ରାଜ୍ୟ

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ୧୩୧୨ଟି କୋର୍ଟ ଅବମାନନା ମାମଲା, ତ୍ରୁଟି କାହାର?

ରାଜ୍ୟରେ ବିଜେଡି ସରକାର ଅମଳରେ ଅଫିସରମାନଙ୍କ ମନମୁଖୀ କାରବାର ଯୋଗୁ ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ୧୩୧୨ଟି କୋର୍ଟ ଅବମାନନା ମାମଲା ପଡ଼ିରହିଛି । ଏବେ ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ପଡ଼ିରହିଥିବା କୋର୍ଟ ଅବମାନନା ମାମଲାଗୁଡ଼ିକୁ ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନେବାକୁ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ୧୨ଟି ବିଭାଗ ବିରୁଦ୍ଧରେ ବିଭିନ୍ନ କୋର୍ଟରେ ୧୩୧୨ଟି ଅବମାନନା ମାମଲା ପଡ଼ିରହିଛି । ଧାର୍ଯ୍ୟ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ ନକରିବା ଓ ଅନ୍ୟାନ୍ୟ କାରଣ ଯୋଗୁ ଏହି ଅବମାନନା ମାମଲା ପଡ଼ିରହିଛି । ବିଜେଡି ସରକାର ସମୟରେ ଆଇଏଏସ୍ ଅଫିସରମାନେ ନିଜର ମନମୁଖୀ କାର୍ଯ୍ୟ କରୁଥିବାରୁ କୋର୍ଟରେ ଅବମାନନା ମାମଲା ବୃଦ୍ଧି ପାଇଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।

ଏପଟେ ମୁଖ୍ୟସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତମାସ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟ ସରକାରଙ୍କ ବିରୁଦ୍ଧରେ ୧୩୧୨ଟି ମାମଲା ପଡ଼ି ରହିଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବିସ୍ତୃତ ସୂଚନା ଦିଆଯାଇଥିଲା । ସ୍କୁଲ ଓ ଗଣଶିକ୍ଷା ବିଭାଗ ବିରୁଦ୍ଧରେ ସର୍ବାଧିକ ୯୮୫ଟି କୋର୍ଟ ଅବମାନନା ମାମଲା ଥିବାବେଳେ ଉଚ୍ଚଶିକ୍ଷା ବିଭାଗ ବିରୁଦ୍ଧରେ ୮୮ଟି, ପଂଚାୟତିରାଜ ଉପରେ ୭୨ଟି, ନଗର ଉନ୍ନୟନ ବିଭାଗ ଉପରେ ୬୨ଟି, ରାଜସ୍ୱ ବିଭାଗ ଉପରେ ୪୩ଟି, ଜଳସମ୍ପଦ ବିଭାଗ ଉପରେ ୨୯ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଉପରେ ୨୩ଟି, ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ୬ଟି କୋର୍ଟ ଅବମାନନା ମାମଲା ରହିଛି । କୃଷି ଓ କୃଷକ କଲ୍ୟାଣ, ଅବକାରୀ, ଶ୍ରମ ଓ ଇଏସଆଇ, ଅନୁସୂଚିତ ଜାତି-ଜନଜାତି ବିଭାଗ ବିରୁଦ୍ଧରେ ଗୋଟିଏ ଲେଖାଏଁ କୋର୍ଟ ଅବମାନନା ମାମଲା ରହିଥିବା ଜଣାପଡ଼ିଛି ।

ଏହି ସମସ୍ତ କୋର୍ଟ ଅବମାନନା ମାମଲାକୁ ପ୍ରଶାସନିକ ବିଭାଗଗୁଡ଼ିକ ଗୁରୁତ୍ୱର ସହ ନେଇ ଚଳିତମାସ ଶେଷ ସୁଦ୍ଧା ସେସବୁର ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button