ଦେଶ- ବିଦେଶ

ଫୋକସ୍‌ରେ ଗ୍ୟାଜେଟ୍: ଡିଜେଆଇର ସବୁଠୁ ହାଲୁକା ଡ୍ରୋନ୍‌ କ୍ୟାମେରା

ଚୀନ୍ର ଡ୍ରୋନ୍ ନିର୍ମାତା ‘ଡିଜେଆଇ’ ପକ୍ଷରୁ ‘ଡିଜେଆଇ ନିଓ’ର ବଜାର ପ୍ରବେଶ କରାଯାଇଛି। ଏହା କମ୍ପାନିର ସବୁଠୁ ହାଲୁକା ଡ୍ରୋନ୍। ମାତ୍ର ୧୩୮ ଗ୍ରାମ ଓଜନ ବିଶିଷ୍ଟ ଏହି ଡ୍ରୋନ୍ କ୍ୟାମେରାର ପ୍ରାରମ୍ଭିକ ମୂଲ୍ୟ ୧୯୯ ୟୁରୋ ବା ପାଖାପାଖି ୧୯,୦୦୦ ଟଙ୍କା। ଅତିରିକ୍ତ ସରଞ୍ଜାମ ସହ ଏହି ଡ୍ରୋନ୍ର ମୂଲ୍ୟ ହେଉଛି ୩୪୯ ୟୁରୋ ବା ପ୍ରାୟ ୩୩,୦୦୦ ଟଙ୍କା।

ଏହି ଡ୍ରୋନ୍ କ୍ୟାମେରାରେ ଏକ ୧/୨ ଇଞ୍ଚର ଇମେଜ୍ ସେନ୍ସର୍ ଖଞ୍ଜାଯାଇଛି ଯାହା ୧୨ ମେଗାପିକ୍ସେଲ୍ ଫଟୋ ଉଠାଇପାରିବ। ଏହା ୩୦ ଏଫ୍ପିଏସ୍ (ଫ୍ରେମ୍ ପର୍ ସେକେଣ୍ଡ୍) ୪କେ ଭିଡିଓ ଉତ୍ତୋଳନ କରିବାକୁ ସକ୍ଷମ।

ଏହି ଡ୍ରୋନ୍ କ୍ୟାମେରାର ଆଉ ଏକ ବିଶେଷତ୍ବ ହେଲା, ରେକର୍ଡିଂ ସରିଲା ମାତ୍ରକେ ଏହା ଆପେ ଆପେ ବ୍ୟବହାରକାରୀର ପାପୁଲି ପାଖରେ ପହଞ୍ଚିଯାଇଥାଏ। କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପଯୋଗ କରି ଏହା କୌଣସି ବସ୍ତୁକୁ ନିରୀକ୍ଷଣ କରିପାରିବା ସହ ଲୋକଙ୍କ ପିଛା କରିବାର କ୍ଷମତା ମଧ୍ୟ ରଖିଛି। ସାଇକ୍ଲିଂ, ସ୍କେଟ୍ବୋର୍ଡିଂ ବା ହାଇକିଂ ଭଳି କାର୍ଯ୍ୟକଳାପର ଭିଡିଓ ପ୍ରସ୍ତୁତିରେ ଏହା ବିଶେଷ ଉପଯୋଗୀ। ଏଥିରେ ବୁମେରାଂ, ସର୍କଲ, ଡ୍ରୋନି, ହେଲିକ୍ସ, ରକେଟ୍ ଓ ସ୍ପଟ୍ଲାଇଟ୍ ପରି ଛଅ ପ୍ରକାରର ଭିଡିଓ ଉତ୍ତୋଳନ ଦକ୍ଷତା ରହିଛି। ଏହି ଡ୍ରୋନ୍ କ୍ୟାମେରାକୁ ସ୍ମାର୍ଟଫୋନ୍ ସହ ସଂଯୁକ୍ତ କରି କୌଣସି ରିମୋଟ୍ କଣ୍ଟ୍ରୋଲ୍ ବିନା ପରିଚାଳନା କରାଯାଇପାରିବ। ‘ଡିଜେଆଇ ଫ୍ଲାଇ’ ନାମକ ସ୍ମାର୍ଟଫୋନ୍ ଆପ୍ରେ ଆଭାସୀ ଜଏଷ୍ଟିକ୍ ବ୍ୟବହାର କରି ଏହାକୁ ୫୦ ମିଟର ଦୂରତା ମଧ୍ୟରେ ଉଡ଼ାଇବା ସମ୍ଭବ। ତେବେ ଉନ୍ନତ ଉଡ଼ାଣ ଓ କ୍ୟାମେରା ନିୟନ୍ତ୍ରଣ ପାଇଁ ରିମୋଟ୍ କଣ୍ଟ୍ରୋଲର୍ ଆବଶ୍ୟକ। ଡିଜେଆଇ ଆର୍ସି-ଏନ୍ସି ରିମୋଟ୍ କଣ୍ଟ୍ରୋଲର୍ ଦ୍ବାରା ଏହାର ରେକର୍ଡିଂ ଦୂରତାକୁ ୧୦ କି.ମି. ଯାଏ ବୃଦ୍ଧି କରିହେବ। ଏହାର ଏକକାଳୀନ ଉଡ଼ାଣ ସମୟ ୧୮ ମିନିଟ୍ ବୋଲି କମ୍ପାନି ଦାବି କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button