ଦେଶ- ବିଦେଶ

କଲକାତାରୁ ହଟିବ ୧୫୦ ବର୍ଷ ପୁରୁଣା ଟ୍ରାମ୍‌ ସେବା

ଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକାତା ସହରର ରାସ୍ତାରୁ ୧୫୦ ବର୍ଷ ପୁରୁଣା ଟ୍ରାମ୍‌ ବ୍ୟବସ୍ଥାକୁ ହଟାଇ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଏସ୍‌ପ୍ଲାନେଡ-ମଇଦାନ ରୁଟ୍‌ରେ ଏହି ସେବା ଉପଲବ୍ଧ ହେବ ବୋଲି କୁହାଯାଇଛି। ସାଂପ୍ରତିକ ସମୟରେ ଲୋକେ ତ୍ବରିତ ବେଗରେ ଯାତାୟାତ ବ୍ୟବସ୍ଥାକୁ ଅଧିକ ପସନ୍ଦ କରୁଛନ୍ତିି।

ଟ୍ରାମ୍‌ଗୁଡିକ ଅତ୍ୟନ୍ତ ଧିମାବେଗରେ ଯାଉଥିବାରୁ ଏହା ଅନେକ ସମୟରେ ରାସ୍ତା ଜାମ୍‌ କରୁଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ସ୍ନେହାଶିଷ ଚକ୍ରବର୍ତ୍ତୀ କହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏତାଦୃଶ ନିଷ୍ପତ୍ତିକୁ କେତେକ ଗୋଷ୍ଠୀ ନାପସନ୍ଦ କରିଛନ୍ତି। ୧୫୦ ବର୍ଷର ଏହି ଐତିହାସିକ ଗମନା ଗମନ ବ୍ୟବସ୍ଥାକୁ ହଟାଇବା ଯୁକ୍ତିସଙ୍ଗତ ନୁହେଁ ବୋଲି ସେମାନେ କହିଛନ୍ତି। କଲକାତାର ପ୍ରତ୍ୟେକ କୋଣ ଅନୁକୋଣରେ ଟ୍ରାଫିକ ଜାମ ଦେଖିବାକୁ ମିଳିଥାଏ।

ରାସ୍ତାଗୁଡିକର ଅବସ୍ଥାରେ ଉନ୍ନତି ଘଟୁନଥିବାବେଳେ ବାଇପାସ୍‌ରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଛି। ତେଣୁ ଏଥିପାଇଁ ଟ୍ରାମ୍‌ ବ୍ୟବସ୍ଥାକୁ ଦାୟୀ କରିବା ଅନୁଚିତ ବୋଲି କେତେକ ବାସିନ୍ଦା ମତବ୍ୟକ୍ତ କରିଛନ୍ତି। ଆଉ କେତେକ କହିଛନ୍ତି ଯେ ଟ୍ରାମ୍‌ରେ ଯାତାୟାତ କଲେ ଭଡା ଅପେକ୍ଷାକୃତ କମ ପଡିଥାଏ ଏବଂ ଏହା ପରିବେଶ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ। ବର୍ତ୍ତମାନ ସମୟରେ ସହରର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଲୋକେ ଏବେ ମଧ୍ୟ ଟ୍ରାମ୍‌ ଉପରେ ଅଧିକ ନିର୍ଭର କରୁଛନ୍ତି।

ଦେଶର ଏକମାତ୍ର ସହରଭାବେ କଲକାତାରେ ଟ୍ରାମ୍‌ ସେବା ଚାଲିଥିବା ଏକ ଐତିହାସିକ ଘଟଣା ଏବଂ ଏହାକୁ ଉଚ୍ଛେଦ କରିବା ଅନୁଚିତ ବୋଲି ‘କଲକାତା ଟ୍ରାମ୍‌ ୟୁଜର୍ସ ଆସୋସିଏସନ’ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଟ୍ରାମ୍‌ ସେବା ହଟାଇ ଦିଆଗଲେ ଟ୍ରାମ୍‌ ଡ୍ରାଇଭର ଓ କଣ୍ଡକ୍ଟରମାନେ ଚାକିରି ହରାଇବାର ମଧ୍ୟ ଆଶଙ୍କା ଉପୁଜିଛି। ସୂଚନାଯୋଗ୍ୟ ବ୍ରିଟିଶ ଶାସନ ଅମଳରେ ୧୮୭୩ ଫେବୃଆରୀ ୨୪ରେ ପ୍ରଥମେ ଟ୍ରାମ୍‌ ସେବା ପ୍ରଚଳନ କରାଯାଇଥିଲା। ସେତେବେଳେ ଟ୍ରାମ୍‌ ବଗିଗୁଡିକୁ ଘୋଡା ଟାଣୁଥିଲେ।

୧୮୮୨ରେ ଟ୍ରାମ୍‌ଗୁଡିକରେ ବାଷ୍ପୀୟ ଇଞ୍ଜିନ ଖଞ୍ଜା ଯାଇଥିବାବେଳେ ୧୯୦୦ ମସିହାରେ ବିଦ୍ୟୁତ୍‌ ଇଞ୍ଜିନ ବ୍ୟବସ୍ଥା କରାଯାଇଥିଲା। ୨୦୧୩ରେ ଟ୍ରାମ୍‌ରେ ଏସି ବଗି ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କଲକାତା ବ୍ୟତୀତ ଊନବିଂଶ ଶତାବ୍ଦୀରେ ପାଟନା, ଚେନ୍ନଇ, ନାସିକ ଓ ମୁମ୍ବଇ ଭଳି ସହରରେ ଟ୍ରାମ୍‌ ସେବାର ପ୍ରଚଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ କେବଳ କଲକାତାକୁ ବାଦଦେଇ ଅନ୍ୟ ସବୁ ସହରରୁ ଏହି ବ୍ୟବସ୍ଥା ହଟାଇ ଦିଆଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button