ରାଜ୍ୟ

ପୁଣି ଦିନ ଦିପହରେ ଝାମ୍ପିନେଲେ: ଲୁଟେରାଙ୍କ ବାଇକ୍‌ରେ ‘ପ୍ରେସ୍‌’ ଷ୍ଟିକର୍‌

ଭୁବନେଶ୍ବର: ରାଜଧାନୀରେ ପୁଣି ଦିନ ଦିପହରରେ ଲୁଟ୍ ଘଟିଛି। ଆଜି ଅପରାହ୍ଣରେ ଲୁଟେରାମାନେ ବ୍ୟାଙ୍କ୍ରୁ ଫେରୁଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଇଛନ୍ତି। ଲୁଟ୍ର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ପ୍ରଗତି ଏନ୍କ୍ଲେଭ୍ରେ ରହୁଥିବା ପ୍ରତିମା ବେହେରା। ଏକ କଳାରଙ୍ଗର ପଲସର୍ ୨୨୦ରେ ଥିବା ୨ ଦୁର୍ବୃତ୍ତ ପ୍ରତିମାଙ୍କ ହାତରୁ ୩ ଲକ୍ଷରୁ ଅଧିକ ଟଙ୍କା ଥିବା ବ୍ୟାଗ୍ ଝାମ୍ପିନେଇ ଫେରାର୍ ହୋଇଯାଇଛନ୍ତି।

ସେପ୍ଟେମ୍ବର ୧୨ ତାରିଖରେ ସମାନ ଧରଣର ଲୁଟ୍ ହୋଇଥିଲା ନୂଆପଲ୍ଲୀ ଥାନା ଅଞ୍ଚଳରେ। ବ୍ୟାଙ୍କ୍ରୁ ପାଖାପାଖି ୫ ଲକ୍ଷ ଟଙ୍କା ଧରି ଫେରୁଥିବା ଏକ କର୍ପୋରେଟ୍ ସଂସ୍ଥାର କର୍ମଚାରୀଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଥିଲେ। ସେହି ମାମଲାରେ ପୁଲିସ ଲୁଟେରାମାନଙ୍କୁ ଠାବ କରିପାରିନାହିଁ। ଆଜି ପୁଣି ଲୁଟେରାମାନେ କମିସନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେବା ଭଳି କାଣ୍ଡ ଭିଆଇଛନ୍ତି। ରାଜଧାନୀରେ ନୂଆ ସିପି ଓ ଡିସିପି ଦାୟିତ୍ବ ନେଉନେଉ ଲୁଟେରାମାନଙ୍କ ଏଭଳି କାଣ୍ଡ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପାର୍ବଣ ପାଇଁ ପୁଲିସ ଅପରାଧୀଙ୍କୁ ସାବାଡ଼ କରିବାକୁ ରାତି ଅନିଦ୍ରା ହୋଇ ବ୍ଲକିଂ ଚେକିଂ କରୁଥିବା ବେଳେ ଲୁଟେରାମାନେ ଦିନ ବେଳା ଖେଳ କରି ଛୁ’ ମାରୁଛନ୍ତି।

