ଓଡ଼ିଶାରେ ସାଢ଼େ ୩ଘଣ୍ଟା ରହିବେ ମୋଦି: ‘ସୁଭଦ୍ରା’ଶୁଭାରମ୍ଭ, ଆବାସ ହିତାଧିକାରୀଙ୍କୁ ବାଂଟିବେ ପ୍ରଥମ କିସ୍ତି

ନିଜ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଜେପି ସରକାରଙ୍କ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ ‘ଘର ମଞ୍ଜୁରୀ ପତ୍ର’, ୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ ‘ଆବାସ+ ୨୦୨୪’ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସାଢ଼େ ୩ଘଣ୍ଟାର ଓଡ଼ିଶା ଗସ୍ତ ପାଇଁ ଆଜି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି ସମୀକ୍ଷା ଅନୁଷ୍ଠିତ ହୋଇଛି ।
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ୧୭ତାରିଖ ପୂର୍ବାହ୍ନ ୧୧ଟା ୩୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ୧୧ଟା ୫୫ମିନିଟରେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ଫେରିଯିବେ । ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବା ସହ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ ଘର ଆବଂଟନ ପତ୍ର ବାଂଟିବେ । ସେହିପରି ୨୬ଲକ୍ଷ ଆବାସ ହିତାଧିକାରୀଙ୍କୁ ସେମାନଙ୍କର ଘରର ପ୍ରଥମ କିସ୍ତି ବାବଦରେ ୩୧୮୦କୋଟି ଟଙ୍କା ସିଧାସଳଖ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡିଜିଟାଲ ମୋଡରେ ସ୍ଥାନାନ୍ତର କରିବେ । ଏହାସହିତ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଆବଂଟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ‘ଆବାସ+ ୨୦୨୪’ ଆପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ଜଣାପଡ଼ିଛି ।




