ରାଜଧାନୀରେ ସଂସଦ ତାତି: ବିଜେପି-କଂଗ୍ରେସ ହାତାହାତି – Kalinga News

[ad_1]
କଂଗ୍ରେସ ଭବନ ସମ୍ମୁଖରେ ଟେକାପଥର ମାଡ଼, ୭ ଆହତ, ରାହୁଲଙ୍କ ଫଟୋକୁ ଗୋବର ମାରିବାକୁ ନେଇ ଉତ୍ତେଜନା
ଭୁବନେଶ୍ବର: ସଂସଦରେ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହୋଇଥିବା ବିକ୍ଷୋଭକୁ ନେଇ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ଭବନ ସାମ୍ନାରେ ବିଜେପି ଓ କଂଗ୍ରେସ କର୍ମୀ ହାତାହାତି ହେବା ସହ ପରସ୍ପରକୁ ଗୋବର, ଟେକାପଥର, ଅଇଁଠା ଖାଦ୍ୟ ଫିଙ୍ଗିଥିଲେ। ଏଥିରେ ଉଭୟ ପକ୍ଷର ୭ ଜଣ ଓ ଜଣେ ସାମ୍ବାଦିକ ଆହତ ହୋଇଛନ୍ତି। ଏ ନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ଭବନ ସମ୍ମୁଖରେ ଟେକାପଥର ମାଡ଼, ୭ ଆହତ
ରାହୁଲଙ୍କ ଫଟୋକୁ ଗୋବର ମାରିବାକୁ ନେଇ ଉତ୍ତେଜନା
କ୍ଷୀରରେ ରାହୁଲଙ୍କ ପୋଷ୍ଟର ଧୋଇଲେ କଂଗ୍ରେସ କର୍ମୀ
ରାହୁଲ ଗାନ୍ଧୀ ସଂସଦରେ ହିନ୍ଦୁ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଆଜି ଅପରାହ୍ନରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ରାହୁଲଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ସମୟରେ ଯୁବ ମୋର୍ଚ୍ଚାର କର୍ମୀମାନେ କଂଗ୍ରେସ ଭବନ ସମ୍ମୁଖରେ ଲାଗିଥିବା ରାହୁଲ ଗାନ୍ଧୀଙ୍କ ଫଟୋ ଉପରକୁ ଗୋବର ମାରିଥିଲେ। କିଛି କର୍ମୀ କଂଗ୍ରେସ ଭବନ ଭିତରକୁ ଗଙ୍ଗା ଜଳ, ଫିନାଇଲ ପକାଇଥିଲେ।
ବିଜେପିର ଏହି ବିକ୍ଷୋଭ ସମୟରେ କଂଗ୍ରେସ ଭବନରେ ଯୁବ ଓ ଛାତ୍ର କଂଗ୍ରେସର କିଛି ନେତା ଉପସ୍ଥିତ ଥିଲେ। ସେମାନେ ବାହାରକୁ ଆସି ଏହାର ପ୍ରତିବାଦ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ହୋଇଥିଲା। ସଙ୍ଗେ ସଙ୍ଗେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ପରସ୍ପରକୁ ଟେକାପଥର ଫୋପାଡ଼ିଥିଲେ। ଏପରିକି ନିକଟରେ ପଡ଼ିଥିବା ଗୋବର ଓ ଅଇଁଠା ଖାଦ୍ୟକୁ ମଧ୍ୟ ଧରି ପରସ୍ପର ଉପରକୁ ଫିଙ୍ଗିଥିଲେ। କିଛି ସମୟ ପାଇଁ କଂଗ୍ରେସ ଭବନ ସାମ୍ନା ରଣକ୍ଷେତ୍ର ପାଲଟିଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲା ବେଳେ ଗୋବର ମାଡ଼ରୁ ବର୍ତ୍ତି ନଥିଲା। ଏହି ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚାରୁ ୫ ଜଣ, ଛାତ୍ର କଂଗ୍ରେସର ୨ ଜଣ ଆହତ ହୋଇଛନ୍ତି। ଏହାସହ ଜଣେ ସାମ୍ବାଦିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ କାନରେ ଟେକା ବାଜିଥିବା ଜଣାପଡ଼ିଛି। ବିଜେପି ଯୁବମୋର୍ଚ୍ଚା ଏବଂ ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ ଦିଆଯାଇଛି।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏହି ଘଟଣାର ନିନ୍ଦା କରିବା ସହିତ ଯୁବ ଓ ଛାତ୍ର କଂଗ୍ରେସର କର୍ମୀମାନେ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟରରେ ଗୋବର ମାରିଥିଲେ। ଏହା ସହିତ ବିଜେପିର ପତକା ମଧ୍ୟ ପୋଡ଼ିଥିଲେ। ଏହାପରେ କଂଗ୍ରେସ ଭବନ ସମ୍ମୁଖରେ ଥିବା ରାହୁଲ ଗାନ୍ଧୀଙ୍କ ହୋର୍ଡିଂରେ କ୍ଷୀର ଢାଳି ଗୋବରକୁ ଧୋଇବା ସହିତ ଫୁଲ ପକାଇଥିଲେ।
[ad_2]