ରାଜ୍ୟ

ଜଙ୍ଗଲକୁ ଘେରିଛନ୍ତି ୪୮ ଜଣିଆ ଟିମ୍‌: ବାଣୁଆର ବାସ୍ନା ବାରି ଫେରିଗଲା ମହାବଳ

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଗାଙ୍ଗପୁର ବନାଞ୍ଚଳ ମାଳତି ପାହାଡ଼ ଇଲାକାରେ ମହାରାଷ୍ଟ୍ର ମହାବଳ ବାଘ ପାଞ୍ଚଦିନ ହେବ ଗତିବିଧି ଜାରି ରଖିଛିl ବନବିଭାଗ ବାଘକୁ ଧରିବାକୁ ରାତିଦିନ ଏକ କରି ଦେଇଥିଲେ ମଧ୍ୟ ମହାବଳକୁ ଧରି ପାରୁନି। ଗୁରୁବାର ଭୋର୍ ତିନିଟା ବେଳେ ମହାବଳଟି ପୂର୍ବରୁ ମାରି ଖାଇଥିବା ଗୟଳ ନିକଟରୁ କିଛି ଦୂରରେ ଅଟକି ଚାରିଆଡ଼େ ଚାହିଁବା ପରେ ପୁଣି ସେହି ବାଟରେ ଫେରିଯାଇଛି।

ବାଣୁଆର ବାରୁଦ ବାସ୍ନାକୁ ବାରିପାରିଥିଲା। ଏଣୁ ହୁଏତ ଏହି କାରଣରୁ ମହାବଳ ଫେରି ଯାଇଥିବା ବନ ବିଭାଗ ଅନୁମାନ କରିଛି।

ଶିମିଳିପାଳରୁ ଆସିଥିବା ସ୍ୱତନ୍ତ୍ର ବାଘ ଧରାଳି ସ୍କ୍ୱାଡ୍ ସମେତ ଗାଙ୍ଗପୁର, ଭଞ୍ଜନଗର ଏବଂ ମୁଜାଗଡ଼ ବନାଞ୍ଚଳର ଅଧିକାରୀ ଏବଂ କର୍ମଚାରୀ ବାଘକୁ ଧରିବା ପାଇଁ ପାଞ୍ଚଦିନ ହେବ ଜଗି ରହିଥିଲେ ମଧ୍ୟ ଆଜି ଅଳ୍ପକେ ବାଘ ବନବିଭାଗ କବ୍ଜାରୁ ଖସି ଚାଲି ଯାଇଥିବାରୁ ଏଠାରେ ନିୟୋଜିତ ଥିବା ତିନି ବାଣୁଆଙ୍କ ସମେତ ତିନଟି ଟିମ୍ରେ ଛକି ରହିଥିବା ୪୮ ବନ କର୍ମଚାରୀଙ୍କୁ ନିରାଶ ହେବାକୁ ପଡିଛି l ଆଜି ସକାଳେ ଝାଡ଼ବନ୍ଦ ପଞ୍ଚାୟତ ଦିଗି ଗ୍ରାମ ନିକଟ ଉସ୍ତପଲ୍ଲୀ ନିକଟରେ ମହାବଳର ପାଦଚି଼ହ୍ନ ଠାବ ହୋଇଛି। ଗତ ପାଞ୍ଚଦିନ ହେଲା ମାଳତି ଜଙ୍ଗଲ ଓ ଲାଠିପଡ଼ା ବନାଞ୍ଚଳର ତିନିଖଣ୍ଡିଆ ରଗଡ଼ା ଜଙ୍ଗଲ ଭିତରେ ଚକ୍କର କାଟୁଥିବାରୁ ଲାଠିପଡ଼ା, କୁଲାଙ୍ଗି, ଝାଡ଼ବନ୍ଧ, ମୁନିଗାଡ଼ି, ଗାଙ୍ଗପୁର ଓ କ୍ଷତ୍ରୀୟବରପୁର ପଞ୍ଚାୟତର ପ୍ରାୟ ୩୫ ଖଣ୍ଡ ଗ୍ରାମର ଲୋକେ ସନ୍ଧ୍ୟାହେଲେ ଭୟରେ ବାହାରକୁ ବାହାରୁ ନାହାନ୍ତି। କ୍ଷତ୍ରୀୟବରପୁର ଠାରୁ କୁଲାଙ୍ଗି ରାସ୍ତା, ବୋରି ଠାରୁ ଝାଡ଼ବନ୍ଧ-ସିଙ୍ଗିପୁର ରାସ୍ତା ଓ ଲାଠିପଡ଼ା ଠାରୁ ରଗଡା-ତିନିଖଣ୍ଡିଆ ରାସ୍ତା ଶୂନ୍ଶାନ୍ ହେଇଯାଉଛି।

