ନିର୍ମାଣ ହେବ C295 ପରିବହନ ଜାହାଜ; ଟାଟା ସହ ଏୟାରବସର ଚୁକ୍ତି, ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ଉଦଘାଟନ
ନୂଆଦିଲ୍ଲୀ: ଭାରତରେ ନିର୍ମାଣ ହେବ C295 ପରିବହନ ଯୁଦ୍ଧ ଜାହାଜ । ଏୟାର ବସ୍ ଏବଂ ଟାଟା ଆଡଭାନ୍ସ ଲିମିଟେଡର ଭାଗିଦାରୀରେ ତିଆରି କରାଯିବ । ୫୬ଟି ବିମାନ ନିର୍ମାଣ ପାଇଁ ଭାରତ ଏବଂ ସ୍ପେନ ମଧ୍ୟରେ ବୁଝାମଣା ହୋଇଛି । ପ୍ରଥମ ୧୬ଟି ଏୟାରକ୍ରାଫ୍ଟ ସ୍ପେନ୍ ତିଆରି କରିବ ଏବଂ ବାକି ୪୦ଟି ଯୁଦ୍ଧ ଜାହାଜ ଟାଟା ଆଡଭାନ୍ସ ତିଆରି କରିବ ।
ପ୍ରଥମ ଥର ପାଇଁ କୌଣସି ଘରୋଇ ସଂସ୍ଥା ପ୍ରତିରକ୍ଷା ବିଭାଗ ପାଇଁ ପ୍ଲେନ୍ ତିଆରି କରିବ । ଏନେଇ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଂଚେଜ୍ ଭାରତରେ ପହଞ୍ଚି ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି । ଏହା ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୁଜରାଟର ବରୋଦାରେ ରୋଡ୍ ଶୋ’ କରିଥିଲେ ।
ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସ ଦେଶର ପ୍ରଥମ ଘରୋଅ ଫାଇନାଲ୍ ଆସେମ୍ୱିଲି ଲାଇନ ହେବ । ଯିଏ ଭାରତର ପ୍ରତିରକ୍ଷା ବିଭାଗ ପାଇଁ ଏୟାରକ୍ରାଫ୍ଟ ତିଆରି କରିବ । ବାୟୁସେନାରେ ଏହା ପରିବହନ ବିମାନ ଭାବେ କାର୍ଯ୍ୟ କରିବ । ସୈନ୍ୟ, ଅସ୍ତ୍ରଶସ୍ତ୍ର, ଇନ୍ଧନ ଏବଂ ହାର୍ଡଓ୍ବେୟର ନେବା ଆଣିବାରେ ସାହାଯ୍ୟ କରିବ । C295 ସୈନ୍ୟ ସେନାରେ ପରିବହନ ଯୁଦ୍ଧ ଜାହାଜ ଭାବେ ସାମିଲ୍ ହେବ । ଏହି ବିମାନକୁ ଦୁଇଟି ପାଇଲଟ୍ ଉଡ଼ାଇ ପାରିବ । ଏଥିରେ ୭୩ଜଣ ଯବାନ ବା ୪୮ ପାରଚ୍ୟୁଟ୍ସ ଏବଂ ୧୨ ଷ୍ଟ୍ରେଚର, ୪ମେଡିକାଲ ଆଟେଣ୍ଡାଣ୍ଟ୍ ଯାଇପାରିବେ । ଏହି ଯୁଦ୍ଧ ଜାହାଜ ୯,୨୫୦ କିଲୋଗ୍ରାମ ଓଜନ ଉଠାଇ ପାରିବ । ଏହାର ଦୈର୍ଘ୍ୟ ୮୦.୩ଫୁଟ୍ ଏବଂ ଓ୍ବିଙ୍ଗର ଲମ୍ବ ୮୪.୮ ଫୁଟ୍ ଏବଂ ଉଚ୍ଚତା ୨୮.୫ ଫୁଟ୍ । ଏହାର ଇନ୍ଧନ କ୍ଷମତା ୭,୬୫୦ ଲିଟର । ଘଣ୍ଟାପ୍ରତି ୪୮୨ କି.ମି. ବେଗରେ ଉଡ଼ିପାରିବ ।