ରାଜ୍ୟ

ଦିନେ ଏଇଠି ଆମ ସ୍କୁଲ ଥିଲା

ଦୀର୍ଘ ଦଶ ବର୍ଷ ଧରି ଓଡ଼ିଶାରେ ପ୍ରାୟ ୮ ହଜାର ସ୍କୁଲ ବନ୍ଦ ହୋଇଯାଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ଲୋକେ ତା’ର କବାଟ ଝରକା ପର୍ଯ୍ୟନ୍ତ ଖୋଲି ନେବାକୁ ପଛାଇ ନାହାନ୍ତି। ଫଳରେ କେତେକ ସ୍ଥାନରେ ତାହା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଲାଣି। କେଉଁଠି ପୁଣି ତାହା ଅସାମାଜିକ କାର୍ଯ୍ୟକଳାପର ଆଡ଼ା ପାଲଟିଲାଣି।

‘ଆହେ ଦୟାମୟ ବିଶ୍ୱବିହାରୀ ପ୍ରାର୍ଥନା’ର ସ୍ମୃତି ରୋମନ୍ଥନ କରିବା ଓ ‘ଦିନେ ଏଇଠି ଆମ ସ୍କୁଲ ଥିଲା’ ବୋଲି ବିଳାପ କରିବା ଭିନ୍ନ ଅସହାୟ ପୁରାତନ ଛାତ୍ର ଓ ସ୍କୁଲ ସହ ଆବେଗିକ ସ୍ତରରେ ସଂଶ୍ଳିଷ୍ଟ କିଛି ଲୋକ ସେମାନଙ୍କ ସ୍କୁଲ ଫେରିପାଇବା ଲାଗି କରଣୀୟ କ’ଣ ତାହା ଯେମିତି ସେମାନେ ବୁଝିପାରୁନାହାନ୍ତି। କାରଣ ମାମଲା ଏବେ ବିଚାରାଧୀନ ଓ ହାଇକୋର୍ଟଙ୍କ ନିଷ୍ପତ୍ତି ଅପେକ୍ଷାରେ ସମସ୍ତେ। ତଥାପି ରାଜ୍ୟରେ ନୂତନ ସରକାର ଦାୟିତ୍ୱଗ୍ରହଣ କରିବା ପରେ ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନଃସମୀକ୍ଷା ହେବା କଥା ବାରମ୍ୱାର ଶୁଣିବାକୁ ମିଳୁଛି। ଏହାଦ୍ୱାରା ବନ୍ଦ ସ୍କୁଲଗୁଡ଼ିକ ଖୋଲିବାର ବାଟ ସୁଗମ ହୋଇପାରେ। ଏ କଥା ସତ ଯେ ପୂର୍ବ ସରକାରଙ୍କ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ସେତେବେଳେ ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଆସୁଥିଲେ। ତେବେ ଉଭୟ ‘ନିତି ଆୟୋଗ’ ଓ କେନ୍ଦ୍ର ସରକାର ଯୌକ୍ତିକତା ଆଧାରରେ ସ୍କୁଲ ବନ୍ଦ ନିଷ୍ପତ୍ତିର ସପକ୍ଷରେ ଥିବାରୁ ଓଡ଼ିଶାରେ ବନ୍ଦ ସ୍କୁଲଗୁଡ଼ିକୁ ଖୋଲିବାରେ କେତେଦୂର ସଫଳତା ହାସଲ ହେବ, ତାହା କହିହେବ ନାହିଁ।

ଓଡ଼ିଶାରେ ସ୍କୁଲ ବନ୍ଦ ଓ ସ୍କୁଲ ମିଶ୍ରଣ ପ୍ରକ୍ରିୟା ୨୦୧୪ ମସିହାରୁ ଆରମ୍ଭ ହେଲାଣି। ଉଲ୍ଲେଖଯୋଗ୍ୟ, ‘ନିତି ଆୟୋଗ’ ଦ୍ୱାରା ସରକାରୀ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ରୂପାନ୍ତରଣ ପାଇଁ ୨୦୧୭ ମସିହାରେ ସଷ୍ଟେନେବଲ୍ ଆକ୍ସନ୍ ଫର୍ ଟ୍ରାନ୍ସଫର୍ମିଂ ହ୍ୟୁମାନ୍ କ୍ୟାପିଟାଲ୍-ଏଜୁକେସନ୍ (ସାଥ୍-ଇ) ନାମକ ଏକ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ଓଡ଼ିଶା, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ଭଳି ତିନିଟି ରାଜ୍ୟକୁ ଆଦର୍ଶ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହେଲା। ଏହି କାର୍ଯ୍ୟକ୍ରମ ଅନୁଯାୟୀ, ଅତି କମ୍ ସଂଖ୍ୟକ ଛାତ୍ର ଥିବା ସ୍କୁଲଗୁଡ଼ିକୁ ବନ୍ଦ କରି ତା’କୁ ନିକଟସ୍ଥ ଅନ୍ୟ ଏକ ସ୍କୁଲ ସହ ମିଶାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ତା’ର ଯଥେଷ୍ଟ ପୂର୍ବରୁ ଓଡ଼ିଶାରେ ଭିନ୍ନ ଭାବେ ସେହି ଯୋଜନାର ଶୁଭାରମ୍ଭ ହୋଇସାରିଥିଲା। ଏଠାରେ ଲକ୍ଷ୍ୟ କରିବାର କଥା, ‘ନିତି ଆୟୋଗ’ ପ୍ରଥମ ଦଫାରେ ଯେଉଁ ତିନିଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ସ୍ଥିର କଲେ, ଅନ୍ୟ ଅନେକ ରାଜ୍ୟ ତୁଳନାରେ ସେହି ତିନିଟି ରାଜ୍ୟରେ ଅଧିକ ସଂଖ୍ୟକ ଆଦିବାସୀ ବସବାସ କରିଥା’ନ୍ତି। ଆଦିବାସୀ ଅଧ୍ୟୁଷିତ ଗାଁଗୁଡ଼ିକ ବିକ୍ଷିପ୍ତ ହୋଇ ରହିଥିବା ବେଳେ ସେଗୁଡ଼ିକର ଜନସଂଖ୍ୟା ଯଥେଷ୍ଟ କମ୍। ଏପରି ସ୍ଥଳେ ସେଠାକାର ସ୍କୁଲଗୁଡ଼ିକରେ ଅଧିକ ସଂଖ୍ୟକ ପିଲା ନାମ ଲେଖାଇବା ସମ୍ଭବ କି? ତେଣୁ କମ୍ ଛାତ୍ର ନାମ ଲେଖାଉଥିବାକୁ ଆଳ କରି ସ୍କୁଲ ବନ୍ଦ ବା ମିଶ୍ରଣର ନିଷ୍ପତ୍ତି ମୂଳତଃ ଆଦିବାସୀ ସ୍ୱାର୍ଥବିରୋଧୀ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଉଦାହରଣ ସ୍ୱରୂପ, ଓଡ଼ିଶାରେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକ ଭିତରୁ ଅଧିକାଂଶ ଆଦିବାସୀବହୁଳ ଜିଲ୍ଲାଗୁଡ଼ିକରେ ଥିବା ଜଣାପଡ଼େ।

ରାଜ୍ୟରେ ସ୍କୁଲ ବନ୍ଦ ଓ ସମ୍ମିଶ୍ରଣକୁ ନେଇ ପ୍ରସ୍ତୁତ ଏକ ସ୍କୁଲ ଯୌକ୍ତିକତା ନୀତି (ରାସନାଲାଇଜେସନ୍ ପଲିସି) ଓପେପା ଦ୍ୱାରା ୨୩ ମେ’ ୨୦୧୮ ମସିହାରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ସୂଚିତ କରାଯାଇଥିଲା। ତଦନୁଯାୟୀ, କୌଣସି ସ୍କୁଲରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଛାତ୍ରରୁ କମ୍ ଥିଲେ ସେହି ସ୍କୁଲକୁ ନିକଟସ୍ଥ ସ୍କୁଲରେ ମିଶାଇଦେବା ଲାଗି ସ୍ଥିରହେଲା। ତେବେ ସ୍କୁଲ ସମ୍ମିଶ୍ରଣ ସମୟରେ ଶିକ୍ଷା ଅଧିକାରରେ ଉଲ୍ଲିଖିତ ଦୂରତା ନିୟମକୁ ବିଚାରକୁ ନିଆଯିବା ସହିତ ସ୍କୁଲର ଭୌଗୋଳିକ ସ୍ଥିତି, ପ୍ରାକୃତିକ ବାଧକ ଓ ଅନ୍ୟାନ୍ୟ ଦିଗଗୁଡ଼ିକୁ ମଧ୍ୟ ବିବେଚନା କରାଯିବା ଆବଶ୍ୟକ ବୋଲି ସେଥିରେ ଉଲ୍ଲେଖ ଥିଲା। ପ୍ରାକୃତିକ ବାଧକ ଓ ମନୁଷ୍ୟକୃତ ବାଧକ କହିଲେ ନଈ, ନାଳ, ପର୍ବତ, ଜାତୀୟ ଓ ରାଜ୍ୟ ରାଜପଥ, ରେଳ ଲାଇନ୍ ଆଦିକୁ ବୁଝାଏ। ଏ କ୍ଷେତ୍ରରେ କୌଣସି ସ୍କୁଲରେ ଛାତ୍ରସଂଖ୍ୟା ଆବଶ୍ୟକ ସଂଖ୍ୟାଠାରୁ କମ୍ ହେଲେ ବି ସେହି ସ୍କୁଲକୁ ସମ୍ମିଶ୍ରଣ ପ୍ରକ୍ରିୟାରୁ ବାଦ ଦିଆଯାଇପାରେ। ଏ ସଂକ୍ରାନ୍ତରେ ଅନ୍ୟ ଏକ ସୁବିସ୍ତୃତ ଯୌକ୍ତିକତା ନୀତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ୭ ମାର୍ଚ୍ଚ ୨୦୨୦ରେ ଜାରି ହୋଇଥିଲା। ଏହା ସତ୍ତ୍ୱେ କେତେକ କ୍ଷେତ୍ରରେ ସମ୍ମିଶ୍ରଣ ନୀତିର ଯନ୍ତ୍ରବତ୍ ଅନୁସରଣ ପୂର୍ବକ ପ୍ରାକୃତିକ ଓ ଅନ୍ୟାନ୍ୟ ବାଧକକୁ ଅଣଦେଖା କରି ସ୍କୁଲକୁ ବନ୍ଦ କରି ଅନ୍ୟ ସ୍କୁଲରେ ମିଶାଇ ଦିଆଗଲା। ଏଠାରେ ବରଗଡ଼ ଜିଲ୍ଲାର ରାମଖୋଲ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିର ବିଶେଷ ଉଲ୍ଲେଖ କରାଯାଇପାରେ। ଏହି ସ୍କୁଲ ବନ୍ଦ ହେବା ପରେ ସେହି ସ୍କୁଲର ୬ରୁ ୧୦ ବର୍ଷର ସାନ ସାନ ପିଲାଙ୍କୁ ଭୟଙ୍କର ଜଙ୍ଗଲୀ ହାତୀ ଓ ବାର୍ହା ଥିବା ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ୨ କିଲୋମିଟର ରାସ୍ତା ଚାଲି ଚାଲି ଯିବାକୁ ପଡୁଥିଲା। କାରଣ ସେହି ରାସ୍ତାରେ ମଟର ସାଇକେଲ୍ ଭିନ୍ନ ଅନ୍ୟ କୌଣସି ଗାଡ଼ି ଚଳାଚଳ କରିପାରୁ ନ ଥିଲା। ଏ ଭଳି ସମସ୍ୟା ଥିବା ସ୍କୁଲଗୁଡ଼ିକୁ ପୁଣି ଖୋଲିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ବି ସେହିଭଳି କେତେ ସ୍କୁଲ ଖୋଲିପାରିଥିଲା, ତାହାର ତଥ୍ୟ ସର୍ବସାଧରଣରେ ଉପଲବ୍ଧ ନାହିଁ। କୌଣସି ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ଯୋଗୁଁ ସେଠାକାର ଜନଜୀବନ ଉପରେ ସୁଦୂରପ୍ରସାରୀ ପ୍ରଭାବ ପଡୁଥିବାରୁ ସେଭଳି ନିଷ୍ପତ୍ତି ଗ୍ରହଣ ପୂର୍ବରୁ ତାହା ପଲ୍ଲୀସଭା, ଗ୍ରାମସଭା, ଗ୍ରାମ ପଞ୍ଚାୟତର ସହମତି ଓ ଅନୁମୋଦନ କ୍ରମେ ହେବା ଉଚିତ। ମାତ୍ର ଅଧିକାଂଶ କ୍ଷେତ୍ରରେ ତାହାର ଅନୁପାଳନ ହୋଇନାହିଁ।

ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାର ବାଧ୍ୟବାଧକତା ଅନେକ ପରିବାରକୁ ଋଣଗ୍ରସ୍ତ କରୁଛି। ପ୍ରାୟ ୬ ବର୍ଷ ତଳେ ୨୦୧୮ ମସିହାରେ ‘ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଓ ଅଧିକାର କମିସନ୍’ଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ ସ୍କୁଲ ବନ୍ଦ ହେବା ପରେ ଏହିପରି ଅନେକ ପିଲା ସ୍କୁଲ ଆସୁନାହାନ୍ତି ଓ ପାଠପଢ଼ା ଛାଡ଼ି ଦେଇଛନ୍ତି। ଏହିପରି କୌଣସି ପିଲା ଯେପରି ମଝିରୁ ପାଠପଢ଼ା ଛାଡ଼ି ନ ଦିଏ, ସେଥିପ୍ରତି ଧ୍ୟାନ ଦେବାପାଇଁ ଏହି କାର୍ଯ୍ୟକ୍ରମରେ ବିଶେଷ ଉଲ୍ଲେଖ ରହିଛି। ଏହା ସତ୍ତ୍ୱେ ଯଦି ଏହିପରି ଗୋଟିଏ ପିଲା ବି ମଝିରୁ ପାଠ ଛାଡ଼ି ଦେଇଥାଏ, ତେବେ ତାହା ସରକାରୀ ନିଷ୍ପତ୍ତି କାରଣରୁ ହୋଇଥିବାରୁ ତାହା ଅପରାଧ ଶ୍ରେଣୀଭୁକ୍ତ ବୋଲି ବିବେଚନା ହେବା ଉଚିତ ନୁହେଁ କି? ତେଣୁ ବାସ୍ତବ ସ୍ଥିତି ପରଖିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଭାବେ ତୁରନ୍ତ ଏ ନେଇ ଅଧ୍ୟୟନ ହେବାର ଆବଶ୍ୟକତା ରହିଛି। ସେହିଭଳି ପିଲା ଚିହ୍ନଟ ହୋଇପାରିଲେ ସେମାନଙ୍କୁ ଶିକ୍ଷାଦାନରେ ବିଶେଷ ସହାୟତା ଯୋଗାଇ ଦେଇ ସେମାନଙ୍କୁ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ି ରଖିବାର ପ୍ରୟାସ କରାଯାଇପାରନ୍ତା।

ଉନ୍ନତ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଲାଗି ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ବାସ୍ତବ ପକ୍ଷେ ବନ୍ଦ ସ୍କୁଲର ଛାତ୍ରଛାତ୍ରୀମାନେ କିଭଳି ଉପକୃତ ହୋଇଛନ୍ତି ବା ହୋଇନାହାନ୍ତି ସେନେଇ ନିକଟରେ ବିଧିବଦ୍ଧ ଭାବେ ହୋଇଥିବା କୌଣସି ସରକାରୀ ଅଧ୍ୟୟନର ରିପୋର୍ଟ ଅନ୍ତତଃ ସର୍ବସମକ୍ଷରେ ଉପଲବ୍ଧ ନାହିଁ। ଉଦାହରଣ ସ୍ୱରୂପ, ସ୍କୁଲଟିଏ ବନ୍ଦ ବା ମିଶ୍ରଣ ହେଉଥିବା ବେଳେ ସେହି ସ୍କୁଲରେ ପଢୁଥିବା ପିଲାମାନଙ୍କୁ ନିକଟବର୍ତ୍ତୀ ସ୍କୁଲରେ ନାମ ଲେଖାଇ ସେଠାରେ ପଢ଼ାଇବାର ଲକ୍ଷ୍ୟ ରଖାଯାଇଥିଲା। ପ୍ରଶ୍ନ ଉଠୁଛି, ଏହିପରି ବନ୍ଦ ହୋଇଥିବା ସ୍କୁଲର ଛାତ୍ରମାନଙ୍କର ବର୍ତ୍ତମାନର ସ୍ଥିତି କ’ଣ? ଅର୍ଥାତ୍, ବନ୍ଦ ସ୍କୁଲର ଛାତ୍ରମାନଙ୍କ ମଧ୍ୟରୁ ନୂଆ ସ୍କୁଲରେ ନାମ ଲେଖାଇଥିବା କେତେଜଣ ଛାତ୍ର ଏବେ ମଧ୍ୟ ସେହି ସ୍କୁଲରେ ପଢୁଛନ୍ତି? ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ଗାଁ ପାଖରେ ଥିବା ବା ଖୋଲିଥିବା ଘରୋଇ ସ୍କୁଲରେ ନାମ ଲେଖାଇଛନ୍ତି ବା ଅନ୍ୟତ୍ର କେଉଁଠାରେ ନାମ ଲେଖାଇଛନ୍ତି? ସେମାନଙ୍କ ମଧ୍ୟରୁ କେତେଜଣ ସ୍କୁଲ ବନ୍ଦ ନିଷ୍ପତ୍ତି ଯୋଗୁଁ ମଝିରୁ ପାଠପଢ଼ା ସମ୍ପୂର୍ଣ୍ଣ ଛାଡ଼ି ଦେଇଛନ୍ତି? ଉଲ୍ଲେଖଯୋଗ୍ୟ, ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି ପରେ ରାଜ୍ୟର ଅନେକ ସ୍ଥାନରେ ଛତୁ ଫୁଟିଲା ପରି ଶସ୍ତା ଇଂରେଜୀ ମାଧ୍ୟମ ସ୍କୁଲ ଓ ଅନ୍ୟ ଘରୋଇ ସ୍କୁଲ ଖୋଲିଯାଇଛି। କେବଳ ୨୦୧୪-୧୫ରୁ ୨୦୧୭-୧୮ ତିନି ବର୍ଷ ମଧ୍ୟରେ ଏହି ଧରଣର ସ୍କୁଲର ସଂଖ୍ୟାରେ ୧୭ ପ୍ରତିଶତ ବୃଦ୍ଧି ଘଟିଛି। କହିବା ବାହୁଲ୍ୟ, ସରକାରୀ ସ୍କୁଲରେ ଛାତ୍ର ସଂଖ୍ୟା ହ୍ରାସ ପାଇ ସ୍କୁଲ ବନ୍ଦ ହେବାର ଅବକାଶ ସୃଷ୍ଟି ହେଉଥିବା ବେଳେ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ର ସଂଖ୍ୟା ବୃଦ୍ଧି ପାଉଛି। ପିଲାଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାର ବାଧ୍ୟବାଧକତା ଅନେକ ପରିବାରକୁ ଋଣଗ୍ରସ୍ତ କରୁଛି। ପ୍ରାୟ ୬ ବର୍ଷ ତଳେ ୨୦୧୮ ମସିହାରେ ‘ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଓ ଅଧିକାର କମିସନ୍’ଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼େ ଯେ ସ୍କୁଲ ବନ୍ଦ ହେବା ପରେ ଏହିପରି ଅନେକ ପିଲା ସ୍କୁଲ ଆସୁନାହାନ୍ତି ଓ ପାଠପଢ଼ା ଛାଡ଼ି ଦେଇଛନ୍ତି। ଏହିପରି କୌଣସି ପିଲା ଯେପରି ମଝିରୁ ପାଠପଢ଼ା ଛାଡ଼ି ନ ଦିଏ, ସେଥିପ୍ରତି ଧ୍ୟାନ ଦେବାପାଇଁ ଏହି କାର୍ଯ୍ୟକ୍ରମରେ ବିଶେଷ ଉଲ୍ଲେଖ ରହିଛି। ଏହା ସତ୍ତ୍ୱେ ଯଦି ଏହିପରି ଗୋଟିଏ ପିଲା ବି ମଝିରୁ ପାଠ ଛାଡ଼ି ଦେଇଥାଏ, ତେବେ ତାହା ସରକାରୀ ନିଷ୍ପତ୍ତି କାରଣରୁ ହୋଇଥିବାରୁ ତାହା ଅପରାଧ ଶ୍ରେଣୀଭୁକ୍ତ ବୋଲି ବିବେଚନା ହେବା ଉଚିତ ନୁହେଁ କି? ତେଣୁ ବାସ୍ତବ ସ୍ଥିତି ପରଖିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଭାବେ ତୁରନ୍ତ ଏ ନେଇ ଅଧ୍ୟୟନ ହେବାର ଆବଶ୍ୟକତା ରହିଛି। ସେହିଭଳି ପିଲା ଚିହ୍ନଟ ହୋଇପାରିଲେ ସେମାନଙ୍କୁ ଶିକ୍ଷାଦାନରେ ବିଶେଷ ସହାୟତା ଯୋଗାଇ ଦେଇ ସେମାନଙ୍କୁ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ି ରଖିବାର ପ୍ରୟାସ କରାଯାଇପାରନ୍ତା।
