ରାଜ୍ୟ

ବେଦବ୍ୟାସ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: ୭୨ ଘଣ୍ଟା ବିତିଲା, ହତ୍ୟାକାରୀ ଗାଡ଼ି ଚାଳକର ଟେର୍‌ ପାଉନି ପୁଲିସ

ରାଉରକେଲା: ଗୋଟିଏ ଗାଁର ୫ ଜଣ ରାସ୍ତାଠାରୁ ଢ଼େର୍‌ ଦୂରତାରେ ଛିଡ଼ା ହୋଇ କଥାବାର୍ତ୍ତା ହେଉଥିଲେ। ଦ୍ରୁତଗତିରେ ଆସୁଥିବା ସ୍କର୍ପିଓ ତାଙ୍କୁ ଧକ୍କା ଦେବାସହ ଉପରେ ବି ଚଢ଼ିଗଲା। ଜଣେ ନାବାଳିକାଙ୍କ ଅକାଳ ବିୟୋଗ ଘଟିବା ସହ ୪ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଲୋମହର୍ଷଣକାରୀ ବେଦବ୍ୟାସ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲାକୁ ତିନି ଦିନ ବିତିଲାଣି।

କିନ୍ତୁ ବ୍ରାହ୍ମଣୀତରଙ୍ଗ ପୁଲିସ ଅଭିଯୁକ୍ତ ଗାଡ଼ି ଚାଳକକୁ ଗିରଫ କରିବାରେ ବିଫଳ ହୋଇଛି।

ଗତ ସୋମବାର ଅପରାହ୍ନ ପ୍ରାୟ ୪ଟା। ବ୍ରାହ୍ମଣୀଥାନା ଅନ୍ତର୍ଗତ ବେଲଡିହି ମଲ୍ଲିକପାଲିର ପାର୍ବତୀ ମୁଣ୍ଡା(୧୨)ଙ୍କ ସମେତ ସନ୍ତୋଷ ମାଝୀ(୨୯), ନକୁଳ ମାଝୀ(୩୩), ଆଦିତ୍ୟ ମାଝୀ(୭) ଓ ଗିରିଜା ଶଙ୍କର ମଲ୍ଲିକ ଛିଡ଼ାହୋଇଥିଲେ। ଏତିକିବେଳେ ଏକ ସ୍କର୍ପିଓ (ଓଡି-୧୪-କେବି-୮୪୨୫) ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ସମସ୍ତ ୫ ଜଣ ଗୁରୁତର ଆହତ ହୋଇଥିଲେ। ପରେ ଗାଡ଼ି ଚାଳକ ‌ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାରକରି ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ମଙ୍ଗଳବାର ଅପରାହ୍ନରେ ନାବାଳିକାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ନାବାଳିକାଙ୍କର ଅକାଳ ବିୟୋଗପରେ ମୃତକଙ୍କ ପରିବାରବର୍ଗ, ପ୍ରିୟଜନ ଗ୍ରାମବାସୀ ବେଲଡିହି ମହିନ୍ଦ୍ରା ସୋ’ରୁମ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଅଭିଯୋଗ କରିଥିଲେ, ମହିନ୍ଦ୍ରା ସୋ’ରୁମ୍‌ର ଏକ ସ୍କର୍ପିଓ ନେଇ ୪/୫ ଜଣ ଟେଷ୍ଟ୍‌ ଡ୍ରାଇଭ୍‌ରେ ଯାଇଥିଲେ। ମାତ୍ରାଧିକ ବେଗରେ ଗାଡ଼ି ଚଳାଉଥିବାବେଳେ ନିୟନ୍ତ୍ରଣ କରିନପାରି ୫ ଜଣଙ୍କୁ ଗାଡ଼ି ଚଢ଼ାଇଦେଇଥିଲେ।

ଗାଡ଼ି ଚାଳକଙ୍କ ସମେତ ଅନ୍ୟ ୪/୫ ଜଣ ନାବାଳକ ଥିଲେ। ଜଣେ ବରିଷ୍ଠ ତଥା ବିଶେଷଜ୍ଞ ଚାଳକଙ୍କୁ ଟେଷ୍ଟ୍‌ ଡ୍ରାଇଭ୍‌ ପାଇଁ ପଠାନଯିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରି ଉପଯୁକ୍ତ କ୍ଷତିପୂରଣ ଦାବିକରିଥିଲେ। ଏନେଇ ଦୀର୍ଘ ସମୟଧରି ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଆଜି ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଶୋକାକୁଳ ପରିବେଶରେ ନାବାଳିକାଙ୍କ ଅନ୍ତିମସଂସ୍କାର କରାଯାଇଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published. Required fields are marked *

Back to top button