ଯିଏ ଆଜି ରାଖି ବାନ୍ଧୁଛି ସିଏ କାହିଁକି ପୁଣି ଅପରାଧୀ ପାଲଟୁଛି, ନାରୀକୁ ଅସମ୍ମାନ କରୁଛି

ପ୍ରତି ଜାଗାରେ ପ୍ରତି କୋଣରେ ଲୁଚିଛନ୍ତି ନରରାକ୍ଷସ । ଏ ଦୁର୍ନୀତିଗ୍ରସ୍ତ ସମାଜରେ ଏହି ରାକ୍ଷସମାନେ ହେଉଛନ୍ତି ସବୁଠାରୁ ଭୟଙ୍କର । ଏମାନେ ମଣିଷ ହୋଇ ମଧ୍ୟ ମଣିଷକୁ ଖାଇ ଯାଆନ୍ତି । ଆମେ କହୁଛୁ ଏଭଳି ଦୁଷ୍କର୍ମକାରୀଙ୍କ କଥା । ଯେଉଁମାନଙ୍କ ଯୋଗୁଁ ଆଜି ନାରୀ ଆଦୌ ସୁରକ୍ଷିତ ନୁହେଁ । ସେମାନଙ୍କୁ ସଶକ୍ତ କରିବା ପାଇଁ ଯେତେ ପ୍ରୟାସ କରାଗଲେ ମଧ୍ୟ ପ୍ରତିକ୍ଷେତ୍ରରେ ସେମାନେ ଯୌନପିପାସୁଙ୍କ ଲୋଲୁପ ଦୃଷ୍ଟିରେ ପଡୁଛନ୍ତି ।
କେତେବେଳେ ନିର୍ଭୟା ଭାବରେ ତ କେବେ ଆଉ କୌଣସି ରୂପରେ ଖାଲି ଦୁଷ୍କର୍ମର ଶିକାର ହେଉନାହିଁ ଅତି ନିର୍ମମ ଓ ନିର୍ଦ୍ଦୟ ଭାବରେ ତାର ଜୀବନ ନେଉଛନ୍ତି ଏହି ନରରାକ୍ଷସମାନେ ।
କୋଲକାତାର ଆରକେଜି ହସପିଟାଲ ଘଟଣା ଏବେ ସିନା ସାରା ଦେଶକୁ ଆନ୍ଦୋଳିତ କରୁଛି ହେଲେ ପ୍ରତିଦିନ ଆମ ଦେଶର କେଉଁଠି ନା କେଉଁଠି ଜଣେ କେହି ଏହି କାଣ୍ଡର ଶିକାର ହେଉଛି । ଦୁଷ୍କର୍ମ ପରେ ହତ୍ୟା । ପ୍ରମାଣ ନଷ୍ଟ କରିବାକୁ ସବୁ ପ୍ରକାର ଯୋଜନା । ଆଉ ଏଥିରେ ଦୋଷୀ କେବଳ ପୁରୁଷ । ୨୦୧୭ରୁ ୨୦୨୨ ମଧ୍ୟରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ପ୍ରତିଦିନ ୮୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଆଉ ଏହିସୁି ମାମଲା ଭିତରେ ୯୫ ପ୍ରତିଶତ ଦୁଷ୍କର୍ମକାରୀ ହେଉଛନ୍ତି ପୀଡ଼ିତାର ପରିଚିତ ଲୋକ ।
ତେଣୁ ଏଥିରୁ ସ୍ପଷ୍ଟ ଯେ ଯାହାକୁ ଜଣେ ଭଲ ଭାବେ ଜାଣେ ଏବଂ ବିଶ୍ୱାସ କରେ ସେହିଭଳି ଲୋକ ହିଁ ନାରୀର ଇଜ୍ଜତ ଲୁଟୁଛନ୍ତି । ଏଥିରେ ୧୮ ବର୍ଷରୁ କମ୍ ବୟସ୍କ ଯୁବତୀ ଓ ଶିଶୁଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନାହିଁ । ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କେରଳ ଏବଂ ଛତିଶଗଡ଼ ଦୁଷ୍କର୍ମ ମାମଲାରେ ସବୁଠୁ ଉପରେ ରହିଛନ୍ତି । ୨୦୧୮ ମସିହାରେ ମଧ୍ୟପ୍ରଦେଶରେ ସର୍ବାଧିକ ୫୪୩୩, ୨୦୧୯ରେ ରାଜସ୍ଥାନରେ ୫୯୯୭ ଏବଂ ୨୦୨୦ରେ ସେହି ରାଜସ୍ଥାନ ତାଲିକା ଶୀର୍ଷରେ ରହିଥିଲା ୫୧୩୦ ମାମଲା ସହ । ଦୁଷ୍କର୍ମ ମାମଲା ଏତେ ସଂଖ୍ୟାରେ ହେଉଥିଲେ ମଧ୍ୟ ଦଣ୍ଡ ମିଳିଛି ଖୁବ୍ କମ୍ ଦୋଷୀଙ୍କୁ । ୨୦୧୮ରେ ୨୭.୨ ପ୍ରତିଶତ ଏବଂ ୨୦୧୯ରେ ୨୭.୮ ପ୍ରତିଶତ ମାମଲାର ଫଇସଲା ହୋଇ ଦଣ୍ଡାଦେଶ ହୋଇ ପାରିଥିଲା ।