ଭାଷାଗତ ବିବିଧତା ଦୃଷ୍ଟିରୁ ଭାରତରେ ପ୍ରାୟ ୧୯,୫୬୯ଟି ଭାଷା ମାତୃଭାଷା ରୂପେ ପରିଗଣିତ ହେଉଥିଲେ ବି ତନ୍ମଧ୍ୟରୁ ମାତ୍ର ୧୨୧ଟି ଭାଷାରେ କଥା ହେଉଥିବା ଲୋକଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ। ପୁନଶ୍ଚ, ମାତ୍ର ୨୨ଟି ଭାଷା ତଫସିଲଭୁକ୍ତ ଭାଷାର ମାନ୍ୟତା ପାଇଥିବା ବେଳେ କେବଳ ୨୮ଟି ଭାଷା ଶିକ୍ଷାଦାନର ମାଧ୍ୟମ ହୋଇଥାଏ। ଅର୍ଥାତ୍, ଆଦିବାସୀ ପିଲାଙ୍କ ମଧ୍ୟରୁ ଏକ ପ୍ରତିଶତ ମଧ୍ୟ ସେମାନଙ୍କ ମାତୃଭାଷାରେ ଶିକ୍ଷାଲାଭର ସୁଯୋଗ ପାଇ ନଥାନ୍ତି। ଏକ ଆକଳନ ଅନୁସାରେ ଛାତ୍ରଙ୍କୁ ସେମାନେ ବୁଝୁଥିବା ଭାଷାରୁ ଭିନ୍ନ ଭାଷାରେ ଶିକ୍ଷା ପ୍ରଦାନ କରାଯାଉଥିବାରୁ ପ୍ରାୟ ୨୫ ପ୍ରତିଶତ ଛାତ୍ରଙ୍କର ଶିକ୍ଷଣରେ ଅସୁବିଧା ସୃଷ୍ଟି ହୋଇଥାଏ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କର ପାଠ ଛାଡ଼ିବାର କାରଣ ହୋଇଥାଏ। ତେଣୁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷାଦାନ ସେମାନଙ୍କ ପ୍ରତି ଉଭୟ ନ୍ୟାୟ ଓ ସମାନତାର ପ୍ରଶ୍ନ ଏବଂ ସେଥିରୁ ସେମାନଙ୍କୁ ବଞ୍ଚିତ କରିବା ସର୍ବାଦୌ ଅନୁଚିତ। ଏପରିକି ନୂଆ ଶିକ୍ଷାନୀତିର ପାରା ୪.୧୧ ଅନୁଯାୟୀ, ଅନ୍ତତଃ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ (ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହୋଇପାରିଲେ ଆହୁରି ଭଲ) ପିଲାଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେ କ୍ଷେତ୍ରରେ ସ୍କୁଲର ଛାତ୍ରସଂଖ୍ୟା ସ୍କୁଲ ବନ୍ଦ କରିବାର ଏକକ ଆଧାର ହେଲେ ୧୦ ହଜାରରୁ କମ୍ ଲୋକ କଥା ହେଉଥିବା ମାତୃଭାଷାରେ ସ୍କୁଲ ଖୋଲି ହେବନାହିଁ, ଆଉ ଖୋଲିଥିଲେ ସେଗୁଡ଼ିକୁ ବନ୍ଦ କରିବାକୁ ପଡ଼ିବ। ପୁନଶ୍ଚ, ଯୌକ୍ତିକତା ନୀତିରେ ବି ମଦ୍ରାସା, ସଂସ୍କୃତ ଟୋଲ୍ ଓ ଅନ୍ୟ ବିଶେଷ ପ୍ରକାରର ସ୍କୁଲଗୁଡ଼ିକୁ ମିଶ୍ରଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ ନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହି ଏକା ଯୁକ୍ତିରେ ବିଭିନ୍ନ ଆଦିବାସୀ ଭାଷାରେ ଶିକ୍ଷାଦାନକୁ ସୁନିଶ୍ଚିତ କରାଯାଇପାରିଥିଲେ ସେଗୁଡ଼ିକ ମଧ୍ୟ ଆଜି ହୁଏତ ମିଶ୍ରଣ ପ୍ରକ୍ରିୟାରୁ ଦୂରରେ ରହିଥାନ୍ତେ। ତେଣୁ ଆଦିବାସୀ ଅଞ୍ଚଳରେ ମାତୃଭାଷାରେ ଶିକ୍ଷାଦାନକୁ ତ୍ବରାନ୍ୱିତ କରିବାକୁ ହେଲେ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ଖୋଲିବାକୁ ପଡ଼ିପାରେ।

