ଦେଶ- ବିଦେଶ

ମାଡ଼ି ଆସୁଛି ସାମୁଦ୍ରିକ ଝଡ଼, ଆହୁରି ଗମ୍ଭୀର ହୋଇପାରେ ଆନ୍ଧ୍ର ସ୍ଥିତି

ନୂଆଦିଲ୍ଲୀ : ବର୍ଷା ଏବଂ ବନ୍ୟାକୁ ନେଇ ଆନ୍ଧ୍ର ପ୍ରଦେଶ ଏବଂ ତେଲଙ୍ଗାନା ସ୍ଥିତି ଏବେ ମଧ୍ୟ ଜଟିଳ ରହିଛି। ଉଭୟ ରାଜ୍ୟର ହଜାର ହଜାର ଲୋକ ଏବେ ମଧ୍ୟ ଜଳବନ୍ଦୀ ହୋଇ ରହିଥିଲାବେଳେ ଯୋଗାଯୋଗ କ୍ଷେତ୍ର ବିଛିନ୍ନ ହୋଇପଡ଼ିଛି। ସଡ଼କ ଏବଂ ରେଳପଥ ସ୍ବାଭାବିକ ହୋଇ ନାହିଁ। ଏହାକୁ ନେଇ ପରିବହନ ବ୍ୟବସ୍ଥା ଭାରୀମାତ୍ରାରେ ପ୍ରଭାବିତ ହୋଇଛି।

ଫଳରେ ଲୋକମାନଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ତ୍ରିପୁରା ସମେତ ଏହି ଦୁଇ ରାଜ୍ୟରେ ସପ୍ତାହକ ମଧ୍ୟରେ ୭୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ କେବଳ ଆନ୍ଧ୍ର ଏବଂ ତେଲଙ୍ଗାନାରେ ପ୍ରାୟ ୫ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏଭଳି ସ୍ଥିତିରେ ଆନ୍ଧ୍ରରେ ସାମୁଦ୍ରିକ ଝଡ଼ ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ବୁଧବାର ସତର୍କ କରାଇଛି। ସାମୁଦ୍ରିକ ଝଡ଼ ଆସିବା ପୂର୍ବରୁ ଆନ୍ଧ୍ର ଏବଂ ତେଳଙ୍ଗାନା ରାଜ୍ୟର ବହୁ ଜିଲ୍ଲାରେ ପୁଣି ପ୍ରବଳ ବର୍ଷିବ ବୋଲି ଆଇଏମଡି କହିଛି। ଆଇଏମଡି ଏହି ସୂଚନାକୁ ନେଇ ଲୋକମାନଙ୍କ ମନରେ ପୁଣି ଛନକା ପଶିଛି। ସେପଟେ ବର୍ଷା ଏବଂ ବନ୍ୟାକୁ ନେଇ ଗୁଜରାଟ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲା ବେଳେ ରାଜସ୍ଥାନରେ ବର୍ଷା ଲାଗି ରହିଛି। ବୁଧବାର ସୁଦ୍ଧା ରାଜ୍ୟର ୧୭ଟି ଜିଲ୍ଲା ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଛି ବୋଲି କୁହାଯାଇଛି। ଯୋଧପୁର ଏବଂ ଉଦୟପୁର ଦୁଇ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବା ସହିତ ବହୁ ସଡ଼କପତ ଏବଂ ରେଳଧାରଣା ଭାସିଯାଇଛି। ରାଜ୍ୟର ୧୦୦ ଗ୍ରାମରେ ବନ୍ୟା ସତର୍କତା ଜାରି କରାଯାଇଛି।

ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ରାଜ୍ୟ ସରକାରଙ୍କୁ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଉତ୍ତରପୂର୍ବାଞ୍ଚଳ ନାଗାଲାଣ୍ଡରେ ମଧ୍ୟ ପ୍ରବଳ ବର୍ଷାକୁ ନେଇ ସ୍ଥିତି ଗମ୍ଭୀର ହୋଇଛି। ଏଠାରେ ବହୁ ନଦୀରେ ବନ୍ୟା ଆସିବାରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button