ଦେଶ- ବିଦେଶ

ଜମ୍ମୁ-କାଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ସେପ୍ଟେମ୍ବର ୫ ସୁଦ୍ଧା ନାମାଙ୍କନ

ମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଭାରତର ନିର୍ବାଚନ ଆୟୋଗ ଏହି ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ, ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି ସେପ୍ଟେମ୍ବର ୫ । ସେପ୍ଟେମ୍ବର ୬ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ।

ପ୍ରାର୍ଥୀମାନେ ୯ ତାରିଖ ସୁଦ୍ଧା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ୨୫ ତାରିଖରେ ମତଦାନ ହେବ ।

ଜମ୍ମୁ-କାଶ୍ମୀରର ସମସ୍ତ ୯୦ଟି ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଏବଂ ଅକ୍ଟୋବର ୧ରେ ତିନୋଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବ । ଅକ୍ଟୋବର ୪ରେ ଭୋଟ୍ ଗଣତି ହେବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଧବାର ନାମାଙ୍କନପତ୍ର ଯାଞ୍ଚ ହୋଇଥିଲା । ଏହି ଯାଞ୍ଚ ବେଳେ ଜେଲରେ ଥିବା ବିଚ୍ଛିନ୍ନତାବାଦୀ ସରଜାନ ବରକତିଙ୍କ ସମେତ ୩୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା । ବର୍ତ୍ତମାନ ମୈଦାନରେ ଅଛନ୍ତି ୨୪୪ ଜଣ ପ୍ରାର୍ଥୀ ।

ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ସେପ୍ଟେମ୍ବର ୧୮ରେ ଭୋଟ୍ ଗ୍ରହଣ କରାଯିବ । ସେଥିମଧ୍ୟରୁ ୧୬ଟି ଆସନ ଦକ୍ଷିଣ କାଶ୍ମୀରର ପୁଲୱାମା, କୁଲଗାମ, ଅନନ୍ତନାଗ ଓ ଶୋପିଆଁ ଜିଲ୍ଲାରେ ଥିବାବେଳେ ୮ଟି ଆସନ ଜମ୍ମୁର ଚନୋବ ଘାଟି ଅଞ୍ଚଳରେ ରହିଛି । ସେଥିରେ ଡୋଡା, କିଶ୍ଚଓ୍ୱାଡ଼ ଓ ରାମବନ ଜିଲ୍ଲା ଅନ୍ତର୍ଭୁକ୍ତ ।

୧୦ ବର୍ଷ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶେଷ ଥର ପାଇଁ ୨୦୧୪ରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ କରାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଧାରା ୩୭୦ ହଟିବା ପରେ ଏହା ଜମ୍ମୁ-କାଶ୍ମୀରରେ ପ୍ରଥମ ବିଧାନସଭା ନିର୍ବାଚନ ହେବ । ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ହଟାଇ ଦିଆଯାଇଥିଲା । ବର୍ତ୍ତମାନ ଏଠାରେ ବିଧାନସଭା ଆସନ ସଂଖ୍ୟା ବଢ଼ି ୯୦ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button