ପୂଜା ବଜାରରେ ଧମାଲ୍ କରିବ ୫ ଓଡ଼ିଆ ସିନେମା, କଞ୍ଚାଲଙ୍କାରେ ରିଲିଜ୍ ହେଲା ‘ଗୁଡ୍ଡୁ ଗ୍ୟାଙ୍ଗ୍ଷ୍ଟର

ଭୁବନେଶ୍ୱର: ଚଳିତ ବର୍ଷ ପୂଜାରେ ଏକାଥରକେ ୪ଟି ଓଡ଼ିଆ ସିନେମା ମୁକ୍ତିଲାଭ କରିବାକୁ ଯାଉଛି। ଆସନ୍ତା ୯ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ‘କର୍ମ’, ‘ଖୋକାଭାଇ’, ‘ଭିଲେନ୍’ ଏବଂ ଦୁର୍ଗା’। ସେହିପରି ୪ ତାରିଖରେ ‘ସନମ୍ ତୁ ସୁହାନା’ ପ୍ରଥମେ ପୁରୀରେ ଏବଂ ପରେ ରାଜ୍ୟର ଅନ୍ୟ ହଲ୍ଗୁଡ଼ିକରେ ମୁକ୍ତିଲାଭ କରିବ।
ତେବେ ସିନେମାଗୁଡ଼ିକ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ ବୋଲି ସିନେମାର ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକମାନେ ଆଶା ରଖିଥିବାବେଳେ ସିନେମାଗୁଡ଼ିକର ଟ୍ରେଲର୍, ପୋଷ୍ଟର ଓ ଗୀତଗୁଡ଼ିକ ସାମାଜିକ ଗଣମାଧ୍ୟମରେ ବେଶ୍ ପ୍ରଶଂସା ସାଉଁଟିଛି।
ଗୋଟିଏ ଟିକଟ୍ରେ ଆଉ ଗୋଟିଏ ମାଗଣା
ଆସନ୍ତା ୪ ତାରିଖରେ ରିଲିଜ୍ ହେବ ଓଡ଼ିଆ ସିନେମା ‘ସନମ୍ ତୁ ସୁହାନା’। ଏହି ଅବସରରେ ଆସନ୍ତା ୪ରୁ ୬ ତାରିଖ ପର୍ଯ୍ୟନ୍ତ ସ୍ପିନ୍ ଅଫର ଘୋଷଣା କରିଛନ୍ତି ପ୍ରଯୋଜକ ବିନି ପଟ୍ଟନାୟକ। ସେହିପରି କର୍ମ, ଭିଲେନ୍, ଖୋକାଭାଇ ତୁମ ପାଇଁ ଓ ଦୁର୍ଗା ସିନେମାକୁ ମଧ୍ୟ ସେ ନିଜ ଫିଲ୍ମ ମାଧ୍ୟମରେ ପ୍ରମୋସନ କରୁଛନ୍ତି। ତେବେ ଆଗାମୀ ୪ରୁ ୬ ତାରିଖ ଭିତରେ ଯେଉଁ ଦର୍ଶକ ‘ସନମ ତୁ ସୁହାନା’ ସିନେମାର ଟିକଟ କାଟି ଦେଖିବାକୁ ଆସିବେ ସେମାନେ ଏକ ସ୍ପିନ୍ ଗେମ୍ ଖେଳିବାର ସୁଯୋଗ ପାଇବେ। ଏହି ସ୍ପିନର୍ ତଥା ଚକ୍ର ଘୂରାଇବା ଫଳରେ ଯେଉଁ ଫିଲ୍ମରେ ତୀର ଚିହ୍ନ ଅଟକିବ ସେହି ଫିଲ୍ମର ଟିକଟ ମାଗଣା ମିଳିବ ବୋଲି ପ୍ରଯୋଜକ କହିଛନ୍ତି। ଏଥିପାଇଁ କୌଣସି ଲିମିଟ୍ ନ ଥିବାବେଳେ ଗୋଟିଏ ଟିକଟ ପିଛା ଅନ୍ୟ ଗୋଟିଏ ଟିକଟର ବମ୍ପର ଅଫର ବୋଲି ସେ କହିଛନ୍ତି। ଏହାଦ୍ୱାରା ଦର୍ଶକମାନେ ତାଙ୍କ ଫିଲ୍ମ ସହ ଅନ୍ୟ ଫିଲ୍ମ ଦେଖିବାର ସୁଯୋଗ ପାଇବେ ତା’ ସହ ଓଡ଼ିଆ ଫିଲ୍ମର ଲଢ଼େଇ ନୁହଁ ବରଂ ଚଳିତ ବର୍ଷ ଦଶହରାରେ ଭାଇଚାରା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।