ଓଡ଼ିଶା କଥା ଯଦି କହିବା ତେବେ ୨୦୧୯ରେ ଆମ ରାଜ୍ୟରେ ମୋଟ୍ ୧୩୮୨ଟି ମାମଲା ସାମନାକୁ ଆସିଥିଲା । ଏଥିରୁ ୧୧୫୧ଟି ୧୮ ବର୍ଷରୁ ଅଧିକ ଓ ୨୩୧ଟି ମାମଲାରେ ୧୮ ବର୍ଷରୁ କମ୍ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ ।
ଗତ କିଛି ଦଶନ୍ଧି ମଧ୍ୟରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ମଙ୍ଗ ଧରିଛନ୍ତି । ସେମାନଙ୍କ ଅଂଶୀଦାରୀ ବଢ଼ିଛି ଆଉ ଦେଶର ବିକାଶ ହୋଇଛି ସତ ହେଲେ ତା ସହିତ ବଢ଼ିଛି ଦୁଷ୍କର୍ମ ଘଟଣା । ତେଣୁ ମହିଳାମାନେ ସୁରକ୍ଷିତ ନୁହନ୍ତି । କେବଳ କର୍ମକ୍ଷେତ୍ର ନୁହେଁ ଘରେ ମଧ୍ୟ ସେମାନେ ସୁରକ୍ଷାକୁ ନେଇ ସବୁବେଳେ ସନ୍ଦିହାନ । ଏହି ପୁରୁଷ ପ୍ରଧାନ ସମାଜରେ ଯେବେ ପର୍ଯ୍ୟନ୍ତ ପୁରୁଷଙ୍କର ମାନସିକତା ନବଦଳିବ ସେପର୍ଯ୍ୟନ୍ତ ନାରୀ ସ୍ୱାଧୀନତା, ନାରୀ ସଶକ୍ତିକରଣ ସାମନାରେ ଏଭଳି ଦୁଷ୍କର୍ମକାରୀମାନେ ବିରାଟ ପ୍ରତିବନ୍ଧକ ହୋଇ ଛିଡ଼ା ହେବେ ।
ଆଜି ଭଳି ଏକ ପବିତ୍ର ଦିନରେ ଯେଉଁଥିପାଇଁ ନାରୀ ନିଜ ସୁରକ୍ଷା ନିମନ୍ତେ ରାଖି ବାନ୍ଧୁଛି ସେଠି କେବଳ କ୍ଷଣିକ ଭାବପ୍ରବଣତାରେ ହୁଏତ ପୁରୁଷ ବହି ଯାଉଛି । ନିଜ ଭଉଣୀ ଭାବରେ ଦାୟିତ୍ୱ ନିଭାଇ ଦେଉଛି । ହେଲେ ସେହି ଭାଇ ଅନ୍ୟ କାହାର ଭଉଣୀ ପାଇଁ ପାଲଟି ଯାଉଛି ପିଶାଚ । ମହିଳାମାନେ କେବଳ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର ହେବେ, ଏଇ ମାନସିକତା ପୁରୁଷ ମନରୁ ନଦୂରେଇଲା ଯାଏ ସମାଜରେ ପରିବର୍ତ୍ତନ ଆସିବ ନାହିଁ । ଅବଶ୍ୟ ଅତୀତ ତୁଳନାରେ ଅନେକ କଥା ବଦଳିଛି । ପୁରୁଷ ଓ ମହିଳା ବନ୍ଧୁ ଭାବରେ ରହୁଛନ୍ତି । କିନ୍ତୁ ଏହାର ପ୍ରତିଶତ ଖୁବ୍ କମ୍ । ଯେଉଁଠି କେବଳ ବନ୍ଧୁତା ହିଁ ଏକମାତ୍ର ସୂତ୍ର ହୋଇ ରହୁଛି । ନଚେତ ପୁରୁଷ ମନରେ ସେହି ଦୈହିକ ପିପାସା ଆଉ କିଛି ପାଇବାର ଆଶା ତାକୁ ଅନେକ ସ୍ଥାନରେ ରାକ୍ଷସ ବନାଇ ଦେଉଛି । … ତେବେ କେବେ ଏହି ଅପରାଧର ଶେଷ ? କେବେ ନାରୀ ପାଇଁ ମୁକ୍ତି ? କେବେ ଦୁଷ୍କର୍ମ ମୁକ୍ତ ହେବ ଆମ ସମାଜ ? ଏ ପ୍ରଶ୍ନର ଉତ୍ତର ତ କେବଳ ଆମରି ପାଖରେ ହିଁ ଅଛି ।
ହିମାଂଶୁ ପତି ମିଶ୍ର, ସମ୍ପାଦକ, କେନ୍ୟୁଜ୍ ଓଡ଼ିଶା