ସରକାରଙ୍କ ସ୍କୁଲ ବନ୍ଦ ଓ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ୧୬୮ ଜଣ ଆବେଦନକାରୀ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଏହା ‘ଶିଶୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦’ର ଉଲ୍ଲଂଘନ କରୁଥିବା ଦର୍ଶାଇ ଜଷ୍ଟିସ୍ ବି. ଆର୍. ଷଡ଼ଙ୍ଗୀ ସରକାରଙ୍କ ଅଧିସୂଚନାକୁ ୪ ମେ’ ୨୦୨୧ରେ ଖାରଜ କରିବା ସହ ଯେଉଁ କଡ଼ା ଟିପ୍ପଣୀ ପ୍ରଦାନ କରିଥିଲେ ତାହା ପ୍ରଣିଧାନଯୋଗ୍ୟ। ଅଦାଲତଙ୍କ ଅନୁସାରେ, “ସ୍କୁଲରେ ପିଲାଙ୍କ ସଂଖ୍ୟା କାହିଁକି କମ୍ ହେଉଛି ନ ଜାଣି, ସ୍କୁଲର ମିଶ୍ରଣ କରିବା ସେହି ସମସ୍ୟାର ନିଦାନ ବୋଲି ଗ୍ରହଣ କରିବା କଥା ନୁହେଁ। ରୋଗର କାରଣ ନ ଜାଣି ଚିକିତ୍ସା ଆରମ୍ଭ କରିଦେବା ଯାହା, ଇଏ ଠିକ୍ ତାହା। ସ୍କୁଲରେ ପିଲାଙ୍କ ସଂଖ୍ୟା କମ୍ ହେବା ପଛରେ ଅନେକ କାରଣ ରହିଛି। ତୃଣମୂଳ ସ୍ତରରେ ଥିବା ଅସୁବିଧାଗୁଡ଼ିକୁ ଦୂର ନ କରି ସ୍କୁଲଗୁଡ଼ିକର ମିଶ୍ରଣ କରାଯାଉଛି, କାରଣ ତୃଣମୂଳ ସ୍ତରର ବାସ୍ତବତା ସମ୍ପର୍କରେ ଅବଗତ ନ ହୋଇ ଉପର ସ୍ତରରେ ଥିବା ଲୋକମାନେ ନିଷ୍ପତ୍ତି ଗ୍ରହଣ କରୁଛନ୍ତି।’’ ଏହି ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠର ଦ୍ୱାରସ୍ଥ ହେଲେ। ଖଣ୍ଡପୀଠ ଉପରୋକ୍ତ ଆଦେଶ ଉପରେ ଜୁଲାଇ ୨୦, ୨୦୨୧ରେ ରହିତାଦେଶ ଲଗାଇଲେ। ଛୋଟ ସ୍କୁଲକୁ ବଡ଼ ବଡ଼ ସ୍କୁଲ ସହ ମିଶ୍ରଣ ସପକ୍ଷରେ ଯୁକ୍ତି ବାଢ଼ିଲା ବେଳେ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଉଛି ଯେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟୀ ହେବ, ଛାତ୍ର-ଶିକ୍ଷକ ଅନୁପାତକୁ ଉନ୍ନତ କରିବ, ଉନ୍ନତ ଭିତ୍ତିଭୂମିର ବିକାଶ ସମ୍ଭବ ହେବ, ଏହା ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟିରେ ସହାୟକ ହେବ। ଏହାଦ୍ୱାରା ଶିକ୍ଷକଙ୍କର ପ୍ରାଶାସନିକ କାର୍ଯ୍ୟରେ ଅପଚୟ ହେଉଥିବା ସମୟର ସଞ୍ଚୟ ହୋଇପାରିବ। ଏହା ବିରୋଧରେ ମଧ୍ୟ ଅନେକ ଯୁକ୍ତି ଉପସ୍ଥାପିତ ହୋଇସାରିଛି। ଇତିମଧ୍ୟରେ ତିନି ବର୍ଷ ଧରି ମାମଲାଟିର