ଦେଶ- ବିଦେଶ

ଲରେନ୍ସ ବିଷ୍ଣୋଇ ଉପରେ ହେବ ୱେବ୍‌ ସିରିଜ୍‌, ନିର୍ମାତା କଲେ ଘୋଷଣା

ମୁମ୍ଵାଇ ୨୦।୧୦: ଦବଙ୍ଗ ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଉଥିବା ଗ୍ୟାଙ୍ଗ୍ଷ୍ଟର ଲରେନ୍ସ ବିଷ୍ଣୋଇ ଉପରେ ୱେବ୍ ସିରିଜ୍ ହେବ । ନୋଏଡ଼ା ସ୍ଥିତ ପ୍ରଯୋଜକ ଅମିତ ଜାନୀ ଏହା ଘୋଷଣା କରିଛନ୍ତି । ସେ ସିରିଜ୍ର ଟାଇଟଲ ରଖିଛନ୍ତି ‘ଲରେନ୍ସ- ଏ ଗ୍ୟାଙ୍ଗ୍ଷ୍ଟର ଷ୍ଟୋରୀ’। ଏହାକୁ ଭାରତୀୟ ମୋସନ୍ ପିକ୍ଚର୍ସ ଆସୋସିଏସନ୍ରୁ ଅନୁମତି ମିଳିସାରିଛି ।

ଅମିତ ଏହି ସିରିଜ୍କୁ ନିଜର ଫାୟର୍ ଫକ୍ସ ଫିଲ୍ମ ପ୍ରଡକ୍ସନ୍ ଅଧୀନରେ ନିର୍ମାଣ କରିବେ । ଦୀପାବଳି ଅବସରରେ ଏହାର କଳାକାରଙ୍କ ନାଁ ଘୋଷଣା କରାଯିବ । ଏ ଅବସରରେ ନିର୍ମାତା ଏହାର ପୋଷ୍ଟର୍ ମଧ୍ୟ ରିଲିଜ୍ କରିପାରନ୍ତି ।

ଲରେନ୍ସ ବିଷ୍ଣୋଇ ଏବେ ଗୁଜରାଟର ସାବରମତି ସେଣ୍ଟ୍ରାଲ ଜେଲରେ ଅଛି । ତା’ର ଦାବି, କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ବିଷ୍ଣୋଇ ସମାଜକୁ କ୍ଷମା ମାଗନ୍ତୁ । ଗତ କିଛି ଦିନ ଧରି ସେ ସଲମାନଙ୍କୁ ଲଗାତାର ହତ୍ୟା ଧମକ ଦେଉଛି । ଚଳିତ ବର୍ଷ ଏପ୍ରିଲରେ ସଲମାନଙ୍କ ଘର ବାହାରେ ଗୁଳି ଫୁଟିଥିଲା । ଏଥିପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଥିଲା । ଗତ ୧୨ ତାରିଖରେ ସଲମାନଙ୍କ ବନ୍ଧୁ ତଥା ରାଜନେତା ବାବା ସିଦ୍ଦିକିଙ୍କ ହତ୍ୟା ବିଷ୍ଣୋଇ ଗ୍ୟାଙ୍ଗ୍ କରିଥିବା ସ୍ପଷ୍ଟ କରିଥିଲା । ଗତ ଶୁକ୍ରବାର ଅର୍ଥାତ୍ ୧୮ ତାରିଖରେ ମଧ୍ୟ ସଲମାନଙ୍କୁ ହତ୍ୟା ଧମକ ମିଳିଥିଲା ।

ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ଗ୍ୟାଙ୍ଗ୍ର ସଦସ୍ୟ କହିଥିଲା । ଏହିଧମକ ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍କୁ ହ୍ୱାଟ୍ସଆପ୍ ମେସେଜ୍ ଜରିଆରେ ଆସିଥିଲା । ମେସେଜ୍ରେ ଲେଖାଥିଲା, ସଲମାନଙ୍କୁ ବଞ୍ଚିବାକୁ ହେଲେ ଲରେନ୍ସ ସହ ଶତ୍ରୁତା ତୁଟାଇବା ପାଇଁ ୫ କୋଟି ଟଙ୍କା ଦେବାକୁ ହେବ, ନ ହେଲେ ତାଙ୍କ ସ୍ଥିତି ବାବା ସିଦ୍ଦିକିଙ୍କଠୁ ବି ଆହୁରି ଖରାପ ହେବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button