ରାଜ୍ୟ

ଖତ ହେବାକୁ ବସିଲାଣି ୩୫ ଟି ବ୍ୟାଟେରୀ ଚାଳିତ ବସ୍‌

ପୁରୀ : ସରକାର କା ମାଲ୍‌, ଦରିଆ ମେ ଡାଲ୍ । ପୁରୀରେ ଏହି ଉକ୍ତିଟି ଏବେ ସତ୍ୟ ପ୍ରମାଣିତ ହୋଇଛି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମାଗଣାରେ ଯାତାୟାତ କରିବା ପାଇଁ ଆସିଥିବା ୩୫ ଟି ବ୍ୟାଟେରୀ ଚାଳିତ ବସ୍ ଏବେ ଖତ ଖାଉଛି । ପୁରୀ ସମଙ୍ଗ ବସ୍ ପାର୍କିଂ ରେ ଖୋଲା ଆକାଶ ତଳେ ଖରା ବର୍ଷାରେ ଏହି ବ୍ୟାଟେରୀ ବସ୍ ଗୁଡ଼ିକ ପଡ଼ି ନଷ୍ଟ ହେବାକୁ ବସିଛି ।

ହେଲେ ଦୁର୍ଭାଗ୍ୟର ବିଷୟ ଏହାର ଦାୟିତ୍ୱରେ ଥିବା ଶ୍ରୀମନ୍ଦିର ପ୍ରଶାସନର କିନ୍ତୁ ନିଦ ଭାଙ୍ଗୁ ନାହିଁ । ତେବେ ଭକ୍ତଙ୍କ ପାଇଁ ଆସିଥିବା କୋଟି କୋଟି ଟଙ୍କାର ଏହି ବସ୍ ଖତ ହେବାକୁ ବସିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ଏଭଳି ଅବହେଳାକୁ କଡ଼ା ସମାଲୋଚନା କରିଛନ୍ତି ଭକ୍ତ ଓ ସେବାୟତ ।
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାର ୩୫ଟି ବ୍ୟାଟେରୀ ଚାଳିତ ବସ୍ କିଣିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ପୁରୀ ରେଳଷ୍ଟେସନ, ବସଷ୍ଟାଣ୍ଡ ଏବଂ ମାଳତିପାଟପୁର ବସଷ୍ଟାଣ୍ଡରୁ ଭକ୍ତ ମାନଙ୍କୁ ମାଗଣାରେ ଏହି ବସ୍ ଯୋଗେ ଶ୍ରୀମନ୍ଦିର ଯାତାୟତ କରିପାରିବେ । ଏହାଦ୍ୱାରା ପୁରୀ କୁ ଆସୁଥିବା ଭକ୍ତ ମାନେ ବେଶ୍ ଉପକୃତ ହୋଇପାରିବେ । ଏହି ବସ୍ ଚଳାଚଳ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ତେବେ ଦୁର୍ଭାଗ୍ୟର ବିଷୟ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବକୁ ୭ ମାସ ବିତିସାରିଥିଲେ ମଧ୍ୟ ରାସ୍ତାରେ ଗଡ଼ି ପାରିଲା ନାହିଁ ଏହି ବସ୍ । ସମଙ୍ଗ ପାର୍କିଂରେ ଖରା, ବର୍ଷା ଖୋଲା ଆକାଶ ତଳେ ଏହି ବସ୍ ଗୁଡ଼ିକ ପଡି ରହିଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ଏହା ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଭକ୍ତମାନଙ୍କର ଉଦ୍ଦେଶ୍ୟରେ ଏହି ବସ୍ ଗୁଡ଼ିକ କିଭଳି ଚଳାଚଳ କରିବ ସେନେଇ ଶ୍ରୀମନ୍ଦିର ସେବାୟତ ଦାବି କରିଛନ୍ତି ।
ଭକ୍ତଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହି ୩୫ ଟି ବ୍ୟାଟେରୀ ଚାଳିତ ବସ୍ ରେ ଷ୍ଟିକର ଲଗାଯାଇ ପାରମ୍ପରିକ ଝୋଟି ଏବଂ ଚିତ୍ର କରାଯାଇଥିବାରୁ ଏହା ବେଶ୍ ଆକର୍ଷଣୀୟ ଦେଖାଯାଉଛି । ସମଙ୍ଗ ବସ୍ ପାର୍କିଂ ଠାରେ ଏଥିପାଇଁ ଏକ ବସ୍ ଟର୍ମିନାଲ ନିର୍ମାଣ କରାଯାଇଛି । ତେବେ ଏହି ବସ୍ ଗୁଡ଼ିକ ପ୍ରତିଦିନ ସେଠାରେ ରିଚାର୍ଜ କରାଯିବା ନେଇ ମଧ୍ୟ ବ୍ୟବସ୍ଥା ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ ଏହି ବସ୍ ଗୁଡ଼ିକ ଚଳାଚଳ କରିବା ପାଇଁ ଯୋଜନା ହୋଇଥିଲା । ତିରୁପତି ପରି ପୁରୀରେ ମଧ୍ୟ ଭକ୍ତଙ୍କୁ ମାଗଣା ପରିବହନ ସେବା ଯୋଗାଇଦେବା ସରକାରଙ୍କର ଉଦ୍ଦେଶ୍ୟ ଥିଲା । ତେବେ ବସ୍ ଚଳାଚଳ ପାଇଁ ଏପର୍ଯ୍ୟନ୍ତ ଡ୍ରାଇଭର କିମ୍ବା ହେଲପର ନିଯୁକ୍ତି କରାଯାଇନାହିଁ । ସେପଟେ ଭକ୍ତଙ୍କ ପାଇଁ ଉଦ୍ଧିଷ୍ଟ ଏହି ୩୫ ଟି ବସ୍ ଏବେ ନଷ୍ଟ ହେବାକୁ ବସି ଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ସବୁ ମହଲରେ ଉଦବେଗ ପ୍ରକାଶ ପାଇବା ପରେ ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରତିକ୍ରିୟା ରଖିଛନ୍ତି । ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରାଯିବା ପରେ ବୈଠକର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ବସ୍ ଗୁଡ଼ିକ ଚଳାଚଳ କରିବ ବୋଲି କହିଥିଲେ ଉନ୍ନୟନ ପ୍ରଶାସକ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button