ଶୁଣାଣି ଲାଗି ରହିବା ପରେ ଏପ୍ରିଲ ୧୮, ୨୦୨୪ରେ ଶୁଣାଣି ଶେଷ ହୋଇଛି ଏବଂ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ସ୍କୁଲ ବନ୍ଦ ହେବାର ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି। ବନ୍ଦ ହୋଇଥିବା ସବୁ ସ୍କୁଲରେ ଖାଦ୍ୟ ରାନ୍ଧିବା ଓ ପରଷିବା ପାଇଁ ଅନ୍ୟୂନ ଜଣେ ଲେଖାଏଁ ପାଚିକା ଓ ସହାୟକ ନିଯୁକ୍ତ ହୋଇଥିଲେ। ଅର୍ଥାତ୍ ସ୍କୁଲ ବନ୍ଦ ହେବା ସହ ଏହିପରି ପ୍ରାୟ ୧୬,୦୦୦ ମହିଳା ସେମାନଙ୍କର ରୋଜଗାର ହରାଇଲେ। କହିବା ବାହୁଲ୍ୟ ଯେ, ଏମାନଙ୍କ ମଧ୍ୟରୁ ଅନେକ ଏକୁଟିଆ ଓ ନିରାଶ୍ରୟ ମହିଳା ଏବଂ ସେମାନଙ୍କୁ ଗାଁସ୍ତରରେ ରୋଜଗାର ଯୋଗାଇ ଦିଆଯାଇ ପାରିଥିଲା, ଯାହା ସେମାନେ ହରାଇ ବସିଲେ। ଯୌକ୍ତିକତା ନୀତିର ପରିକଳ୍ପନା ଓ ପ୍ରଣୟନ ପଛରେ ଯେଉଁ ସବୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ତନ୍ମଧ୍ୟରେ ସ୍କୁଲଗୁଡ଼ିକୁ ଆକାଂକ୍ଷୀ ସ୍କୁଲରେ ପରିଣତ କରିବା, ଛାତ୍ର-ଶିକ୍ଷକ ଅନୁପାତକୁ ଉନ୍ନତ କରିବା, ଉନ୍ନତ ଭିତ୍ତିଭୂମିର ବିକାଶ କରିବା, ସ୍କୁଲରେ ଉନ୍ନତ ଶିକ୍ଷଣ ବାତାବରଣ ସୁନିଶ୍ଚିତ କରିବା, ରାଜ୍ୟସ୍ତରରେ ସ୍କୁଲଗୁଡ଼ିକର ନିରୀକ୍ଷଣକୁ ଅଧିକ ମାନସମ୍ପନ୍ନ କରିବା, ସ୍କୁଲ ବାତାବରଣରେ ଭବିଷ୍ୟତର ଉଦ୍ୟମୀ ଓ ନିଯୁକ୍ତିଦାତା ସୃଷ୍ଟି କରିବା ଆଦି ଥିଲା। ଇତିମଧ୍ୟରେ ଆମେ ସେହି ଲକ୍ଷ୍ୟର କେତେ ନିକଟତର ହୋଇଛେ, ତାହାର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା କରିବା ଦରକାର ପଡ଼ିଲାଣି। ଏସବୁ ସତ୍ତ୍ୱେ କେତେକ ସ୍ଥାନରେ ଏହି ନୀତି ଯୁକ୍ତିସଙ୍ଗତ ଭାବେ କାର୍ଯ୍ୟ କରି ସେଥିରୁ ସୁଫଳ ମିଳୁଥିବା ଦେଖାଯାଉଛି। ସେଭଳି ସ୍କୁଲକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ଉଚିତ ହୋଇ ନ ପାରେ। ତେବେ ଆଦିବାସୀବହୁଳ ଅଞ୍ଚଳ ଓ ଅନ୍ୟ କେତେକ ବିଶେଷ ଅଞ୍ଚଳରେ ଏହି ନୀତିର ପୁନରାବଲୋକନର ଆବଶ୍ୟକତା ଅନୁଭୂତ ହେଉଛି। ଧ୍ୟାନରେ ରଖିବାକୁ ହେବ ଯେ ସରକାରୀ ନୀତି ଓ ନିଷ୍ପତ୍ତି ଲାଗି ଜଣେ ହେଲେ ଛାତ୍ର, ସିଏ ଆଦିବାସୀ ହୁଅନ୍ତୁ ଅଥବା ଅନ୍ୟ କେହି, ଯେପରି ଅଧାରୁ ପାଠ ଛାଡ଼ି ନ ଦିଅନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button