ଫିଲିପାଇନ୍ସରେ ଧ୍ୱଂସ ରଚିଲା ଶକ୍ତିଶାଳୀ ଝଡ଼ ‘ୟାଗି’, ୧୪ ଜଣଙ୍କ ମୃତ୍ୟୁ

ଉତ୍ତର ଫିଲିପାଇନ୍ସରେ ମଙ୍ଗଳବାର ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ଯୋଗୁ ବନ୍ୟା ଓ ଭୂସ୍ଖଳନ ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ବିପର୍ଯ୍ୟୟ ମୁକାବିଲା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପାଣିପାଗ ବ୍ୟୁରୋ ଅନୁଯାୟୀ, ଘୂର୍ଣ୍ଣିଝଡ଼ ‘ୟାଗି’ ଇଲୋକୋସ୍ ନର୍ଟେ ପ୍ରଦେଶର ପାଓୟ ସହର ଦେଇ ଘଣ୍ଟା ପ୍ରତି ୭୫ କିଲୋମିଟର ବେଗରେ ଦକ୍ଷିଣ ଚୀନ୍ ସାଗରକୁ ଛୁଇଁଥିଲା ।
ପବନର ଘଣ୍ଟା ପ୍ରତି ବେଗ ଥିଲା ୧୨୫ କିଲୋମିଟର । ‘ୟାଗି’ ସମୁଦ୍ରରୁ ଉତ୍ତର-ପଶ୍ଚିମ ଦିଗରେ ଦକ୍ଷିଣ ଚୀନ୍ ଆଡକୁ ଗତି କରୁଥିବା ବେଳେ ଏକ ଭୟଙ୍କର ରୂପ ନେଇପାରେ ।
ଉତ୍ତର ଫିଲିପାଇନ୍ସର ଅଧିକାଂଶ ପ୍ରଦେଶରେ ଝଡ଼ ପାଇଁ ଚେତାବନୀ ଜାରି କରାଯାଇଛି । ବର୍ଷା ପ୍ରଭାବିତ ପାହାଡ଼ିଆ ଗ୍ରାମରେ ଭୂସ୍ଖଳନ ଏବଂ ଲୁଜନର ନିମ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରାଯାଇଛି । ସ୍ଥାନୀୟ ଭାଷାରେ ‘ଏନଟେଙ୍ଗ୍’ ନାମରେ ଜଣାଶୁଣା ଟାଇଫୁନ୍ ‘ୟାଗି’ ଫିଲିପାଇନ୍ସରେ ପ୍ରବଳ ମୌସୁମୀ ବର୍ଷା କରାଉଛି । ଜନବହୁଳ ମନିଲା ଓ ଲୁଜନରେ ପ୍ରବଳ ବର୍ଷା ହେତୁ ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ ମଙ୍ଗଳବାର ବନ୍ଦ ରହିଛି ।
ଆଣ୍ଟିପୋଲୋ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଏନରିଲିଟୋ ବର୍ନାର୍ଡୋ ଜୁନିୟର କହିଛନ୍ତି, ଉତ୍ତର ଓ ମଧ୍ୟ ରାଜ୍ୟରେ ଭୂସ୍ଖଳନ, ବନ୍ୟା ଏବଂ ନଦୀର ଜଳସ୍ତର ବୃଦ୍ଧି ହେତୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ବନ୍ୟାରେ ଅନେକ ଘର ଧୋଇ ହୋଇଯାଇଥିବା ବେଳେ ଚାରି ଜଣ ଗ୍ରାମବାସୀ ନିଖୋଜ ଥିବା ଜଣାଯାଇଛି ।