ଖେଳ ଖବର

ଓଜନ କମ କରିବା ପାଇଁ କରୁଥିବା ବ୍ୟାୟାମ ଦେଖି ମୋତେ ଲାଗିଲା ସେ ମରିଯିବେ: ବିନେଶଙ୍କ କୋଚ୍

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୫୦କିଲୋଗ୍ରାମ ଶ୍ରେଣୀର ମହିଳା ରେସଲିଂରେ ଭାଗ ନେଇଥିଲେ ଭାରତର କୁସ୍ତିଯୋଦ୍ଧା ଭିନେଶ ଫୋଗାଟ। ହେଲେ ଫାଇନାଲରେ ପହଞ୍ଚିବା ପରେ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଦରକାର ଥିବା ଓଜନରୁ ତାଙ୍କର ଓଜନ ୧୦୦ଗ୍ରାମ ଅଧିକ ଥିବାରୁ ସେ ଫାଇନାଲରେ ଖେଳିପାରିନଥିଲେ। ଏତେ ଅଭିଜ୍ଞ ହୋଇ ଭିନେଶ କିଭଳି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିଲେ ନାହିଁ ବା କମ କରିବାକୁ ଚେଷ୍ଟା କଲେ ନାହିଁ, ସେ ପ୍ରଶ୍ନ ଉଠିଥିଲା।

ଏବେ ସେସବୁ ପ୍ରଶ୍ନର ଜବାବ ଦେଇଛନ୍ତି ଭିନେଶଙ୍କ କୋଚ୍ ୱୋଲର୍ ଅକୋସ୍।

ଏକ ଫେସବୁକ ପୋଷ୍ଟରେ ସେ ଲେଖିଛନ୍ତି, “ସେମିଫାଇନାଲ ପରେ ୨.୭ କିଲୋଗ୍ରାମରୁ ଅଧିକ ଓଜନ କମ କରିବାକୁ ବାକି ଥିଲା। ଓଜନ କମ କରିବା ପାଇଁ ଭିନେଶ ଏକ ଘଣ୍ଟା କୋଡ଼ିଏ ମିନିଟ୍ ପାଇଁ ବ୍ୟାୟାମ କରିଥିଲେ। କିନ୍ତୁ ବ୍ୟାୟାମ ପରେ ୧.୫ କିଲୋଗ୍ରାମ ଓଜନ କମ କରିବା ବାକି ରହିଥିଲା। ଏଥିପାଇଁ ସେ ୫୦ମିନିଟ ପାଇଁ ସୌନା କରିଥିଲେ। ହେଲେ ତାଙ୍କର ଝାଳ ବାହାରିଲା ନାହିଁ। କୌଣସି ବିକଳ୍ପ ବାକି ନଥିବାରୁ ମଧ୍ୟରାତ୍ରିରୁ ସକାଳ ୫ଟା ୩୦ପର୍ଯ୍ୟନ୍ତ, ସେ ବିଭିନ୍ନ କାର୍ଡିଓ ମେସିନ୍ ଏବଂ ରେସଲିଂର ବିଭିନ୍ନ ବ୍ୟାୟାମ କରିଥିଲେ। ୨-୩ମିନିଟ ବିଶ୍ରାମ ନେଇ ସେ ଏତେ ଅଧିକ ବ୍ୟାୟାମ କରୁଥିବାରୁ ଅଚେତ ହୋଇପଡ଼ିଥିଲେ। କିନ୍ତୁ କୌଣସି ପ୍ରକାରେ ଆମେ ତାଙ୍କୁ ଚେତାକୁ ଆଣିଲୁ। ଏହା ପରେ ସେ ପୁଣି ସୌନାରେ ଏକ ଘଣ୍ଟା ବିତାଇଲେ। ମୁଁ ଉଦ୍ଦେଶ୍ୟମୂଳକ ଭାବେ ନାଟକୀୟ ଢ଼ଙ୍ଗରେ ଏହା ଲେଖୁନାହିଁ। ଏଭଳି ଘଟିଥିଲା। ତାଙ୍କୁ ଏତେ ଅଧିକ ବ୍ୟାୟାମ କରିବାର ଦେଖି ମୋତେ ଲାଗିଲା ସେ ମରିଯିବେ।”

ସେ ଆହୁରି ଲେଖିଛନ୍ତି ଯେ, ‘ଭିନେଶ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୋତେ କହିଥିଲେ,’କୋଚ୍, ଦୁଃଖିତ ହୁଅ ନାହିଁ କାରଣ ତୁମେ ମୋତେ କହିଥିଲ ଯେ ଯଦି ମୁଁ ନିଜକୁ କୌଣସି କଠିନ ପରିସ୍ଥିତିରେ ଦେଖେ ଏବଂ ଅଧିକ ପ୍ରେରଣା ଆବଶ୍ୟକ କରେ, ତେବେ ମୁଁ ଭାବିବା ଉଚିତ୍ ଯେ ମୁଁ ଦୁନିଆର ଶ୍ରେଷ୍ଠ ମହିଳା କୁସ୍ତିଯୋଦ୍ଧା (ଜାପାନର ୟୁୟୀ ସୁସାକି) ଙ୍କୁ ପରାସ୍ତ କରିଛି। ମୁଁ ମୋର ଲକ୍ଷ୍ୟ ହାସଲ କଲି, ମୁଁ ପ୍ରମାଣ କଲି ଯେ ମୁଁ ଦୁନିଆର ସର୍ବୋତ୍ତମ ଖେଳାଳିଙ୍କ ମଧ୍ୟରୁ ଜଣେ। ‘

ତେବେ ଏଭଳି ଲେଖିବା ପ‌ରେ ସେ ନିଜ ପୋଷ୍ଟକୁ ହଟାଇ ଦେଇଥିବା ଜଣାପଡ଼ିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button