ପୁଲିସକୁ ବାଉଳା କରୁଛି ‘ସରାଇ ଆପ୍’, ଠିକ୍ ତଥ୍ୟ ଦେଉନାହାନ୍ତି ହୋଟେଲ କର୍ତ୍ତୃପକ୍ଷ

ଭୁବନେଶ୍ୱର, ୧୪/୦୮: ଗ୍ରାହକ ଓ ଆଗନ୍ତୁକଙ୍କ ତଥ୍ୟ ଜଣାଇବାକୁ ‘ସରାଇ’ ଆପ୍ ଖୋଲାଯାଇଛି । ହେଲେ ରାଜଧାନୀର କିଛି ହୋଟେଲ କର୍ତ୍ତୃପକ୍ଷ ଏଥିରେ ସଠିକ୍ ତଥ୍ୟ ଦେଉନାହାନ୍ତି । ହାତଗୁଞ୍ଜା ବଦଳରେ ଏସବୁ ହୋଟେଲ କର୍ତ୍ତୃପକ୍ଷମାନେ ଜାଣିଶୁଣି ଭୁଲ ତଥ୍ୟ ଦେଉଛନ୍ତି । ଯେଉଁଥିପାଇଁ କମିଶନରେଟ୍ ପୁଲିସ ବାଉଳା ହେଉଛି । ଅନ୍ୟ ଜିଲ୍ଲାରୁ ସହରକୁ ଆସୁଥିବା ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିପାରୁନି ।
ହୋଟେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ସରାଇ ଆପ୍ ତଥ୍ୟ ବିଶ୍ଲେଷଣରୁ ଜଣାପଡି଼ଛି, ଆଗନ୍ତୁକ ଓ ଅତିଥିଙ୍କ ତଥ୍ୟରେ ଅନେକ ଭୁଲ୍ ରହୁଛି । କିଛି ହୋଟେଲ କର୍ତ୍ତୃପକ୍ଷ ଜାଣିଶୁଣି ଅତିଥିମାନଙ୍କ ଏକ ନିର୍ଦ୍ଦିଷ୍ଟ ତାଲିକା ପ୍ରସ୍ତୁତ କରିଛନ୍ତି । ସେସବୁ ଅତିଥିମାନଙ୍କ ନାମ ଓ ଠିକଣାକୁ ସେମାନେ କିଛି ଦିନ ଅନ୍ତରାଳରେ ସରାଇ ଆପ୍ରେ ବାରମ୍ବାର ଭରୁଛନ୍ତି । ଅପରାଧୀ ଶ୍ରେଣୀୟ ଓ ଅନ୍ୟ ଲୋକଙ୍କଠାରୁ ହାତଗୁଞ୍ଜା ବଦଳରେ ଏଭଳି କାରନାମା ଚଳାଇଛନ୍ତି ହୋଟେଲ କର୍ତ୍ତୃପକ୍ଷ ।
ନିୟମ ଫାଙ୍କୁଥିବା ଏସବୁ ହୋଟେଲର ଏକ ତାଲିକା ପ୍ରସ୍ତୁତ କରିଛି କମିଶନରେଟ ପୁଲିସ । ସେମାନଙ୍କୁ ସଠିକ୍ ତଥ୍ୟ ଦେବା ପାଇଁ ତାଗିଦ୍ କରିଛି । ସହରରେ ଛୋଟବଡ଼ ଲଜ୍, ଗେଷ୍ଟ ହାଉସ ଓ ତାରକା ହୋଟେଲ ସଂଖ୍ୟା ପାଖାପାଖି ୨ ହଜାର ଛୁଇଁବ । ଏଥିରୁ ଅଧିକାଂଶ ହେଉଛି ଓୟୋ ହୋଟେଲ । ସହରର ଗଳିକନ୍ଦି ଆଉ ନିଛାଟିଆ ଜାଗାରେ ଛତୁ ଫୁଟିଲା ଭଳି ଓୟୋ ହୋଟେଲ ଖୋଲି ଚାଲିଛି । ମାତ୍ର ୪/୬ଟି ରୁମ୍ରେ ମଧ୍ୟ ଓୟୋ ହୋଟେଲ ଖୋଲୁଛନ୍ତି । ଅଧିକାଂଶ ଓୟୋ ହୋଟେଲ ମାଲିକ ସରାଇ ଆପ୍ରେ ପଞ୍ଜିକରଣ ପାଇଁ ପଛଘୁଞ୍ଚା ଦେଉଛନ୍ତି । ଯୁବକ ଓ ଯୁବତୀଙ୍କଠାରୁ ବିନା ତଥ୍ୟ ରଖି ଏମାନେ କୋଠରୀ ଯୋଗାଉଛନ୍ତି । ବେପାର ମାନ୍ଦା ହେବା ଆଶଙ୍କାରେ ଏମାନେ ନିୟମକୁ ଫୁ କରି ଦେଉଛନ୍ତି । ଶସ୍ତା ଦାମ୍ ଓ ଢ଼ିଲା ଚେକିଂ ଯୋଗୁଁ ଅପରାଧୀଙ୍କ ଆଶ୍ରୟସ୍ଥଳ ପାଲଟିଛି ‘ଓୟୋ’ । ଏହାଦ୍ୱାରା ସରାଇ୍ ଆଇନ୍୧୮୬୭ର ଧଜିଆ ଉଡ଼ାଉଛନ୍ତି । ଫଳରେ ଅପରାଧୀ ହୋଟେଲକୁ ଆଡ୍ଡାସ୍ଥଳୀ ବନାଉଛନ୍ତି । ନାନା ଅପରାଧ ଭିଆଇ ସହର ପାର୍ ହୋଇଯାଉଛନ୍ତି ।