ରାଜ୍ୟ

ସ୍କୁଲରେ ବସିଛନ୍ତି ଛାତ୍ରଛାତ୍ରୀ ଆଉ ଶିକ୍ଷକ ଭାବେ ପାଠ ପଢାଉଛନ୍ତି ଜିଲ୍ଲାପାଳ

ବରଙ୍ଗପୁର: ସ୍କୁଲରେ ବସିଛନ୍ତି ଛାତ୍ରଛାତ୍ରୀ ଆଉ ଶିକ୍ଷକ ଭାବେ ପାଠ ପଢାଉଛନ୍ତି ଜିଲ୍ଲାର ଜିଲ୍ଲାପାଳ । ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ମଧ୍ୟ ଏପରି ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଗସ୍ତରେ ଯାଇଥିଲେ ନବରଙ୍ଗପୁର ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର । କୋଷାଗୁମୁଡା ବ୍ଲକରେ ଜିଲ୍ଲାପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା ଜିଲ୍ଲାପାଳ ଏବଂ ଏସପିଙ୍କର ଯୁଗ୍ମ ଜନ ଶୁଣାଣି ଶିବିର ।

ଏହି ଶିବିରରେ ଲୋକଙ୍କ ଅଭିଯୋଗ ଶୁଣିବା ପରେ, ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ବିଦ୍ୟାଳୟ ବୁଲିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଖାଲି ଇଚ୍ଛା ନୁହେଁ ସିଧା ଯାଇ ପହଁଚି ଯାଇଥିଲେ କୋଷାଗୁମୁଡା ଏବଂ ସନ୍ତୋଷପୁର ହାଇସ୍କୁଲରେ । ସେଠାରେ ପହଁଚି ପିଲାମାନଙ୍କୁ ପାଠ ପଢ଼ାଇଥିଲେ ଜିଲ୍ଲାପାଳ । ଯାହାର ଦୃଶ୍ୟ ଆପଣମାନେ ଦେଖିପାରୁଥିବେ । ଜିଲ୍ଲାପାଳଙ୍କ ସହିତ ଆଉ କିଛି ଜଣ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର କୋଷାଗୁମୁଡ଼ା ହାଇସ୍କୁଲ ଗସ୍ତ କରି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀ ବ୍ୟାକରଣ ଉପରେ ପାଠ ପଢ଼ାଉଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ଗସ୍ତ ଅବସରରେ ସେ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଆଉ ପିଲାମାନେ ତାହାର ଉତ୍ତର ରଖିଥିଲେ । ପିଲାମାନେ ଯେଉଁ ପ୍ରଶ୍ନର ଉତ୍ତର ଦେଇପାରୁନଥିଲେ ଖୁବ୍ ସରଳତାର ସହ ଜିଲ୍ଲାପାଳ ନିଜେ ସେହି ଉତ୍ତରକୁ ପିଲାମାନଙ୍କୁ ବୁଝାଇ କହୁଥିଲେ ।

ସେହିଭଳି ସନ୍ତୋଷପୁର ଏସଏସଡି ହାଇସ୍କୁଲରେ ବି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇଥିଲେ ଜିଲ୍ଲାପାଳ ଡଃ ଶୁଭଙ୍କର । ଏଠାରେ ଗଣିତ ବିଷୟରେ ପାଠ ପଢାଇଥିଲେ । ଗଣିତ ବିଷୟରେ ବିଭିନ୍ନ ପ୍ରଶ୍ନ କରି ପ୍ରାୟ ଅଧ ଘଣ୍ଟା ପାଠ ପଢାଇଥିଲେ ଏଠାରେ । ପିଲାମାନଙ୍କ ସହ ଆଲୋଚନା କରିବା ସହିତ ଭଲ ପାଠ ପଢିବାକୁ ଉତ୍ସାହିତ କରିଥିଲେ ।

ଖାଲି ସେତିକି ନୁହେଁ ଉଭୟ ବାଳକ ଓ ବାଳିକା ହଷ୍ଟେଲ ପରିଦର୍ଶନ କରି ସ୍ୱଚ୍ଛତା ଓ ନିରାପତ୍ତା ଉପରେ ଧ୍ୟାନ ଦେବାକୁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ସ୍କୁଲ୍ ରେ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନର ଖାଦ୍ୟକୁ ନିଜେ ଖାଇଥିଲେ ଏବଂ ଖାଦ୍ୟର ମାନକୁ ଉଚ୍ଚ ପ୍ରଶଂସା କରି ରୋଷେୟା ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ଚାରିଆଡେ ପ୍ରଶଂସା କରାଯାଉଛି । ଏପଟେ ଜିଲ୍ଲାପାଳଙ୍କୁ ନିଜ ଶିକ୍ଷକ ଭାବରେ ପାଇଥିବାରୁ ଛାତ୍ରଛାତ୍ରୀମାନେ ବେଶ ଖୁସିଥିବା ଦେଖିବାକୁ ମିଳିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button