ଦିଲ୍ଲୀ ମଦ ଦୁର୍ନୀତିରେ ବିଜୟ ନାୟରଙ୍କୁ ଜାମିନ, ୨୩ ମାସ ପରେ ଜେଲରୁ ବାହାରିବେ ଆପ୍ର ପୂର୍ବତନ ମିଡିଆ ପ୍ରଭାରୀ
ଦିଲ୍ଲୀ ମଦ ଦୁର୍ନୀତିରେ ଆମ ଆଦମୀ ପାର୍ଟିର ପୂର୍ବତନ ମିଡିଆ ପ୍ରଭାରୀ ଅଭିଯୁକ୍ତ ବିଜୟ ନାୟରଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି । ସୁପ୍ରିମକୋର୍ଟ ଇଡି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବିଜୟ ନାୟର ୨୩ ମାସ ଧରି ଜେଲରେ ଅଛନ୍ତି । ମନୀଷ ସିସୋଦିଆଙ୍କ ମାମଲା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ସିବିଆଇ ମାମଲାରେ ନାୟର ପୂର୍ବରୁ ହିଁ ଜାମିନ ପାଇଛନ୍ତି । ବର୍ତ୍ତମାନ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳିବେ ।
୨୦୨୨ ଡିସେମ୍ବରରେ ଇଡି ମଦ ଦୁର୍ନୀତି ମାମଲାରେ ଏକ ଚାର୍ଜସିଟ ଦାଖଲ କରିଥିଲା । ଏଥିରେ ବିଜୟ ନାୟରଙ୍କୁ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଅତି ନିକଟତର ବୋଲି ଇଡି ବର୍ଣ୍ଣନା କରିଥିଲା । ସେହି ବର୍ଷ ଅଭିଯୁକ୍ତ ଅମିତ ଆରୋରାଙ୍କ ରିମାଣ୍ଡ କପିରେ ଇଡି ଦାବି କରିଥିଲା ଯେ ଆମ୍ ଆଦମୀ ପାର୍ଟିର ନେତାମାନଙ୍କୁ ଦେବା ପାଇଁ ‘ସାଉଥ ଗ୍ରୁପ୍’ ବିଜୟ ନାୟରଙ୍କୁ ୧୦୦ କୋଟି ଟଙ୍କା ଲାଞ୍ଚ ଦେଇଥିଲା ।
ସିବିଆଇର FIR ମୁତାବକ, ମନୀଷ ସିସୋଦିଆଙ୍କ ସହଯୋଗୀ ଅର୍ଜୁନ ପାଣ୍ଡେ ମଦ ବ୍ୟବସାୟୀ ସମୀର ମହେନ୍ଦ୍ରୁଙ୍କଠାରୁ ୨ରୁ ଚାରି କୋଟି ଟଙ୍କା ନେଇଥିଲେ । ଏହି ରାଶି ବିଜୟ ନାୟରଙ୍କ ତରଫରୁ ଅର୍ଜୁନ ପାଣ୍ଡେ ନେଇଥିଲେ । ପରେ ନାୟର ଏହି ରାଶିକୁ ମଦ ଦୁର୍ନୀତିର ଅଭିଯୁକ୍ତ ସରକାରୀ ଅଫିସରମାନଙ୍କୁ ପ୍ରଦାନ କରିଥିଲେ ।
କହି ରଖୁଛୁ, ଦିଲ୍ଲୀ ମଦ ଦୁର୍ନୀତିରେ ମନୀଷ ସିସୋଦିଆଙ୍କୁ ମଧ୍ୟ ୧୭ ମାସ ପରେ ଜାମିନ ମିଳିଛି । ଗତ ବର୍ଷ ଫେବୃୟାରୀ ୨୬ରେ ସିସୋଦିଆ ଗିରଫ ହୋଇଥିଲେ । ସୁପ୍ରିମକୋର୍ଟ ତାଙ୍କୁ ଅଗଷ୍ଟ ୯ରେ ଜାମିନ ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ଅଦାଲତ ସିସୋଦିଆଙ୍କୁ ୩ଟି ସର୍ତ୍ତରେ ଜାମିନ୍ ଦେଇଥିଲେ ।
ସେପଟେ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ପୁଣି ବଢ଼ିଛି । କୋର୍ଟ ତାଙ୍କ ହେପାଜତକୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।