ୟୁନିଫାଏଡ୍ ପେନସନକୁ ସିନ୍ଦେ ସରକାରଙ୍କ ମଞ୍ଜୁରୀ; ସ୍କିମ୍ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ମହାରାଷ୍ଟ୍ର
ମୁମ୍ବାଇ: କେନ୍ଦ୍ର ସରକାର ୟୁନିଫାଏଡ୍ ପେନସନ ସ୍କିମ୍ ବା ୟୁପିଏସ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ପାଇଁ ଆସନ୍ତା ଏପ୍ରିଲ ପହିଲାଙ୍କୁ ଏହି ନୂଆ ପେନସନ ସ୍କିମ୍ ଲାଗୁ ହେବ । ହେଲେ ଏହା ପୂର୍ବରୁ ରବିବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବା କର୍ମଚାରୀଙ୍କ ପାଇଁ ୟୁପିଏସକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ୟୁପିଏସ ଲାଗୁ କରିବାରେ ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ହୋଇଛି । ରାଜ୍ୟରେ ଏବେ ନ୍ୟୁ ପେନସନ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନସନ ଯୋଜନା ଲାଗୁ କରିବା ରାସ୍ତା ସଫା ହୋଇଛି ।
ସୂଚନା ଅନୁଯାୟୀ, ୟୁନିଫାଏଡ୍ ପେନସନ ସ୍କିମରେ ପ୍ରାୟ ୨୩ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ । ଯଦି ରାଜ୍ୟ ସରକାରମାନେ ଏହି ସ୍କିମ୍ କୁ ଲାଗୁ କରନ୍ତି, ତେବେ ଏହାର ଫାଇଦା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମିଳିବ । କେନ୍ଦ୍ର ସରକାର ଏହି ଯୋଜନାକୁ ଘୋଷଣା ବେଳେ, ଏହା ମଧ୍ୟ ସ୍ପଷ୍ଟ କରିଥିଲେ ରାଜ୍ୟ ସରକାରମାନେ ଏହାକୁ ଲାଗୁ କରିବା ପାରିବେ । ୟୁନିପାଏଡ୍ ପେନସନ ସ୍କିମ ବା ୟୁପିଏସକୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ନିଶ୍ଚିତ ଭତ୍ତା ଏବଂ ପରିବାର ଭତ୍ତାର ଗ୍ୟାରେଣ୍ଟି ଦେବ । ଦେଶର ଅର୍ଥନୀତି ବଢ଼ିବା ସହିତ ପେନସନ ଯୋଜନାରେ ମଧ୍ୟ ଭତ୍ତା ବୃଦ୍ଧି ପାଇବ । ସର୍ବନିମ୍ନ ୨୫ ବର୍ଷ ଚାକିରି ପରେ ଅବସର ନେଲେ ବେସିକ୍ ପେ’ର ୫୦ ପ୍ରତିଶତ ଦରମା ପେନସନ ଆକାରରେ ମିଳିବ । ଚାକିରି ସମୟରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ୬୦ ପ୍ରତିଶତ ଭତ୍ତା ମିଳିବା ନେଇ ୟୁପିଏସରେ ବ୍ୟବସ୍ଥା ହୋଇଛି ।
ୟୁନିଫାଏଡ୍ ପେନସନ ସ୍କିମରେ ସରକାରୀ କର୍ମଚାରୀଙ୍କୁ ଗ୍ରାଚ୍ୟୁଟି ସହିତ ଅବସର ପରେ ଏକ ନିଶ୍ଚିତ ରାଶି ମିଳିବ । ଏହି ହିସାବରେ କର୍ମଚାରୀଙ୍କୁ ପ୍ରତି ୬ ମାସରେ ମୂଳ ବେତନର ଏବଂ ମହଙ୍ଗା ଭତ୍ତାର ୧୦ମ ଭାଗ ମିଳିବ । ଏହି ଗ୍ରାଚ୍ୟୁଟି ଅର୍ଥ ଓପିଏସ ତୁଳନାରେ କମ୍ ହୋଇପାରେ ।