ରାଜ୍ୟ

ରଖେ ହରି ମାରେ କିଏ: ଟ୍ରେନ୍‌ ଟ୍ରାକ୍‌ରୁ ବଞ୍ଚିଲା ଜୀବନ

ରେଢ଼ାଖୋଲ: ବିଳମ୍ବିତ ରାତି। ସବୁ ଆଡ଼େ ଶୂନ୍ଶାନ୍। କେବଳ ଯାହା ଶୁଣିବାକୁ ମିଳୁଥିଲା ଟ୍ରେନ୍ର ଚୁକୁ ଚୁକୁ ଶବ୍ଦ। ଭିତରେ ଥିବା ସମସ୍ତ ଯାତ୍ରୀ ଶୋଇପଡ଼ିଲେ। କାହାର କାହାରି ଉପରେ ନଜର ନ ଥାଏ। କିଏ କେଉଁ ଆଡ଼େ ଯାଉଛନ୍ତି ତାହା ଦେଖିବାକୁ ମଧ୍ୟ କେହି ନ ଥିଲେ। ଏଭଳି ଏକ ନିଶବ୍ଦ ରାତିରେ ୧୦ ବର୍ଷ ବୟସର ବାଳକ ପ୍ରଜ୍ଞା(ଛଦ୍ମନାମ) ପରିସ୍ରା କରିବାକୁ ବାଥ୍ରୁମ୍କୁ ବାହାରିଥିଲେ।

ସାଙ୍ଗରେ କେହି ନ ଥିଲେ। କିଟି କିଟି ଅନ୍ଧାର ମଧ୍ୟରେ ଏକା ଏକା ଆଗକୁ ବଢ଼ିଥିଲେ ପ୍ରଜ୍ଞା। ଜାଣି ନ ଥିଲେ ଆଗରେ କ’ଣ ଅଛି। ବାଥ୍ରୁମ୍ ଖୋଜୁ ଖୋଜୁ ଟ୍ରେନ୍ ଫାଟକ ଖୋଲି ଦେଇଥିଲେ। ଆଉ ତା’ ପରେ ଯାହା ଘଟିଲା ତାହା ହୋଇଗଲା ଅବିଶ୍ବସନୀୟ।

ଏହା କୌଣସି କାହାଣୀ ନୁହେଁ। ବରଂ ଗତକାଲି ବିଳମ୍ବିତ ରାତିରେ ଦୁର୍ଗ-ପୁରୀ ଏକ୍ସପ୍ରେସ୍(୧୮୪୨୬)ରେ ଏଭଳି ରୋଚକ ଘଟଣା ଆଜି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ମିଳିଥିବା ସୂଚନା ଅନୁଯାୟୀ ଦୁର୍ଗ-ପୁରୀ ଏକ୍ସପ୍ରେସ୍ ପୁରୀ ଅଭିମୁଖେ ଆସୁଥିବା ବେଳେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନର ରେଢ଼ାଖୋଲ ଓ ବାମରା ଷ୍ଟେସନ ମଧ୍ୟରେ ପ୍ରଜ୍ଞା ଟ୍ରେନ୍ ଫାଟକ ଖୋଲିବା ପରେ ତଳକୁ ଖସି ପଡ଼ିଥିଲେ। ଟ୍ରେନ୍ ଆଗକୁ ଆଗକୁ ମାଡ଼ି ଚାଲିଥିଲା। କେହି କିଛି ବି ଜାଣିପାରି ନ ଥିଲେ। ରାତି ପାହି ଆସୁଥିବା ବେଳେ ସମ୍ବଲପୁରସ୍ଥିତ ଡିଭିଜନାଲ ସିକ୍ୟୁରିଟି କଣ୍ଟ୍ରୋଲ ରୁମ୍କୁ ଖବର ଆସିଥିଲା ଯେ ରେଢ଼ାଖୋଲ ରେଳ ଷ୍ଟେସନଠାରୁ ୩ରୁ ୪ କିମି ଦୂରରେ ଏକ ଟ୍ରାକ୍ ଉପରେ ଏକ ଶରୀର ପଡ଼ିଛି। ଏସମ୍ପର୍କରେ ରେଢ଼ାଖୋଲ ଆରପିଏଫ୍ ପୋଷ୍ଟକୁ ତୁରନ୍ତ ଖବର ଦିଆଯାଇଥିଲା। ସ୍ଥାନ ଅନୁସନ୍ଧାନ କରିବା ସହ ଆରପିଏଫ୍ କର୍ମଚାରୀମାନେ ବାଳକଙ୍କୁ ଉଦ୍ଧାର କରିଥିଲେ। ଆହତ ହୋଇଥିବା ଦେଖିବା କ୍ଷଣି ତାଙ୍କୁ ତୁରନ୍ତ ରେଢ଼ାଖୋଲ ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ।

