ଦେଶ- ବିଦେଶ

ପେଜର ବ୍ଲାଷ୍ଟ ପରେ ଭିଡିଓ ବାର୍ତ୍ତାରେ ଚେତାବନୀ ଦେଉଥିଲେ ନସରୁଲ୍ଲା, ଏୟାର ଷ୍ଟ୍ରାଇକ୍ କରି ଲେବାନନକୁ ଥରାଇଦେଲା ଇସ୍ରାଏଲ

ନୂଆଦିଲ୍ଲୀ: ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲା ସିରିୟଲ ବିସ୍ଫୋରଣକୁ ନେଇ କଡ଼ ପ୍ରତିକ୍ରିୟା ଦେଇଛନ୍ତି । ନସରୁଲ୍ଲା ପେଜର ବିସ୍ଫୋରଣ ପରେ ଇସ୍ରାଏଲକୁ କଡ଼ା ଶବ୍ଦରେ ଧମକ ଦେଇଛନ୍ତି । ୱାୟରଲେସ୍ ବିସ୍ଫୋରଣକୁ ଯୁଦ୍ଧ ଘୋଷଣା ଧରାଯିବ ବୋଲି ସେ କହିଛନ୍ତି । ଗୁରୁବାର ଦେଇଥିବା ବୟାନରେ ନସରୁଲ୍ଲା କହିଛନ୍ତି ଯେ ଏହି ବିସ୍ଫୋରଣରେ ବଡ଼ ଝଟକା ଲାଗିଛି ।

ସେ ସ୍ୱୀକାର କରିଛନ୍ତି ଯେ ହିଜବୁଲ୍ଲାର ସଦସ୍ୟଙ୍କୁ ୪୦୦୦ରୁ ଅଧିକ ପେଜର ବିତରଣ କରାଯାଇଥିଲା, ଯାହା ପୂରା ଲେବାନନରେ ଏକାସଙ୍ଗରେ ବ୍ଲାଷ୍ଟ କରିଥିଲା । ଏଥିପାଇଁ ହିଜବୁଲ୍ଲା ଇସ୍ରାଏଲକୁ ଦାୟୀ କରିଛି । ନସରୁଲ୍ଲା କହିଛନ୍ତି ଯେ ଇସ୍ରାଏଲ୍ ପେଜର ବ୍ଲାଷ୍ଟ କରାଇ ରେଡ୍ ଲାଇନ୍ ଡେଇଁଛି । ନସରୁଲ୍ଲା କହିଛନ୍ତି ଯେ ଏହି ଆକ୍ରମଣ ଯବାନଙ୍କ ଉପରେ ନୁହେଁ ସାଧାରଣ ନାଗରିକଙ୍କ ଉପରେ ହୋଇଛି ।

ମଙ୍ଗଳବାର ଲେବାନନରେ ହିଜବୁଲ୍ଲା ସଦସ୍ୟଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ପେଜର ବିସ୍ଫରୋଣ ହେବା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩ ହଜାର ଆହତ ହୋଇଥିଲେ । ଏହାର ଗୋଟିଏ ଦିନ ପରେ ୱକି-ଟକି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ହିଜବୁଲ୍ଲା ନିଜ ସଦସ୍ୟଙ୍କୁ ମୋବାଇଲ୍ ଫୋନ ପରିବର୍ତ୍ତେ ନିଜର ଦୂରସଂଚାର ସିଷ୍ଟମ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିଲା । ଲେବାନନର ଆଭ୍ୟନ୍ତରୀଣ ସୁରକ୍ଷା ବଳ କହିଛି ଯେ ସାରା ଦେଶରେ ମୁଖ୍ୟତଃ ବେରୁତର ଦକ୍ଷିଣ, ଯାହା ହିଜବୁଲ୍ଲାର ଗଡ଼, ସେଠାରେ ଅନେକ ୱାୟରଲେସ୍ ବ୍ଲାଷ୍ଟ ହୋଇଛି ।

ନସରୁଲ୍ଲାଙ୍କ ଭାଷଣ ପ୍ରସାରଣ ବେଳେ ମଧ୍ୟ ଇସ୍ରାଏଲ୍ ହିଜବୁଲ୍ଲାର ଅନେକ ଠିକଣାକୁ ଟାର୍ଗେଟ୍ କରି ବଡ଼ ଧରଣ ଆକ୍ରମଣ କରିଛି । ଇସ୍ରାଏଲ ଦକ୍ଷିଣ ଲେବାନନର ସହ ଦେଇରକାନୁନ ଅନ-ନହର, ଅଲ-ହନିୟା, ଜିବକିନ, ଫ୍ରାଉନ, ଆଦଚିଟ୍, କବ୍ରିଖା, ଅଲମନ, ଦେଇର ଅନ୍ତର, ହାରିସ, ମରକାବା, ରାଉ ଥଲାଥିନ ଉପରେ ବଡ଼ ଧରଣ ଏୟାର ଷ୍ଟ୍ରାଇକ୍ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button