ମହାବଳକୁ ଧରିବାକୁ ବନବିଭାଗ ୩ଟି ଟିମ୍ କରିଥିବା ବେଳେ ଗୋଟିଏ ଗୋଟିଏ ଟିମରେ ୧୬ ଜଣଙ୍କ ସହ ଜଣେ ବାଣୁଆ ନିୟୋଜିତ ଅଛନ୍ତି। ମହାବଳର ଗତିବିଧିକୁ ଜାଣିବା ପାଇଁ ମାଳତି ଓ ବାଲିପାଟ ଗ୍ରାମ ଅଂଚଳରେ ୯ଟି ଟ୍ରାପ୍ କ୍ୟାମେରା ଲାଗିଛି l ବାଘ ଧରିବାକୁ ଶିମିଳିପାଳର ବାଘ ଧରାଳି ଟିମ୍ ପ୍ରଥମ ଦିନ କୁକୁଡ଼ା ଏବଂ ଦ୍ୱିତୀୟ ଦିନ ବାଘର ଅଧାଖିଆ ବନ୍ୟଜନ୍ତୁ ଗୟଳକୁ ରଖି ବାଘକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବାଘ ବନ ବିଭାଗକୁ ଧରା ଦେଇନଥିଲା। ଚତୁର୍ଥ ଦିନ ରାପିଡ୍ ରେସ୍ପନ୍ସ ଟିମ୍ ୬ଟି ମଇଁଷି କିଣି ବାଘକୁ ଧରିବା ପାଇଁ ଜଙ୍ଗଲରେ ୪ଟି ବାନ୍ଧି ରଖିବା ସହ ଯନ୍ତା ଧରି ବାଘର ଗତିବିଧି ଉପରେ କଡ଼ା ନଜର ରଖିଥିଲେ। ଜଙ୍ଗଲର ବିଭିନ୍ନ ସ୍ଥାନରେ ଲାଗିଥିବା ଟ୍ରାପ୍ କ୍ୟାମେରା ଏବଂ ଅନ୍ୟାନ୍ୟ ଅନୁସନ୍ଧାନରୁ ମହାବଳଟି ମାଳତି ଜଙ୍ଗଲରେ ହିଁ ବୁଲୁଥିବା ବନ ବିଭାଗ ନିଶ୍ଚିତ ହୋଇଛି l

ଦିନବେଳା ମହାବଳଟି କୌଣସି ନିଘଞ୍ଚ ଜଙ୍ଗଲ ଇଲାକା କିମ୍ବା ଗୁମ୍ଫା ଭିତରେ ରହି ରାତ୍ର ୯ଟା ପରେ ବାହାରୁଥିବା ଅନୁମାନ କରାଯାଉଛି l ଜଙ୍ଗଲରୁ ବାଘ ଯେପରି ବାହାରକୁ ଚାଲି ନଯାଏ ସେଥିପ୍ରତି ବନବିଭାଗ ଜାଗ୍ରତ ରହିବା ସହ ଜଙ୍ଗଲକୁ ଚାରିପଟୁ ଆମ୍ବୁସ୍ କରି ରଖାଯାଇଛି। ବାଘକୁ ଧରିବା ପାଇଁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ୱୀରାଜ ପ୍ରଧାନ, ଗାଙ୍ଗପୁର ବନପାଳ ମିତା ପୋଲେଇଙ୍କ ସମେତ ଗାଙ୍ଗପୁର, ଭଞ୍ଜନଗର, ମୁଜାଗଡ଼ ରେଞ୍ଜ୍ର ଜଙ୍ଗଲ ବିଭାଗ ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଏବଂ ଶିମିଳିପାଳ ବାଘ ଧରାଳି ଟିମ୍ ବାଘକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଜଗି ରହିଛନ୍ତି I

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button