ସେପଟେ ବାପା, ମା’ଙ୍କ ନିଦ ଭାଙ୍ଗିବା ପରେ ପୁଅକୁ ଖୋଜିଥିଲେ। ପାଖରେ ନ ପାଇ ମା’ ଗୋଟିଏ ପରେ ଗୋଟିଏ ବଗିକୁ ଧାଇଁ ପୁଅକୁ ଖୋଜିଥିଲେ। ମାତ୍ର ପୁଅକୁ ପାଇ ନ ଥିଲେ। ପୁଅ କେଉଁ ଆଡ଼େ ଚାଲିଗଲା? କିଏ ନେଇଗଲା? କୁଆଡ଼େ ଗଲୁରେ ଧନ? ଏଭଳି ଡାକି ଡାକି ଟ୍ରେନ୍ରେ ଥକା ହୋଇ ବସିପଡ଼ିଥିଲେ। ଆଖପାଖରେ ଥିବା ଲୋକେ ମଧ୍ୟ ତାଙ୍କୁ ସାନ୍ତ୍ବନା ଦେଇ ଚାଲିଥିଲେ। ଅପେକ୍ଷା କର। ସବୁ ଠିକ୍ ହୋଇଯିବ। ସବୁଆଡ଼ୁ ନିରାଶ ହେବା ପରେ ଢେଙ୍କାନାଳ ରେଳ ଷ୍ଟେସନରେ ଟ୍ରେନ ରହିବା ପରେ ପ୍ରଜ୍ଞାଙ୍କ ବାପା, ମା’ ଓହ୍ଲାଇ ପଡ଼ିଥିଲେ। ଦୁର୍ଗ-ପୁରୀ ଏକ୍ସପ୍ରେସ୍ର ବି୨ କୋଚ୍ରେ ଗସ୍ତ କରୁଥିବା ପ୍ରଜ୍ଞା ହଜିଥିବା ସମ୍ପର୍କରେ ତାଙ୍କ ବାପା ଆରପିଏଫ୍ ହେଲ୍ପଲାଇନ୍ ନମ୍ବର ୧୩୯ରେ ଏକ ଅଭିଯୋଗ କରିଥିଲେ। ତନାଘନା ପରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳଷ୍ଟେସନ ନିକଟସ୍ଥ ହେମାମୁରା ଗ୍ରାମ ନିକଟ ଟ୍ରାକ୍ରୁ ଉଦ୍ଧାର ହୋଇଥିବା ବାଳକ ଜଣକ ଟ୍ରେନ୍ରେ ଗସ୍ତ କରୁଥିବା ଯାତ୍ରୀଙ୍କର ବୋଲି ଜଣାପଡ଼ିଥିଲା। ଆରପିଏଫ୍ କର୍ମଚାରୀମାନେ ପିଲାଙ୍କୁ ଉଦ୍ଧାର କରି ଚିକିତ୍ସା କାର୍ଯ୍ୟ ଜାରି ରଖିଥିଲେ। ପୁଅ ସମ୍ପର୍କରେ ଖବର ପାଇବା ପରେ ବାପା, ମା’ ପୂର୍ବାହ୍ନ ପ୍ରାୟ ୯ଟା ୪୫ରେ ରେଢ଼ାଖୋଲ ସରକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ଉଭୟ ବାପା-ମା’ ପୁଅଙ୍କୁ ସାଙ୍ଗରେ ଧରି ଫେରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button