ରାଜ୍ୟ

ସାଙ୍ଗକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡି ଚାଲିଗଲା ସାଙ୍ଗର ଜୀବନ

ଯାଜପୁର : ଆଜିକାଲି ସାଙ୍ଗ ସାଙ୍ଗ ଭିତରେ କେତେ ଶତୃତା ହେଉଛି ଜଣେ ଅନ୍ୟ ଜଣକର ଜୀବନ ବି ନେବାକୁ ପଛାଉ ନାହାଁନ୍ତି । କିନ୍ତୁ ଏହି ଘଟଣାରେ ସାଙ୍ଗ ପାଇଁ ଜୀବନ ଦେଇ ପ୍ରକୃତ ସାଙ୍ଗର ଉଦାହରଣ ସୃଷ୍ଟି କରିଛନ୍ତି ଛାତ୍ର ଜଣକ । ନଦୀରେ ଗାଧୋଇବା ଦୁଇ ବନ୍ଧୁଙ୍କ ପାଇଁ ହେଲା କାଳ । ଯାଜପୁର ଜିଲ୍ଲା ବ୍ରହ୍ମବରଦା ସେତୁ ନିକଟରେ କେଡ଼େ ଖୁସିରେ ଗତକାଲି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ଗାଧୋଇବା ସ୍ଥାନରେ ସ୍ଥାନୀୟ କିଛି ବାଲି ମାଫିଆ ଚୋରାରେ ମେସିନ ଲଗାଇ ବାଲି ଉତ୍ତୋଳନ କରି ଉକ୍ତ ସ୍ଥାନରେ ବିରାଟ ଖାଲ ମାନ ସୃଷ୍ଟି କରିଥିଲେ । ସେହି ସ୍ଥାନରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ଜଣେ ଛାତ୍ର ପାଣିରେ ବୁଡ଼ିଯାଇଥିଲା । ଏହାଦେଖି ଜଲାଲ ତାର ସାଙ୍ଗକୁ ଉଦ୍ଧାର କରିବା ସମୟରେ ନିଜେ ବ୍ରାହ୍ମଣୀର ପ୍ରଖର ସ୍ରୋତରେ ଭାସିଯାଇଥିଲା ।

ସେଠାରେ ଥିବା ଅନ୍ୟଜଣେ ସାଙ୍ଗ ଏହା ଦେଖି ପାଟି କରିବାରୁ ସ୍ଥାନୀୟ ଲୋକମାନେ ପହଞ୍ଚି ଖୋଜାଖୋଜି କରିଥିଲେ । ଏଥିସହ ରସୁଲପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ବହୁ ଖୋଜାଖୋଜି କରିବା ପରେ ଜଲାଲର କୌଣସି ସନ୍ଧାନ ପାଇ ପାରିନଥିଲେ ।ଆଜି ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ହେଲେ ସ୍ଥାନୀୟ ମହେଶ୍ୱରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ସେକ ମୁକ୍ତାର ମହମ୍ମଦଙ୍କ ପୁଅ ସେକ ଜଲାଲ । ତାଙ୍କ ବୟସ ୧୯ ବର୍ଷ ହେବ ।

ତେବେ ଦୀର୍ଘ ୨୦ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଆଜି ନଦୀରୁ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଦେହ ଉଦ୍ଧାର ପରେ ବରୁଆଁ – ବାଲିଚନ୍ଦ୍ରପୁର ରାସ୍ତାର ବ୍ରହ୍ମବରଦା ବ୍ରିଜ ନିକଟରେ ମୃତଦେହ ରଖି ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ନଦୀରେ ଚାଲିଥିବା ବେଆଇନ ବାଲିଘାଟ ଓ ମୃତକ ପରିବାରକୁ କ୍ଷତି ପୂରଣ ଦାବିରେ ହୋ ହଲ୍ଲା ସହ ଧାରଣାରେ ବସିଥିଲେ ।

ଖବର ପାଇ ଘଟଣାସ୍ଥଳରେ ଯାଜପୁର ରୋଡ଼ ଏସଡ଼ିପିଓ, ରସୁଲପୁର ତହସିଲଦାର ପହଁଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ । ମୃତକ ପରିବାରକୁ ରେଡ଼କ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସହ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ଏଥିସହ ବେଆଇନ ବାଲି ଘାଟ ବନ୍ଦ ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ହଟିଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button