ପ୍ରତିମାଙ୍କ ଅଭିଯୋଗ ଅନୁସାରେ ଘର କାମ ପାଇଁ ଟଙ୍କା ଉଠାଇବାକୁ ସେ ସମ୍ପର୍କୀୟ ଭାଇଙ୍କ ସହ ବାଇକ୍ ଯୋଗେ ଚନ୍ଦ୍ରଶେଖରପୁର ଏସ୍ବିଆଇ ଶାଖାକୁ ଯାଇଥିଲେ। ସେମାନେ ୩ଲକ୍ଷରୁ ଅଧିକ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ସେମାନେ ଘର ପାଖାପାଖି ପହଞ୍ଚିଥିବା ବେଳେ ଏକ କଳାରଙ୍ଗର ପଲ୍ସର୍ ସେମାନଙ୍କୁ ଅତିକ୍ରମ କରିଥିଲା ଏବଂ ହଠାତ୍ ପଛକୁ ବୁଲାଇଦେଇଥିଲା। ସେମାନଙ୍କ ବେପରୁଆ ବାଇକ୍ ଚାଳନା ଦେଖି ପ୍ରତିମାଙ୍କ ସମ୍ପର୍କୀୟ ଭାଇ ତାଙ୍କ ବାଇକ୍ର ବେଗ କମାଇ ସାଇଡ୍ କରିଦେଇଥିଲେ। କିନ୍ତୁ ଏତିକିବେଳେ ପଲ୍ସର୍ ପଛରେ ବସିଥିବା ଦୁର୍ବୃତ୍ତ ପ୍ରତିମାଙ୍କ କାନ୍ଧରୁ ବ୍ୟାଗ୍ ଭିଡ଼ି ଦେଇଥିଲା। ଫଳରେ ପ୍ରତିମା ବାଇକ୍ରୁ ତଳକୁ ଖସି ପଡ଼ିଥିଲେ। ତଥାପି ସେ ବ୍ୟାଗ୍କୁ ଛାଡ଼ିନଥିଲେ। କିନ୍ତୁ ପଲ୍ସର୍ର ବେଗ ବଢ଼ିଯିବାରୁ ସେ କିଛି ବାଟ ଘୋଷାରି ହୋଇଯାଇଥିଲେ ଏବଂ ବ୍ୟାଗ୍ଟି ତାଙ୍କ ହାତରୁ ଖସିଯାଇଥିଲା। ଆଖିପିଛୁଳାକେ ଏହି ଘଟଣା ଘଟିଗଲା। କିଛି ଲୋକ ଏସବୁ ଦେଖୁଥିଲେ ବି ହଠାତ୍ କିଛି କରିପାରିନଥିଲେ। ପ୍ରତିମାଙ୍କ ସମ୍ପର୍କୀୟ ଭାଇ ବାଇକ୍ ବୁଲାଇ ଦୁର୍ବୃତ୍ତମାନଙ୍କୁ ପିଛା କଲା ବେଳକୁ ସେମାନେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଆହତ ଅବସ୍ଥାରେ ପ୍ରତିମାଙ୍କୁ ଉଦ୍ଧାର କରି ହସ୍ପିଟାଲ୍କୁ ନିଆଯାଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲା। ସ୍ଥାନୀୟ ଲୋକଙ୍କ କହିବା କଥା ପଲ୍ସର୍ ପଛରେ ପ୍ରେସ୍ ଷ୍ଟିକର୍ ଲାଗିଥିବା ସେମାନେ ଦେଖିଛନ୍ତି। ତେଣୁ ଲୁଟେରାମାନେ ପୁଲିସକୁ ଚକ୍ମା ଦେବାକୁ ବାଇକ୍ରେ ପ୍ରେସ୍ ଲେଖିଥିବା ସନ୍ଦେହ କରାଯାଉଛି। ପାର୍ବଣ ସମୟରେ ବାରମ୍ବାର ଏଭଳି ଛିନ୍ତାଇ ଘଟୁଥିବାରୁ ରାଜଧାନୀବାସୀଙ୍କ ଭିତରେ ଆତଙ୍କ ଖେଳିଯାଇଛି।

ଝାମ୍ପିନେଲେ ମହିଳାଙ୍କ ଚେନ୍
ସେହିଭଳି ଆଜି ସନ୍ଧ୍ୟାରେ ଖାରବେଳନଗର ଥାନା ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଛନ୍ତି ଲୁଟେରା। ମହିଳାଙ୍କ ପରିଚୟ ମିଳିପାରିନାହିଁ। ସେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଜନପଥରେ ଶ୍ରୀୟା ଟକିଜ୍ ଛକରେ ଥିବା ମେହେର ଶାଢ଼ି ସୋ’ ରୁମ୍ ନିକଟରେ ଏହି ଛିନ୍ତାଇ ଘଟିଛି। ପାର୍ବଣ ପାଇଁ କିଣାକିଣି କରିବାକୁ ମାର୍କେଟ୍ ଆସିଥିବା ମହିଳାଙ୍କୁ ପିଛା କରି ଲୁଟେରାମାନେ ଚେନ୍ ଟାଣି ନେଇଛନ୍ତି। ଭିଡ଼ର ସୁଯୋଗ ନେଇ ଲୁଟେରାମାନେ ମହିଳାଙ୍କୁ ଟାର୍ଗେଟ୍ କରିଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button