଗବାକ୍ଷ’ ବହୁତ ଲୋକପ୍ରିୟ ଥିଲା। ୨ଟି କାରଣରୁ ମୁଁ ବିଶେଷ ଭାବେ ତାଙ୍କ ଦ୍ବାରା ପ୍ରଭାବିତ ହୋଇଥିଲି।

ଗୋଟିଏ ତାଙ୍କ ବିଚାର ଓ ଅନ୍ୟଟି ଜୀବନଶୈଳୀ। ତାଙ୍କ ଦ୍ବାରା ରଚିତ ପୁସ୍ତକ ଉତ୍ତରପିଢ଼ିଙ୍କ ପାଖରେ ପହଞ୍ଚିଲେ ତାଙ୍କ ବିଚାରଧାରା ମଧ୍ୟ ପହଞ୍ଚିପାରିବ। ‘ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ଆୟୋଜିତ ‘ଚିତ୍ତ ଚିନ୍ତନ: ଚିତ୍ତଙ୍କ ଭାଷାରେ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।

‘ଆମ ଓଡ଼ିଶା’ ସଭାକକ୍ଷରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଚିତ୍ତରଞ୍ଜନ ଦାସ ଶିକ୍ଷା ବ୍ୟବସ୍ଥା ଉପରେ ଗଭୀର ଭାବେ ଚିନ୍ତା କରୁଥିଲେ। ଶିକ୍ଷା ବ୍ୟବସ୍ଥାରେ କିପରି ସଂସ୍କାର ଆସିବ, ପିଲାମାନେ କିପରି ଗଢ଼ା ହେବେ ସେ ଦିଗରେ ଲେଖନୀ ଚାଳନା କରୁଥିଲେ। ଆଜି ରାଜ୍ୟ ତଥା ଦେଶର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ଶିକ୍ଷାକୁ ନେଇ ଭେଦଭାବ ସୃଷ୍ଟି କରାଯାଉଛି। ପ୍ରତିଦିନ ଶିକ୍ଷା ବ୍ୟବସ୍ଥାରେ ଅସମାନତାର ସାମ୍ନା କରିବାକୁ ପଡ଼ୁଛି। ଏଭଳି ଏକ ସମୟରେ ଶିକ୍ଷା ବ୍ୟବସ୍ଥାରେ କିଛି ପରିମାଣରେ ସଂସ୍କାର ଆସିପାରିଲେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ବିଶିଷ୍ଟ ଅତିଥି ତଥା ସ୍ବର୍ଗତ ଦାସଙ୍କ ଭାଇ ପ୍ରଫେସର ବସନ୍ତ ଦାସ ଯୋଗଦେଇ କହିଲେ, ଭାଇ ମୋତେ ଲେଖାଲେଖି କରିବାକୁ ପ୍ରତିଦିନ ତାଗିଦ କରୁଥିଲେ। ହେଲେ ମୁଁ ଲେଖି ପାରୁନଥିଲି। ରୋଗଶଯ୍ୟାରେ ପଡ଼ିବା ବେଳେ ମଧ୍ୟ ନିଜ କଥା ଚିନ୍ତା ନକରି ମୋତେ ଆତ୍ମଜୀବନୀ ଲେଖିଲୁଣି ନା ନାହିଁ ପଚାରିଥିଲେ। ମୁଁ କିନ୍ତୁ ସେ ଦିନ ମିଛ କହିଥିଲି। ହେଲେ ଭାଇଙ୍କୁ ମିଛ କହିବାର ଅନୁତାପ କରି ସେଦିନ ହିଁ ମୁଁ ଲେଖିବା ଆରମ୍ଭ କଲି। କେତେବେଳେ ୫୦୦ ପୃଷ୍ଠାର ଆତ୍ମଜୀବନୀ ଲେଖିଲି ଜଣା ପଡ଼ିଲାନି। କିନ୍ତୁ ପୁସ୍ତକ ସରିବା ବେଳକୁ ଭାଇ ନଥିଲେ। ସେ ପୁସ୍ତକ ଉନ୍ମୋଚନ ପାଇଁ ଭାଇ ଦେଇଥିବା ମୁଚୁକୁନ୍ଦ ଗଛ ପାଖରେ ରାତିସାରା ମୋ ବହିକୁ ରଖି ଦେଇ, ଭାବିଲି ଭାଇ ପଢ଼ିଥିବ। ସେ ହିଁ ମୋର ପୁସ୍ତକ ଉନ୍ମୋଚନ। ମୋ ଭଳି ଜଣେ ଅଲେଖକୁ ଲେଖକ କରିଥିବା ଦକ୍ଷତା ଭାଇଙ୍କ ପାଖରେ ଥିଲା। ଏଭଳି ଏକ କଥା କହି ସଭାକୁ ଗଭୀର ପ୍ରଭାବିତ କରିଥିଲେ ଶ୍ରୀ ଦାସ। ଅନ୍ୟତମ ଅତିଥି ତଥା ପୁସ୍ତକାବଳିର ସାଧାରଣ ସମ୍ପାଦକ ଶୈଳଜ ରବି କହିଲେ, ଆମ ଓଡ଼ିଶା ପ୍ରକାଶନୀ ସଂସ୍ଥା ବ୍ୟବସାୟକୁ ପ୍ରାଧାନ୍ୟ ନଦେଇ ସାଧାରଣ ଲୋକଙ୍କ ପାଖରେ କିପରି ଭଲ ବହି ପହଞ୍ଚିବ ସେ ଯୋଜନା କରିଛନ୍ତି। ବଡ଼ କଥା ହେଲା, ଅନ୍ୟ ପ୍ରକାଶନୀ ସଂସ୍ଥାମାନେ ରୟାଲ୍ଟି ଦେବାରେ ଟାଳଟୁଳ ନୀତି ଆପଣାଉଥିବା ବେଳେ ‘ଆମ ଓଡ଼ିଶା’ ପୁସ୍ତକ ଉନ୍ମୋଚନ ଦିନ ଲେଖକଙ୍କୁ ରୟାଲ୍ଟି ଦେବା ସାରା ଦେଶରେ ପ୍ରଥମ।

