ଦେଶ- ବିଦେଶ

ରେରାକୁ ମାସେ ମହଲତ

ବିଲଡର ସଂସ୍ଥାକୁ ଲଗାମ ଲଗାଇବାକୁ ରେରା ଅଛି। ବିଲଡର ଓ ଉପଭୋକ୍ତାଙ୍କ ଭିତରେ କୌଣସି କାରଣକୁ ନେଇ ବିବାଦ ଉପୁଜିଲେ, ରେରାର ଦ୍ୱାରସ୍ଥ ହେବାକୁ ପଡ଼ିଥାଏ। ରେରା କୋର୍ଟ ବିଚାର କରି କେତେବେଳେ ବିଲଡର ସଂସ୍ଥାକୁ ଧାର୍ଯ୍ୟ ସମୟ ଭିତରେ କାମ ସାରିବାକୁ ନିର୍ଦେଶ ଦେଇଥାଆନ୍ତି ତ କେତେବେଳେ ଜରିମାନା ଦଣ୍ଡବିଧାନ କରିଥାଆନ୍ତି। କୌଣସି ଆପାର୍ଟମେଣ୍ଟ ପ୍ରକଳ୍ପ ବିନା ଅନୁମୋଦନରେ ନିଜକୁ ବିଜ୍ଞାପିତ କରୁଥିଲେ କି କୌଣସି ବେଆଇନ ନିର୍ମାଣ କରି ଗ୍ରାହକଙ୍କଠୁ ଅଗ୍ରୀମ ଅର୍ଥ ଉଠାଉଥାଏ, ଏ ସବୁ ଉପରେ ନଜର ରଖିଥାଏ ରେରା କୋର୍ଟ। କିନ୍ତୁ ଅଧିକାଂଶ ସମୟରେ ରେରାର ଲମ୍ୱିତ ପ୍ରକ୍ରିୟାରେ ଅନେକ ହଇରାଣ ହୁଅନ୍ତି। ପଞ୍ଜୀକରଣ ପାଇଁ ଆବେଦନ କରି ଦୀର୍ଘ ଦିନ ଅପେକ୍ଷା କରିବାର ନଜିର ବି ଅନେକ ଅଛି। ରେରାକୁ ଅନେକ ଦନ୍ତହୀନ ସଂସ୍ଥା ଭାବେ ଅଭିହିତ କରନ୍ତି। କାରଣ ରେରାର ନିର୍ଦେଶକୁ ଅନୁପାଳନ ଦିଗରେ ଅନେକ ଠୋସ୍ ପଦକ୍ଷେପ ନେଇନଥାଆନ୍ତି। ଆଉ ରେରା ବି ନିଜେ ମନ୍ଥର ଗତିରେ ଚାଲିଥାଏ। ଆଉ ଏମିତି ଏକ ନଜିର ଆସିଛି ଆହ୍ଲାବାଦରୁ। ରେରାକୁ ୩୦ ଦିନର ଟାର୍ଗେଟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ୩୦ ଦିନ ଭିତରେ ଯଦି କୌଣସି ନିଷ୍ପତ୍ତି ନେବନି ରେରା। ତେବେ ରିଅଲ ଇଷ୍ଟେଟ୍ ପ୍ରୋଜେକ୍ଚ ପଞ୍ଜୀକରଣ ପାଇଁ ହୋଇଥିବା ଆବେଦନକୁ ସ୍ୱୀକୃତ ବୋଲି ଧରାଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।

ଏଲଆଣ୍ଡଟି ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଏଭଳି ଆଦେଶ ଦେଇଛନ୍ତି ହାଇକୋର୍ଟ। କାରଣ ରିଅଲ ଇଷ୍ଟେଟ ଅଧିନିୟମ, ୨୦୧୬ର ଧାରା ୫(୨) ଅନୁସାରେ ରିଅଲ ଇଷ୍ଟେଟ୍ ପ୍ରକଳ୍ପର ପଞ୍ଜୀକରଣ ଆବେଦନ ଉପରେ ୩୦ ଦିନ ଭିତରେ ନିଷ୍ପତ୍ତି