ହଲିଉଡ ଆଧ୍ୟାତ୍ମିକ ଗୁରୁ ଭେରେଟ୍ଙ୍କୁ ବିବାହ କରିବେ ନରୱେ ରାଜକୁମାରୀ ଲୁଇସ୍

ଓସଲୋ: ନରୱେର ରାଜକୁମାରୀ ମାର୍ଥା ଲୁଇସ୍ ଏହି ସପ୍ତାହ ଶେଷରେ ଜଣେ ସ୍ୱଘୋଷିତ ଶାମନ (କଳାଯାଦୁ ଦ୍ବାରା ପ୍ରେତାତ୍ମାମାନଙ୍କୁ ଆମନ୍ତ୍ରଣ କରି ଲୋକଙ୍କ ରୋଗ ଭଲ କରିପାରୁଥିବା ଗୁଣିଆ)ଙ୍କୁ ବିବାହ କରିବେ, ଯିଏ କି ମୃତ୍ୟୁରୁ ଉଠିଆସିଥିବା ଦାବି କରନ୍ତି। ସୁଶ୍ରୀ ଲୁଇସ୍ ଓ ତାଙ୍କ ଆମେରିକୀୟ କୃଷ୍ଣକାୟ ପ୍ରେମିକ ଡୁରେକ୍ ଭେରେଟ୍ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଗିରାଞ୍ଜରରେ ଏକ ଘରୋଇ ସମାରୋହରେ ବିବାହ କରିବେ।
ଆଲେସୁନ୍ଦ୍ର ଏକ ଐତିହାସିକ ହୋଟେଲରେ ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା, ଯେଉଁଠାରେ ସ୍ୱିଡେନ୍ ରାଜ ପରିବାରର ସଦସ୍ୟ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱଙ୍କ ସମେତ ଶତାଧିକ ଅତିଥି ଏକତ୍ରିତ ହୋଇ ଏହାକୁ ପାଳନ କରିଥିଲେ। ବିବାହ କାର୍ଯ୍ୟକ୍ରମରେ ଏକ ସୁନ୍ଦର ଡଙ୍ଗା ଯାତ୍ରା ରହିଛି, ଯେଉଁଥିରେ ଦମ୍ପତି ଶପଥ ବିନିମୟ କରିବେ। ୫୨ ବର୍ଷୀୟା ରାଜକୁମାରୀ ମାର୍ଥା ଲୁଇସ୍ ନରୱେର ରାଜା ହେରାଲ୍ଡ ପଞ୍ଚମଙ୍କ ଜ୍ୟେଷ୍ଠ ସନ୍ତାନ ଏବଂ ଏକଦା ଜଣେ ଅଶ୍ୱାରୋହୀ ଥିଲେ। ୪୯ ବର୍ଷୀୟ ଭେରେଟ୍ ଜଣେ ହଲିଉଡ୍ ଆଧ୍ୟାତ୍ମିକ ଗୁରୁ।
‘ଭଣ୍ଡ ବାବା’ ବୋଲି ମଧ୍ୟ ତାଙ୍କୁ ଅନେକେ ଜାଣନ୍ତି। ଭେରେଟ୍ ହେଉଛନ୍ତି ଜଣେ ଆଫ୍ରିକୀୟ-ଆମେରିକୀୟ ଆଧ୍ୟାତ୍ମିକ ଗୁରୁ ଯାହାଙ୍କର ଗ୍ୱିନେଥ୍ ପାଲଟ୍ରୋ ଓ ଆଣ୍ଟୋନିଓ ବଣ୍ଡେରାସଙ୍କ ପରି ସେଲିବ୍ରିଟିମାନେ ଅନୁଗାମୀ ଅଛନ୍ତି। ଲୁଇସ୍ ୨୦୧୯ରେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ନିଜ ପ୍ରେମିକ ଭାବେ ଭେରେଟ୍ଙ୍କୁ ଦୁନିଆ ଆଗରେ ପରିଚିତ କରାଇଥିଲେ। ଜୁନ୍ ୨୦୨୨ରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା।