ରାଜ୍ୟ

କଚାଡ଼ି ଦେଲାଦୁର୍ଗମ ଗ୍ରାମରେ ଫଳିଲା ଅଙ୍ଗୁର, ଅଧିକ ଚାଷ ପାଇଁ ମନ ବଳାଇଛନ୍ତି ଆଦିବାସୀ ମହିଳା

ପାତ୍ରପୁର: ମନରେ କାର୍ଯ୍ୟ କରିବାର ଇଚ୍ଛାଶକ୍ତି ଥିଲେ ଯେକୌଣସି କାର୍ଯ୍ୟ ସମ୍ପାଦନରେ ସହାୟତା ହୋଇଥାଏ। ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଆଦିବାସୀମାନେ ବ୍ରିଟିଶ ଶାସନ ସମୟ ସୁରଙ୍ଗି ରାଜାଙ୍କ ରାଜୁତି ସମୟରେ କମଳା ଚାଷ କରି ରାଜ୍ୟରେ ନାମ କରିଥିଲେ। ତେବେ ପଞ୍ଚାୟତରେ ସୋଲାର ବତି ପାଇଁ ଦେଶରେ ତୃତୀୟ ହୋଇ ପୁରସ୍କୃତ ହୋଇଥିବାବେଳେ ଗତ ବର୍ଷ କୁମ୍ଭାର ଦଲ୍ହୀ ଗ୍ରାମର ଜଣେ ଆଦିବାସୀ ଯୁବକ ଷ୍ଟ୍ରବେରୀ ଚାଷ କରି ଚର୍ଚ୍ଚାକୁ ଆସିଥିଲେ।

ଏବେ ପୁଣି ଦୁର୍ଗମ ଅଞ୍ଚଳର ଜଣେ ଆଦିବାସୀ ମହିଳା ନିଜ ବାଡ଼ିରେ ଅଙ୍ଗୁର ଲଗାଇ ଆଦାୟ କରିବା ସହ ଭଲ ଦି ପଇସା ରୋଜଗାର କରୁଥିବାବେଳେ ସରକାରୀ ପ୍ରୋତ୍ସାହନ ମିଳିଲେ ଜମିରେ ଏହି ଚାଷ କରିବେ ବୋଲି କହିଛନ୍ତି।

ମହିଳା ଜଣକ ହେଉଛନ୍ତି ପାତ୍ରପୁର ବ୍ଳକ ଦୁର୍ଗମ ଆଙ୍କୁଲି ପଞ୍ଚାୟତ ଗୋକର୍ଣ୍ଣା ସାହି ଗ୍ରାମର ସୁନ୍ଦରୀ ଭୂୟାଁ। ସୁନ୍ଦରୀଙ୍କ ସ୍ବାମୀ ଦାଦନ ଖଟିବାକୁ ଚେନ୍ନାଇ ଚାଲି ଯାଇଥିବାବେଳେ ତିନି ବର୍ଷ ପୂର୍ବେ ସେ ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରେ ଥିବା ବନ୍ଧୁ ଘରକୁ ଯାଇ ଅଙ୍ଗୁର ଚାରା ସଂଗ୍ରହ କରିଥିଲେ। ଚାରା ଆଣି ନିଜ ଘର ସମ୍ମୁଖରେ ପରୀକ୍ଷାମୂଳକ ଭାବେ ଲଗାଇବା ପରେ ମାଳିବା ଦେଖି ଖୁଣ୍ଟ ପୋତି ଛାମୁଣ୍ଡିଆ ନିର୍ମାଣ କରିଥିଲେ। ଏହାପରେ ଗଛରେ ଅଙ୍ଗୁର ଫୁଲ ଫଳ ହେବା ଦେଖି ଆଗ୍ରହ ବଢିଥିଲା। ଗଛକୁ କୋଡା ଖୁସା କରିବା ସହ ମୂଳରେ କିଛି ଖତ ଦେଇଥିଲେ। ତେବେ ଗତ ଗ୍ରୀଷ୍ମ ଋତୁରେ ଭଲ ଫଳ ଆସିବା ପରେ ପାତ୍ରପୁର ବଜାରକୁ ନେଇ କିଲୋ ୧୫୦ଟଙ୍କାରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥିଲେ। ପୂର୍ବରୁ ଆଙ୍କୁଲି ସହିତ ପାର୍ଶ୍ବ ବୁରାତାଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ରାସ୍ତାଟିଏ ନଥିବାବେଳେ ଥଣ୍ଡାର ପ୍ରକୋପ ବର୍ଷର ଅଧିକାଂଶ ଦିନ ରହୁଥିଲା। ଯାହାକୁ ଦେଖି ଏହି ଗ୍ରାମ ସହିତ ତିତିରି ସିଙ୍ଗି, ବାଦୁଆ, ଧାନବାଡ, ଗଡ଼ଙ୍ଗ, କୁରୁଗୁଡ଼, ଧୋବାଲୀଙ୍ଗି ଆଦି ଗ୍ରାମରେ କମଳା ସହିତ ଲେମ୍ବୁ, ନାରଙ୍ଗ, ବତେଇ, ସପୁରୀ, ପିଲୁଲି ପ୍ରଚୁର ପରିମାଣରେ ଆଦାୟ ହେଉଥିଲା। ତେବେ ଏହି ଅଞ୍ଚରୁ ଆଦାୟ କମଳାର ସ୍ବାଦ ନିଆରା ଥିବାବେଳେ ରାଜ୍ୟରେ ସୁରଙ୍ଗୀ କମଳା ନାମରେ ବିକ୍ରୀ ହେଉଥିଲା। ରାଜା ରଜୁଡା ସମୟରେ ବିଭିନ୍ନ ଅଧିକାରୀଙ୍କୁ କମଳା ଉପହାର ଦିଆ ଯାଉଥିଲା। ଏବେ ବିଭିନ୍ନ କାରଣରୁ ଥଣ୍ଡା କମିଥିବାବେଳେ ପୂର୍ବ ଭଳି କମଳା ଆଦାୟ ହେଉନାହିଁ। ତେବେ ଗତ ବର୍ଷ ଷ୍ଟ୍ରବେରୀ ଚାଷ ସଫଳ ହେବାପରେ ଜଣେ ମହିଳା ବାଡ଼ିରେ ଅଙ୍ଗୁର ଉତ୍ପାଦନ କରି ଲାଭବାନ ହୋଇଛନ୍ତି। ତେବେ କମଳା ଭଳି ଦୀର୍ଘ ଦିନ ବଞ୍ଚି ରୋଜଗାର ଯୋଗାଉଥିବା ଅଙ୍ଗୁର ଚାଷ କରିବା ପାଇଁ ଉଦ୍ୟାନ ବିଭାଗ ଦୃଷ୍ଟିଦେଲେ ବହୁ ଆଦିବାସୀ ଚାଷ ପ୍ରତି ଆକୃଷ୍ଟ ହେବା ସହ ରୋଜଗାର ପାଇବା ଆଶା ରହିଛି। ତେବେ ବାଡ଼ିରେ ଅଙ୍ଗୁର ଫଳାଇଥିବା ସୁନ୍ଦରୀଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିଲେ ଅଧିକ ଜମିରେ ଏହି ଚାଷ କରିବେ ବୋଲି ପ୍ରକାଶ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button