ନେବା ଅନିର୍ବାର୍ଯ୍ୟ। ୩୦ ଦିନ ଭିତରେ ପ୍ରକଳ୍ପକୁ ଅନୁମତି ଦେଲେ କି ଖାରଜ କଲେ, ଏହି ଆଧାରରେ ପ୍ରକଳ୍ପର ଭବିଷ୍ୟତ ନିର୍ଭର କରେ। ନିୟମ କହୁଛି, ଯଦି ଆବେଦନର ୩୦ ଦିନ ଭିତରେ ଆବେଦନ ଉପରେ କୌଣସି ନିଷ୍ପତ୍ତି ନେବାରେ ବିଫଳ ହୁଅନ୍ତି ରେରା। ତା ହେଲେ ସ୍ୱତଃପ୍ରବୃତ୍ତ ଭାବେ ଏହି ଆବେଦନକୁ ଅନୁମୋଦନ ବୋଲି ଧରାଯିବ। କାରଣ ଅବଧି ସମାପ୍ତ ପରର ୭ ଦିନ ଭିତରେ ଆବେଦନକାରୀଙ୍କୁ ପଞ୍ଜୀକରଣ ନମ୍ୱର, ଆଇଡି ଓ ପାସଓ୍ୱାର୍ଡ ମିଳିବା କଥା। ଜଷ୍ଟିସ ମହେଶ ଚନ୍ଦ୍ର ତ୍ରିପାଠୀ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ୟୁପି ରେରା ପାଖରେ କେବଳ ଦୁଇଟି ବିକଳ୍ପ ଅଛି। ପ୍ରୋଜେକ୍ଟକୁ ପଞ୍ଜୀକରଣ ଲାଗି ଅନୁମତି ଦିଅନ୍ତୁ ନଚେତ୍ ଖାରଜ କରନ୍ତୁ। ନିର୍ଦ୍ଧାରିତ ଅବଧିରୁ ଅଧିକ ସମୟ ଲମ୍ୱିତ ରଖାଗଲେ, ଏହାକୁ ପଞ୍ଜୀକରଣ ଅନୁମୋଦିତ ବୋଲି ଧରାଯିବ। ପ୍ରମୋଟର ଯେଉଁ ପ୍ରୋଜେକ୍ଟ ଲାଗି ଅନୁମତି ଲୋଡ଼ିଛନ୍ତି, ପଞ୍ଜୀକରଣ ବେଳକୁ ତାହା ଯେମିତି ସମସ୍ତ ବାଧାବିଘ୍ନରୁ ମୁକ୍ତ ହୋଇଥିବା ଜରୁରୀ। କହିବାକୁ ଗଲେ କୌଣସି ଅଳିଆ କି ଅଡୁଆ ନଥିବ। ପ୍ରକଳ୍ପ ପ୍ରାଧିକରଣ ଓ୍ୱେବସାଇଟରେ ପାରଦର୍ଶୀତାର ସହ ଏହାକୁ ପ୍ରମୋଟର ଦେଖାଇବା ବି ଜରୁରୀ। ଯେଉଁ ଜମି ଉପରେ ପ୍ରୋଜେକ୍ଟ ହେଉଛି, ତାହାର ମାଲିକାନାସତ୍ତ୍ୱରେ କୌଣସି ବିଭ୍ରାଟ ନଥିବ। ସେ ପାଓ୍ୱାର ଅଫ ଆଟର୍ଣ୍ଣି ହେଉ ଅବା ସେୟାରିଂରେ ହେଉ। ହାଇକୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ, ଯଦିବା କାହାର ଜମିକୁ ନେଇ ସେୟାରିଂରେ ହେଉ ଅବା ପାଓ୍ୱାର ଅଫ ଆଟର୍ଣ୍ଣି ବଳରେ କୌଣସି ବ୍ୟକ୍ତି ପ୍ରୋଜେକ୍ଟ କରି ତାକୁ ବିକୁଥାଏ। ସେ ହିଁ ପ୍ରମୋଟର। କେବଳ ଦେଖିବାର କଥା, ଜମି ମାଲିକ ଓ ଡେଭଲପରଙ୍କ ଭିତରେ ବୈଧ ବୁଝାମଣା ହେବା ଜରୁରୀ। ସେଥିଲାଗି