‘ଆମ ଓଡ଼ିଶା’ ପ୍ରକାଶନୀ ସଂପାଦକ ଅସିତ୍ ମହାନ୍ତି ସ୍ବାଗତ ବକ୍ତବ୍ୟ ଦେବା ସହ ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଲେ, ଚିତ୍ତରଞ୍ଜନ ଦାସଙ୍କ ଭଳି ଜଣେ ବିଶିଷ୍ଟ ସାହିତ୍ୟିକଙ୍କ ବିଶାଳ କୃତିକୁ ସଂକ୍ଷେପରେ ବୃହତ୍ତର ପାଠକଙ୍କ ପାଖରେ ପହଞ୍ଚାଇବାକୁ ୧୦ଟି ପୁସ୍ତକ ପ୍ରକାଶ ପାଇଛି। ଏଥିରେ ୧୨ଟି ବିଷୟକୁ ୧୨ ଜଣ ଲେଖକ ସଂକଳିତ କରିଛନ୍ତି। ‘ଚିତ୍ତ ଚିନ୍ତନ: ଚିତ୍ତଙ୍କ ଭାଷାରେ’ର ୧୦ଟି ପୁସ୍ତକ ‘ଭ୍ରମଣ ଭାବନା’ ପ୍ରିୟବ୍ରତ ପାତ୍ର, ‘ଚିଠି ସମ୍ପର୍କ’ ଚନ୍ଦନ କୁମାର ସିଂହ, ‘ମନସ୍ତତ୍ତ୍ବ’ ଫକୀରମୋହନ ସାହୁ, ‘ସମାଜ, ସଂସ୍କୃତି ଓ ଦର୍ଶନ’ ଅନନ୍ତ କୁମାର ଗିରି, ‘ଶିକ୍ଷା’ ରବୀନ୍ଦ୍ର ନାଥ ଦାସ, ‘ଧର୍ମ ଓ ଆଧ୍ୟାତ୍ମିକତା’ ଗୌରାଙ୍ଗ ଚରଣ ଦାଶ, ‘ଶିଶୁ ସାହିତ୍ୟ’ ରାଜ କିଶୋର ପାଢ଼ୀ, ‘ରାଜନୀତି ଓ ଅର୍ଥନୀତି’ ଚିରଶ୍ରୀ ଇନ୍ଦ୍ରସିଂ, ‘ଜୀବନୀ, ଆତ୍ମଜୀବନୀ ଓ ଡାଏରୀ’ ମନୋଜ ପରିଡ଼ା ଓ ଅସିତ ମହାନ୍ତି ଏବଂ ‘ସାହିତ୍ୟ, ଭାବନା ଓ ଅନୁଭବ’ ପବିତ୍ର ମୋହନ ଦାଶ ଓ ଶୈଳଜ ରବି ସଙ୍କଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୧୦ଟି ପୁସ୍ତକର ଲେଖକମାନେ ନିଜର ଅଭିଜ୍ଞତା ଓ ଚିତ୍ତରଞ୍ଜନଙ୍କ ଉପରେ ବକ୍ତବ୍ୟ ରଖିଥିଲେ। ସାହିତ୍ୟିକ ଯତୀନ ନାୟକ ଓ ମୁନିଗୁଡ଼ାର ଗୌରାଙ୍ଗ ବାବୁ ସ୍ବର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ସଂପାଦକ ଅରବିନ୍ଦ ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିଥିଲେ। ଶେଷରେ ରମାକାନ୍ତ ସ୍ବାଇଁ ଧନ୍ୟବାଦ ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button