ମନ୍ଦିରରେ ପ୍ରସାଦ ବିକ୍ରି କରୁଥିଲେ ୟୁଜର୍ସ ଦେବେ ଫି’, ଅଳିଆ ଆବର୍ଜନାକୁ ଏଣେତେଣେ ପକାଇଲେ ଗଣିବେ ତଣ୍ଡ

ଭୁବନେଶ୍ୱର : ଏବେ ମନ୍ଦିରରେ ପ୍ରସାଦ ବିକ୍ରି କରୁଥିଲେ ୟୁଜର୍ସ ଦେବେ ଫି’ । ଏଭଳି ନିର୍ଦ୍ଦେଶ ଦେଇଛି ବିଏମ୍ସି । ଏଥିସହିତ ମନ୍ଦିରରୁ ପ୍ରତ୍ୟେକ ଦିନ ବାହାରୁଥିବା ଅଳିଆ ଆବର୍ଜନାକୁ ମଧ୍ୟ ବିଏମ୍ସିର ସଫେଇ ଗାଡ଼ିକୁ ଦେବେ । ସଫେଇ ଗାଡ଼ିରେ ଆବର୍ଜନା ନ ଦେଇ ଏଣେତେଣେ ଫିଙ୍ଗିଲେ ଜରିମାନା ଗଣିବେ ବୋଲି ନିର୍ଦ୍ଦେଶ ଦେଇଛି ବିଏମ୍ସି ।
ସେହିପରି ୪୮୨ ମନ୍ଦିର ପରିଚାଳକଙ୍କୁ ନୋଟିସ୍ କରିଛି ବିଏମ୍ସି । କେବଳ ପ୍ରସାଦ ବିକ୍ରି କରୁଥିବା ମନ୍ଦିର ନୁହନ୍ତି ବରଂ ଯେଉଁ ମନ୍ଦିରରେ ବିଭିନ୍ନ ସମୟରେ ଭୋଜିଭାତର ଆୟୋଜନ ହେଉଛି ସେହି ମନ୍ଦିର କର୍ତ୍ତୃପକ୍ଷ ବା ପରିଚାଳକ ମଧ୍ୟ ୟୁଜର୍ସ ଫି ଦେବେ। ଲୋକ ସଂଖ୍ୟା ବା ମିଲ୍ ପରିମାଣ ଆଧାରରେ ଏହି ୟୁଜର୍ସ ଫି ଧାର୍ଯ୍ୟ ହେବ। ଏଠାରୁ ବାହାରୁଥିବା ସବୁଜ ଆବର୍ଜନା ଓ ଓଦା(ଖାଦ୍ୟ ପଦାର୍ଥ) ଆବର୍ଜନା ସିଧାସଳଖ ବାୟୋମିଥେନ୍ ପ୍ଲାଣ୍ଟକୁ ଯାଇ ପରିଚାଳନା ହେବ। ଫୁଲ, ତୁଳସୀପତ୍ର ଓ ଅନ୍ୟାନ୍ୟ ଆବର୍ଜନାକୁ ଧୁପକାଠି ପାଇଁ ସ୍ଥାପନ ହେବାକୁ ଥିବା ପ୍ଲାଣ୍ଟକୁ ପଠାଯିବ।
ବିଏମ୍ସି କରିଥିବା ସର୍ଭେ ଅନୁସାରେ , ଭୁବନେଶ୍ବରରେ ୭ଶହରୁ ଊର୍ଦ୍ଧ୍ବ ମନ୍ଦିର ରହିଛି । ୪୩୩ ମନ୍ଦିରରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇ ବିକ୍ରି କରାଯାଉଥିବା ବେଳେ ୪୯ ମନ୍ଦିରରେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ ପର୍ବ ପାଳନ କରାଯାଉଛି । ଅର୍ଥାତ୍ ମୋଟ ୪୮୨ଟି ମନ୍ଦିରରେ ଖାଦ୍ୟପେୟରେ ବ୍ୟବସ୍ଥା ହେଉଛି । ୪୮୨ ମନ୍ଦିରରୁ ଦିନକୁ ୬୦୪୫ ମିଲ୍ ପ୍ରସ୍ତୁତ ହେଉଛି। ଏଥିରୁ ପ୍ରାୟ ୪ଶହ ଟନ୍ ବଳକା ଖାଦ୍ୟ ବାହାରୁଛି । ଏହି ସବୁ ଖାଦ୍ୟ ପଦାର୍ଥ ଏଣେତେଣେ ପଡ଼ୁଛି। ଅଧିକାଂଶ ବଳକା ଖାଦ୍ୟ ନଳାରେ ପଡ଼ୁଛି। ଫଳରେ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଛି।
