ଇଡିକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

୫ ବର୍ଷ ବିତିଗଲା। କିନ୍ତୁ ତଦନ୍ତ ସରିଲାନି। ବହୁ ଚର୍ଚ୍ଚିତ ଛତିଶଗଡ଼ ନାନ୍ ସ୍କାମ ଦୁର୍ନୀତିରେ ତଦନ୍ତ କରୁଥିବା ଇଡି ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନାଗରିକ ଅପୂର୍ତ୍ତି ନିଗମ ବା ନାନ୍ ଅଧିକାରୀଙ୍କ ଦୁର୍ନୀତି ସମ୍ପର୍କିତ ତଦନ୍ତ ୨୦୧୫ରୁ ଇଡି ଆରମ୍ଭ କରିଥିଲା। ନାନ୍ ଅଧିକାରୀ ନିମ୍ନମାନର ଚାଉଳ କିଣିଥିଲେ। ଏହାର ତଦନ୍ତ କରୁଥିବା ଇଡି ସଂପୃକ୍ତ ଅଭିଯୁକ୍ତ ଅଧିକାରୀଙ୍କ ଜାମିନ୍ ଆବେଦନକୁ ବିରୋଧ କରିଥିଲା। ନାନ୍ର ତତ୍କାଳୀନ ଏମଡି ଆଲୋକ ଶୁକ୍ଳା ଓ ଅଧ୍ୟକ୍ଷ ଅନୀଲ ତୁଟେଜା ନିଜର ଆଗୁଆ ଜାମିନକୁ ଦୁରୁପଯୋଗ କରୁଛନ୍ତି ବୋଲି ଇଡି ଅଭିଯୋଗ ବାଢ଼ିଥିଲା। ଛତିଶଗଡ଼ ହାଇକୋର୍ଟ ଏହି ଦୁଇ ଜଣଙ୍କୁ ୨୦୨୦ରେ ଜାମିନ ଦେଇଥିଲେ। ସୁପ୍ରିମକୋର୍ଟରେ ଶୁଣାଣୀ ବେଳେ ଇଡି ଉଦେଶ୍ୟରେ ଅଦାଲତ କହିଥିଲେ ଯେ, ୨୦୨୪ ହେଲାଣି। ତଦନ୍ତ ସରିଲାନି। ଏପରିକି ପିଏମଏଲଏରେ ଅଭିଯୋଗ ବି ଫାଇଲ୍ ହେଲାନି। ସେପଟେ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ଯୁକ୍ତି ବାଢ଼ିଥିଲେ ଯେ, ନ୍ୟାୟାଳୟ ଉପରେ ଭୁଲ୍ ଧାରଣା ସୃଷ୍ଟି ନ ହେଉ ବୋଲି ସେ ସତ୍ୟପାଠ ଦାଖଲ କରିନାହାନ୍ତି। ୨୦୨୨ରେ ଇଡି ଦାବି କରିଥିଲା ଯେ, ଅଭିଯୁକ୍ତ ଓ କର୍ତ୍ତୃପକ୍ଷଙ୍କ ମିଲିଭଗତରେ ସବୁ ଦୁର୍ନୀତି ହୋଇଥିଲା। ଏପରିକି ଅଭିଯୁକ୍ତଙ୍କ ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ସହ ଜଣେ ହାଇକୋର୍ଟ ବିଚାରପତିଙ୍କ ସଂଶ୍ଲିଷ୍ଟ ଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି ଜଣେ ବେଲ୍ରେ ଯାଇଥିବା ବ୍ୟକ୍ତି ଏହାର ଦୁରୁପୁଯୋଗ କରେ, ତେବେ ସେଥିରେ ନ୍ୟାୟାଳୟ କଅଣ କରିପାରିବ। ଇଡିର ବିଳମ୍ୱିତ ତଦନ୍ତକୁ ନେଇ ବର୍ଷିଥିଲେ ସୁପ୍ରିମକୋର୍ଟ।