ଭାରତର ସର୍ବୋଚ୍ଚ ଔଷଧ ନିୟାମକ ପରୀକ୍ଷଣରେ ବିଫଳ
ନୂଆଦିଲ୍ଲୀ: ଗୁଣବତ୍ତା ଓ ନିରାପତ୍ତା ପରୀକ୍ଷଣରେ ବିଫଳ ହେବା ପରେ ୧୬ଟି ବହୁଳ ପ୍ରଚଳିତ ଔଷଧକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବିଷାକ୍ତ ଘୋଷଣା କରିଛନ୍ତି। ସାଧାରଣତଃ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ବ୍ୟବହୃତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସର ‘ଟେଲ୍ମା ଏଚ୍’ ଏବଂ ପିତ୍ତକୋଷ ପଥର ଚିକିତ୍ସାରେ ବ୍ୟବହୃତ ସନ୍ ଫାର୍ମାସ୍ୟୁଟିକାଲ୍ସର ‘ଉର୍ସୋକୋଲ ୩୦୦’କୁ ବିଷାକ୍ତ ଘୋଷଣା କରାଯାଇଛି।
ଭାରତର ସର୍ବୋଚ୍ଚ ଔଷଧ ନିୟାମକ ପରୀକ୍ଷଣରେ ବିଫଳ ହୋଇଥିବା ଅନ୍ୟ ବହୁଳ ବ୍ୟବହୃତ ଔଷଧ ମଧ୍ୟରେ ଫୁସ୍ଫୁସ୍ ଧମନୀ ଉଚ୍ଚ ରକ୍ତଚାପ ପରିଚାଳନା ପାଇଁ ବ୍ୟବହୃତ ‘ପୁଲମୋସିଲ ଇଞ୍ଜେକ୍ସନ୍’ ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟା ପାଇଁ ବ୍ୟବହୃତ ‘ପାଣ୍ଟୋସିଡ୍’। ବିଦେଶରେ ହୋଇଥିବା ଗୁଣବତ୍ତା ପରୀକ୍ଷଣରେ କେତେକ ଭାରତୀୟ ଔଷଧ ବିଫଳ ହେବା ପରେ
ଭାରତରେ ଏହି ପରୀକ୍ଷଣ କରାଯାଇଥିଲା। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ) ରାଜ୍ୟ ଔଷଧ ନିୟନ୍ତ୍ରକ (ଏସ୍ଡିସିଏସ୍) ସହ ମିଳିତ ଭାବେ ଗତ ବର୍ଷକ ମଧ୍ୟରେ ୪ଶହରୁ ଅଧିକ ଯାଞ୍ଚ କରିଛନ୍ତି। ଫଳସ୍ୱରୂପ, ଔଷଧ ନିୟମ ୧୯୪୫ ଅନୁଯାୟୀ ରାଜ୍ୟ ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା କାରଣ ଦର୍ଶାଅ ନୋଟିସ୍, ଉତ୍ପାଦନ ବନ୍ଦ, ନିଲମ୍ବନ, ଲାଇସେନ୍ସ/ଉତ୍ପାଦ ଲାଇସେନ୍ସ ବାତିଲ ଇତ୍ୟାଦି ୩୦୦ରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଭିଜା-୪୦, ପାଣ୍ଟୋମେଡ-୪୦, ସେଫିକ୍ସାଇମ୍ ଓରାଲ ସସ୍ପେନ୍ସନ ଆଇପି, ମୋକ୍ସିମେଡ୍ ସିଭି, ଫ୍ରୁସେମାଇଡ୍ ଇଞ୍ଜେକ୍ସନ୍ ଆଇପି ୨୦ଏମ୍ଜି, ନୋଡୋସିସ୍ ଟାବ୍ଲେଟ୍, ପାଣ୍ଟୋପ୍ରାଜୋଲ ଇଞ୍ଜେକ୍ସନ୍ ବିପି ୪୦ ଏମ୍ଜିକୁ ଅଗଷ୍ଟ ମାସ ପାଇଁ ନିୟାମକଙ୍କ ଡାଟାବେସ୍ରେ ମାନକ ଗୁଣବତ୍ତା ନ ଥିବା (ଏନ୍ଏସ୍କ୍ୟୁ) ତାଲିକାରେ ରଖାଯାଇଥିଲା।
ସନ୍ ଫାର୍ମାସ୍ୟୁଟିକାଲ୍ସ ନିର୍ମିତ ଫୁସ୍ଫୁସ୍ ଧମନୀ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ପୁଲମୋସିଲ ଇଞ୍ଜେକ୍ସନ୍ ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟା ପାଇଁ ବ୍ୟବହୃତ ପାଣ୍ଟୋସିଡ୍ ଓ ପିତ୍ତକୋଷରେ ପଥର କ୍ଷେତ୍ରରେ ବ୍ୟବହୃତ ‘ଉର୍ସୋକୋଲ ୩୦୦’ କୁ ବିଷାକ୍ତ ଚିହ୍ନଟ କରାଯାଇଛି। ସେହିପରି ରକ୍ତଚାପକୁ ନିୟନ୍ତ୍ରଣରେ ରଖୁଥିବା ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ୍ସ ନିର୍ମିତ ଟେଲ୍ମା ଏଚ୍ ଔଷଧକୁ ମଧ୍ୟ ଡିସିଜିଆଇ ବିଷାକ୍ତ ଘୋଷଣା କରିଛନ୍ତି। ଅପରପକ୍ଷରେ ଯେଉଁ ବ୍ୟାଚ୍ର ଔଷଧକୁ ନିୟାମକଙ୍କ ଦ୍ବାରା ଯାଞ୍ଚ କରାଯାଇଛି ତାହା ସେମାନଙ୍କ ଉତ୍ପାଦ ନୁହେଁ ଏବଂ ଏହା ନକଲି ଔଷଧ ବୋଲି ସନ୍ ଫାର୍ମାସ୍ୟୁଟିକାଲ୍ସ ଏବଂ ଗ୍ଲେନ୍ମାର୍କ ଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ କୁହାଯାଇଛି। ତେଣୁ କଥିତ ଔଷଧର ଯାଞ୍ଚ ହେବା ଆବଶ୍ୟକ ବୋଲି ଦୁଇ କମ୍ପାନୀ ପକ୍ଷରୁ କୁହାଯାଇଛି।
ସେହିପରି ଦିଲ୍ଲୀରେ ୬ଟି ଔଷଧ ସ୍ବାସ୍ଥ୍ୟପ୍ରତି କ୍ଷତିକାରକ ଥିବା ଦିଲ୍ଲୀର ଔଷଧ ନିୟାମକଙ୍କ ଯାଞ୍ଚରୁ ଜଣାପଡ଼ିଛି, ଯାହାକୁ ଏକ ବିରଳ ସ୍ୱାସ୍ଥ୍ୟ ଅବସ୍ଥା ଦୁର୍ବଳ ମାଂସପେଶୀ (ଡିଏମ୍ଡି)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ୨୦୨୨-୨୩ ମଧ୍ୟରେ ଯାଞ୍ଚ ସମୟରେ ୩,୦୫୩ ଔଷଧ ନିମ୍ନମାନର ଓ ୪୨୪ ଔଷଧ ବିଷାକ୍ତ ଥିବା ଜଣାପଡ଼ିଥିଲା। ଜୁଲାଇରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ସଂସଦରେ ଉପରୋକ୍ତ ତଥ୍ୟ ଉପସ୍ଥାପନ କରିଥିଲେ।