ସେହିପରି ମନ୍ଦିରରୁ ପ୍ରତ୍ୟେକ ଦିନ ଫୁଲ, କଦଳୀ ଚୋପା, ବେଲପତ୍ର, କଦଳୀ ପତ୍ର, ତୁଳସୀପତ୍ର, ଖଲିପତ୍ର, ନଡିଆ କତା ଓ ଷଢ଼େଇ, ଗୁଆ, ଲେମ୍ବୁ, ବାଉଁଶ ଡାଲା, ତାଳ ଭୋଗେଇ, ପୋଡା ଧୂପ କାଠି ଓ ଖୋଳ, ବ୍ୟବହୃତ ଦୀପ, ସଳିତା, ଅଦରକାରୀ ବା ବଳକା ପ୍ରସାଦ, ଅବଢ଼ା, ଫଳମୂଳ, ଅଗରୁ, ଚନ୍ଦନ ଓ ଗଙ୍ଗା ଜଳ ବୋତଲ, ପଲିଥିନ୍, ଠାକୁରଙ୍କ ଅବ୍ୟବହୃତ ପୋଷାକ, ସାଲୁ କନା ଇତ୍ୟାଦି ବାହାରୁଛି। ଏଣୁ ଏ ସବୁ ବର୍ଜ୍ୟକୁ ଦୁଇଟି ଡଷ୍ଟବିନରେ ଓଦା ଓ ଶୁଖୁଲା ଭାବେ ଅଲଗା ଅଲଗା କରି ରଖିବାକୁ କୁହାଯାଇଛି। ଫୁଲ, କଦଳୀ ଚୋପା, ବେଲ ପତ୍ର, କଦଳୀ ପତ୍ର, ଲେମ୍ବୁ, ଅଦରକାରୀ ବା ବଳକା ପ୍ରସାଦ, ଅବଢ଼ା, ଫଳମୂଳ ଇତ୍ୟାଦି ଓଦା ଡଷ୍ଟବିନ୍ରେ ଓ ଖଲିପତ୍ର, ନଡ଼ିଆ କତା ଓ ଷଢ଼େଇ, ଗୁଆ, ବାଉଁଶ ଡାଲା, ତାଳ ଭୋଗେଇ, ପୋଡ଼ା ଧୂପ କାଠି ଓ ଖୋଳ, ବ୍ୟବହୃତ ଦୀପ, ସଳିତା, ଖାଲି ବୋତଲ, ପଲିଥିନ୍, ଠାକୁରଙ୍କ ଅବ୍ୟବହୃତ ପୋଷାକ, ସାଲୁ କନା ଆଦି ଶୁଖୁଲା ଡଷ୍ଟବିନରେ ରଖିବେ।
ମନ୍ଦିରରୁ ବାହାରୁ ଥିବା ବାସି ଫୁଲଗୁଡିକରୁ ହାତ ତିଆରି ପ୍ରାକୃତିକ ଧୂପକାଠି ପ୍ରସ୍ତୁତ କରାଯାଇ ପାରିବ। ସେହିଭଳି ଅନ୍ୟ ଓଦା ଆବର୍ଜନା ଅଏଲ୍ ଇଣ୍ଡିଆ ଦ୍ବାରା ସ୍ଥାପନ ହେବାକୁ ଥିବା ବାୟୋମିଥେନ୍ ପ୍ଲାଣ୍ଟରେ ଗ୍ୟାସ୍ ପ୍ରସ୍ତୁତ ହେବ। ଖଲି ପତ୍ର, କଦଳୀ ପତ୍ର ଓ ଦନା ଭଳି ସବୁଜ ଆବର୍ଜନା ସ୍ବତନ୍ତ୍ର ଗାଡ଼ିରେ ଅଣାଯାଇ ଗୁଣ୍ଡ କରାଯିବ। ପରେ ସ୍ବତନ୍ତ୍ର ମେସିନ୍ ଜରିଆରେ ଏହାକୁ ଚାପ ଦିଆଯାଇ ଇଟା(ବ୍ରିକେଟ୍) ରୂପ ଦିଆଯିବ।




