ପୁରୀରେ ସେବାୟତଙ୍କୁ ଆକ୍ରମଣ ଘଟଣା, ବଡୁ ସେବାୟତ ନିଲମ୍ବିତ
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିସରରେ ସେବାୟତ ତଥା ଶ୍ରୀମନ୍ଦିର ସୁପର ଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରିଙ୍କୁ ମରଣାନ୍ତକ ଆକ୍ରମଣ। ଶୁକ୍ରବାର ଦୁବୁର୍ତ୍ତଙ୍କ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଭିଯୋଗ ଅନୁସାରେ ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଜଣେ ସେବାୟତ ରାବିଡି ବିକ୍ରୀ କରୁଥିବାରୁ ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ପ୍ରତିହାରୀ ତାଙ୍କୁ ବାରଣ କରିଥିଲେ। ଆଉ ଏହାକୁ ନେଇ ପନ୍ତି ବଡୁ ସେବାୟତ ଚନ୍ଦନ ସାମନ୍ତରା ଓ ତାଙ୍କ ସହଯୋଗୀ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣାକୁ ଶ୍ରୀମନ୍ଦିର ପ୍ରଶାସକ ନିନ୍ଦା କରିବା ସହ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀମନ୍ଦିର ଆଇନ ୧୯୫୫ ୨୧(ଖ )କ ଧାରାରେ ପନ୍ତି ବଡୁ ସେବାୟତ ଚନ୍ଦନ ସାମନ୍ତରାଙ୍କୁ ସେବାରୁ ନିଲମ୍ବନ ସହ ରୋଷଘର ପ୍ରବେଶ ନିଷେଧ କରାଯାଇଛି। ସେପଟେ ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ସୂଚନା ଅନୁସାରେ ଶ୍ରୀମନ୍ଦିରରେ ରାବିଡ଼ି ବିକ୍ରି ଉପରେ ରୋକ ଲଗାଯାଇଛି । ଏହାପରେ ବି କିଛି ସେବାୟତ ଏହାକୁ ନମାନି ମନ୍ଦିର ପରିସରରେ ରାବିଡ଼ି ବିକ୍ରି କରୁଛନ୍ତି । ଘଟଣାକୁ ଗୁରୁତର ସହ ନେଇଛି ସୁଆର ମହାସୁଆର ନିଯୋଗ । ଏହାକୁ ନିନ୍ଦା କରିବା ସହ କୌଣସି ସେବାୟତ ଏଥିରେ ସମ୍ପୃକ୍ତ ଥିଲେ ତାଙ୍କ ନିଯୋଗକୁ ଅବଗତ କରାଯିବ ଓ ସୁଆର ନିଯୋଗର ହୋଇଥିଲେ ସେବାପୂଜାରୁ ବହିଷ୍କୃତ କରାଯିବ ବୋଲି କହିଛନ୍ତି । ସେପଟେ ବାରଣ ସତ୍ତ୍ବେ କିଭିଳି ଶ୍ରୀମନ୍ଦିରକୁ ରାବିଡ଼ି ପ୍ରବେଶ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥା ଢିଲା ଯୋଗୁଁ ଏଭଳି ଘଟଣା ଘଟୁଛି ବୋଲି କୁହାଯାଉଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ଆନନ୍ଦବଜାର ଶୃଙ୍ଖଳିତ ପାଇଁ ଅନେକ କଡା ଆଭିମୁଖ୍ଯ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ । ହେଲେ ଗତକାଲିର ଘଟଣା ଏବେ ସେବାୟତଙ୍କ ମଧ୍ୟରେ ଭରଣ ବାତାବରଣ ସୃଷ୍ଟି କରିଛି ।