ରାଜ୍ୟ

ଦିନ ମଜୁରିଆଙ୍କ ପୁଅ ହେବ ଡାକ୍ତର, ହେଲେ ଘାରିଛି ଅର୍ଥ ଚିନ୍ତା

ଦିନ ମଜୁରିଆ ବାପା ମା’ଙ୍କ ପୁଅ ବନିବ ଡାକ୍ତର । ପିନ୍ଧିବ ଧଳା ଆପ୍ରନ, ବେକରେ ପକାଇବ ଷ୍ଟେତୋସ୍କୋପ । ପୁଅ ନିଟ୍ ପରୀକ୍ଷାରେ ପାସ୍ କରିବା ପରେ ମେଡିକାଲରେ ସିଟ୍ ବି ପାଇ ଯାଇଛି। ପୁଅ ଡାକ୍ତରୀ ପଢ଼ିବ ଜାଣି ବାପାମା’ଙ୍କ ପାଦ ତଳେ ଲାଗୁନି। ପୁଅ ସହ ସେମାନଙ୍କର ବି ବର୍ଷ ବର୍ଷର କଠିନ ପରିଶ୍ରମ ସାକାର ହୋଇଛି। ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ ହେଲେ ପାଖରେ ଅର୍ଥର ଘୋର ଅଭାବ ।

ପୁଅ କିପରି ଡାକ୍ତରୀ ପାଠ ପଢ଼ିବ, କିପରି ତା’ର ନାମ ଲେଖାଇବେ ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି। ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗାଁରେ ଘଟିଛି। ମୁଣ୍ଡିଗଡ଼ ଗାଁର ଶଙ୍କର୍ଷଣ ମଣ୍ଡଳ ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ବିନା କୌଣସି କୋଚିଂରେ କେବଳ ଅନଲାଇନ୍ କ୍ଲାସ୍ କରି ସେ ଏହି ସଫଳତା ହାସଲ କରିଛନ୍ତି। ଫଳରେ ସର୍ବ ଭାରତୀୟ ସ୍ତରରେ ତାଙ୍କ ରାଙ୍କ ୧ ଲକ୍ଷ ୧୯ ହଜାର ୬୬ ରହିଥିବା ବେଳେ ରାଜ୍ୟ ସ୍ତରରେ ରାଙ୍କ ୪, ୭୫୬ ରହିଛି। ଆଦିବାସୀ ଉପାନ୍ତ ଅଞ୍ଚଳର ଶଙ୍କର୍ଷଣ ମଣ୍ଡଳ ବିନା କୌଣସି କୋଚିଂରେ ନିଜ ପ୍ରଚେଷ୍ଠାରେ ହିଁ ଏହି ସଫଳତା ହାସଲ କରିଛନ୍ତି। ନିଜ ଦ୍ୱିତୀୟ ପ୍ରୟାସରେ ଏହି ସଫଳତା ହାସଲ କରିଛନ୍ତି ଶଙ୍କର୍ଷଣ ।

ଚଳିତ ବର୍ଷ ନିଟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାମିଲନାଡ଼ୁର ରାଜା ମୁଥିଆ ସରକାରୀ ମେଡିକାଲ କଲେଜରେ ପାଠ ପଢ଼ିବା ଲାଗି ମନୋନୀତ ହୋଇଛନ୍ତି ଶଙ୍କର୍ଷଣ ।

ହେଲେ ଦିନ ମଜୁରି ଲାଗିଲେ ପରିବାର ମୁହଁରେ ଦାନା ଦେଉଥିବା ଶଙ୍କର୍ଷଣଙ୍କ ବାପାମା’ଙ୍କ ନିକଟରେ ସମ୍ବଳ ବୋଲି କିଛି ନାହିଁ। ବହୁ କଷ୍ଟରେ ଅର୍ଥ ରୋଜଗାର କରି ପୁଅକୁ ଅନଲାଇନ୍ରେ ନିଟ୍ କୋଚିଂ ଦେଇଥିଲେ। ପୁଅ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିବା ଖୁସି ସହ ସେମାନଙ୍କ ମଧ୍ୟରେ ଅର୍ଥ ଯୋଗାଡ଼ ନେଇ ଚିନ୍ତା ବି ବଢ଼ି ଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button