‘କିସ୍ ଭଲିବଲ୍ କ୍ରୀଡ଼ା ମହୋତ୍ସବ’ ଉଦଘାଟିତ, ଭାଗ ନେଇଛନ୍ତି ୫ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର : କିସର ଦୂତୀ ଚାନ୍ଦ ଆଥଲେଟିକ ଷ୍ଟାଡିୟମରେ ‘କିସ୍ ଭଲିବଲ୍ କ୍ରୀଡ଼ା ମହୋତ୍ସବ’ ଉଦଘାଟିତ। FIVB ସଭାପତି ଡ.ଆରି ଗ୍ରାସା ମହୋତ୍ସବକୁ ଉଦଘାଟନ କରିଛନ୍ତି। ବିଶ୍ୱର ଏହି ସର୍ବବୃହତ ଭଲିବଲ୍ କ୍ରୀଡ଼ା ପ୍ରତିଯୋଗିତାରେ ସାରା ଦେଶରୁ ୫ହଜାର ଛାତ୍ରଛାତ୍ରୀ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଉପସ୍ଥିତ ଅଛନ୍ତି ୪୦ ହଜାର ଦର୍ଶକ ।
ଏହା ସବୁଠାରୁ ବଡ଼ ଭଲିବଲ୍ କ୍ରୀଡ଼ା ମହୋତ୍ସବ ହୋଇଥିବାରୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବ। କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଡକ୍ଟର ଗ୍ରାସାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ପୁରସ୍କାର ପ୍ରଦାନ ସହ ନାଗରିକ ସମ୍ବର୍ଦ୍ଧନା ଦିଆଯିବ। ଏହି ଅବସରରେ କିଟ୍ ଓ କିସରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ବିଶ୍ୱର ବିଭିନ୍ନ ଦେଶର ବିଭିନ୍ନ କ୍ରୀଡ଼ା ସଂଘମାନ ରହିଛି। ଭାରତରେ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା ୫୬ଟି ବିଭିନ୍ନ କ୍ରୀଡ଼ା ସଂଗଠନ ରହିଛି। ଭଲିବଲ୍ର ଆନ୍ତର୍ଜାତିକ ସଂଘ ହେଉଛି ଏଫ୍ଆଇଭିବି । ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ସଂଘ । ଏଥିରେ ମୋଟ ୨୨୨ଟି ଦେଶ ସଦସ୍ୟ ରହିଛନ୍ତି । ୮୧ ବର୍ଷ ବୟସ୍କ ଡକ୍ଟର ଗ୍ରାସା ହେଉଛନ୍ତି ବ୍ରାଜିଲର ବାସିନ୍ଦା । ସେ ଦୀର୍ଘ ୧୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏଫ୍ଆଇଭିବି’ର ସଭାପତି ରହିଆସିଛନ୍ତି। କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ସଂଘର ସଭାପତି ଥିବାବେଳେ ସୁଇଜରଲାଣ୍ଡ ଗସ୍ତ କରି ଭାରତ ତଥା ଓଡ଼ିଶାରେ ଭଲିବଲର ବିକାଶ ନିମନ୍ତେ ବ୍ୟାପକ ପଦକ୍ଷେପ ନେବା ସହ ଭାରତରେ ଭଲିବଲ୍ର ପ୍ରସାର ନିମନ୍ତେ ଏଫ୍ଆଇଭିବି ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ।
ସେହି ସମୟରୁ ଡକ୍ଟର ଗ୍ରାସାଙ୍କ ସହ ଡକ୍ଚର ଅଚ୍ୟୁତ ସାମନ୍ତଙ୍କର ନିବିଡ଼ ସମ୍ପର୍କ ରହିଆସିଛି । ଡକ୍ଟର ଗ୍ରାସା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ମଧ୍ୟ ବେଶ ଭଲ ପାଆନ୍ତି । ଏହି ଭଲ ପାଇବାର ନିଦର୍ଶନ ସ୍ୱରୂପ ଡକ୍ଟର ଗ୍ରାସା ପ୍ରଥମ ଥର ପାଇଁ ସୁଇଜରଲାଣ୍ଡରୁ ଭାରତକୁ ସସ୍ତ୍ରୀକଙ୍କ ସହିତ ଆସିଛନ୍ତି । ସେ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି । ଏପରିକି କିଟ୍ ଓ କିସ୍ ପାଇଁ ହିଁ ଓଡ଼ିଶା ଆସିଛନ୍ତି। ଭୁବନେଶ୍ୱରରେ ତାଙ୍କର ୪ ଦିନ ରହଣି ମଧ୍ୟରେ ବିଶ୍ୱର ସର୍ବବୃହତ ଭଲିବଲ୍ କ୍ରୀଡ଼ା ପ୍ରତିଯୋଗିତା ‘କିସ୍ ଭଲିବଲ୍ କ୍ରୀଡ଼ା ମହୋତ୍ସବ’ରେ ସେ ଯୋଗଦେଇଛନ୍ତି ।