ଏଲଆଣ୍ଡଟି କମ୍ପାନୀ ଜେଆଇଏଲ ବା ଜେପି ଇନଫ୍ରାଟେକ୍‌ ଲିମିଟେଡ ସହ ଚୁକ୍ତି କରିଛି। ପ୍ରମୋଟର ଭାବେ କାହିଁକି ଦର୍ଶାଇବ। ଏହାକୁ କିନ୍ତୁ ୟୁପି ରେରା ଆପତ୍ତି ଉଠାଇବା ଜରୁରୀ ନଥିଲା। ଏପରିକି ଜେଆଇଏଲକୁ କୋ-ପ୍ରମୋଟର ଭାବେ କମ୍ପାନୀ ଦର୍ଶାଉ ବୋଲି ରେରା ଯୁକ୍ତିକୁ ଖାରଜ କରିଦେଇଥିଲେ ହାଇକୋର୍ଟ। ରେରା ବି ଅନାବଶ୍ୟକ ଭାବେ ସେ ସବୁ ଦସ୍ତାବିଜ୍ ମାଗିପାରିବେନି। କି କିଏ ପ୍ରକୃତ ଜମି ମାଲିକ ଓ କିଏ ଜମିକୁ ନେଇ ପ୍ରୋଜେକ୍ଟ କରୁଛି। ଏହା ରେରା ଅଧିନିୟମରେ ଜରୁରୀ ବୋଲି କେଉଁଠି ବି ଉଲ୍ଲେଖ ନାହିଁ। ସୁପ୍ରିମକୋର୍ଟଙ୍କ ନଜିର ଦେଇ କହିଥିଲେ ଯେ, ଯଦିଓ ସାର୍ବଜନୀକ ପଦାଧିକାରୀଙ୍କ ଲାଗି ସମୟସୀମା ନିର୍ଦ୍ଧାରିତ କରାଯାଇଛି। କିନ୍ତୁ ସମସ୍ତେ ଗାଇଡଲାଇନ ଭିତରେ କାମ କରିବା ଜରୁରୀ। ଆବେଦନକୁ ଅନୁମତି ଦିଅ ନଚେତ ରଦ୍ଦ କର। କିନ୍ତୁ ଅନାବଶ୍ୟକ ଭାବେ ପାଖରେ ପକାଇ ରଖିବା କେତେଦୂର ଉଚିତ୍ ବୋଲି ପଚାରିଛନ୍ତି ହାଇକୋର୍ଟ। ଜେଆଇଏଲକୁ ପ୍ରମୋଟର ଭାବେ ନ ଯୋଡ଼ିବାକୁ ଆଧାର ଦର୍ଶାଇ ଆବେଦନକୁ ଖାରଜ କରିପାରିଥାଆନ୍ତେ ରେରା କୋର୍ଟ। କିନ୍ତୁ କୌଣସି କ୍ଷେତ୍ରରେ ଏହାକୁ ଲମ୍ୱିତ କରାଯାଇପାରିବନି। ୟୁପି ରେରାର ଏଭଳି କାମ ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ହାଇକୋର୍ଟ। ଯଦିଓ ୟୁପି ରେରା ବିରୁଦ୍ଧରେ କୌଣସି ପ୍ରତିକୂଳ ଟିପ୍ପଣୀ ରଖିବାକୁ ମନା କରିଛନ୍ତି କୋର୍ଟ। କିନ୍ତୁ ଏହା ବି କହିଛନ୍ତି, ଏଲଆଣ୍ଡଟି ବା ଲାର୍ସନ ଆଣ୍ଡ ଟର୍ବୋ ଲିମିଟେଡର ଆବେଦନକୁ ଖାରଜ କରିଦେବା ରେରାର ଅଧିକାର ପରିସରଭୁକ୍ତ ନୁହେଁ। ଆଉ ନୋଏଡାର ସେକ୍ଟର ୧୨୮ରେ ଥିବା ଏଲଆଣ୍ଡଟିର ଗ୍ରୀନ ରିଜର୍ଭ ପ୍ରୋଜେକ୍ଟର ଆପାର୍ଟମେଣ୍ଟ କିଣାବିକାକୁ ଗ୍ରୀନ ସିଗନାଲ ଦେଇଛନ୍ତି ହାଇକୋର୍ଟ। ମେ ୮ରେ ରେରା ଆକ୍ଟର ସେକ୍ସନ ୩କୁ ଉଲ୍ଲଂଘନ କରୁଥିବାର ଅଭିଯୋଗରେ କମ୍ପାନୀକୁ ରେରା ନୋଟିସ୍ କରିଥିଲା। ରେରା ଦର୍ଶାଇଥିଲେ ଯେ, ଗୋଟିଏ ପ୍ରାଇଭେଟ୍ ଏଜେନ୍ସିକୁ ଗ୍ରୀନ୍ ରିଜର୍ଭ ପ୍ରୋଜେକ୍ଟ ପାଇଁ ନିଜ ଓ୍ୱେବସାଇଟରେ ବିଜ୍ଞାପିତ କରୁଛି ଏଲ ଆଣ୍ଡ ଟି। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲା କମ୍ପାନୀ। ଆଉ ଯୁକ୍ତି ରଖିଥିଲା ଯେ, ପ୍ରୋଜେକ୍ଟ ଆପଣାଛାଏଁ ପଞ୍ଜୀକରଣ ହେବା ଉଚିତ୍। କାରଣ ତାଙ୍କ ଆବେଦନର ୩୦ ଦିନର ମହଲତ ପୁରିଗଲାଣି। କିନ୍ତୁ ରେରା ପକ୍ଷରୁ କୌଣସି ଉତ୍ତର ଆସିଲାନି। ଜୁଲାଇ ୨୦୧୭ରେ ୪୮୭କୋଟି ଟଙ୍କାରେ ଏଲ୍‌ ଆଣ୍ଡ ଟି କନଷ୍ଟ୍ରକସନ ଲାଗି ଅଧିକାର ପାଇଥିଲା। ଗ୍ରୀନ୍ ରିଜର୍ଭ ପ୍ରୋଜେକ୍ଟର ୪ଟି ଟାଓ୍ୱାର ନିର୍ମାଣ ଲାଗି ଜେଆଇଏଲ ସହ ଏଗ୍ରିମେଣ୍ଟ ବି ହୋଇଥିଲା। ଜୁନ୍ ୨, ୨୦୨୩ରେ ଟାଓ୍ୱାର ୧ ଓ ୨ ପାଇଁ ରେରା ରେଜିଷ୍ଟ୍ରେସନ ଲାଗି ଆବେଦନ କରିଥିଲା। ଟେକ୍ନିକାଲ ଇସ୍ୟୁ ଦର୍ଶାଇ ଜୁଲାଇ ୬ରେ ଏହାକୁ ଖାରଜ କରିଦେଇଥିଲେ ରେରା କୋର୍ଟ। ଜେଆଇଏଲକୁ ପ୍ରମୋଟର ଦର୍ଶାଅ। ଯେହେତୁ ଜମି ଜେଆଇଏଲର। କିନ୍ତୁ ଏଲ ଆଣ୍ଡ ଟି କହିଥିଲା, ପ୍ରୋଜେକ୍ଟ ଡେଭେଲପ କରିବାକୁ ସେ ଜେଆଇଏଲଠୁ ପାଓ୍ୱାର ଅଫ ଆଟର୍ଣ୍ଣି ଆଣିଛି। ଅଗଷ୍ଟ ୨୩ରେ ଟାଓ୍ୱାର ୩ ଓ ୪ ଲାଗି ତୃତୀୟ ରେଜିଷ୍ଟ୍ରେସନ ଆବେଦନ କରିଥିଲା ରେରାରେ। କିନ୍ତୁ ସେପ୍ଟେମ୍ୱରରେ ଦୁଇଟି ନୋଟିସ ଜାରି କରି ରେରା ସ୍ପଷ୍ଟିକରଣ ମାଗିଥିଲେ ଯେ, ଜେଆଇଏଲକୁ କାହିଁକି ପ୍ରମୋଟର ଭାବେ ଦର୍ଶାଯାଉନି। ଜେଆଇଏଲର ଭୂମିକା ଏଠାରେ ସୀମିତ। କାରଣ ଘର କ୍ରେତାଙ୍କ ସହ ସବ୍‌ ଲିଜ୍- ଡିଡ୍ କରିପାରିବନି ଜେଆଇଏଲ। ଆଉ ସବୁ ପକ୍ଷକୁ ଶୁଣିବା ପରେ ଏଲ୍ ଆଣ୍ଡ ଟିକୁ ତୁରନ୍ତ ରେଜିଷ୍ଟ୍ରେସନ ନମ୍ୱର ଓ ଅନ୍ୟାନ୍ୟ ଆଇଡି ପାସଓ୍ୱାର୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button