ଖେଳ ଖବର

ନଗଲଙ୍କ ପ୍ୟାରିସ୍‌ ଟିକେଟ୍‌ ପକ୍କା: ଏକକରେ ପ୍ରତିଦ୍ବନ୍ଦ୍ବିତା କରିବାରେ ଭାରତରୁ ଦ୍ବିତୀୟ – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ ‌ଯୁବ ଟେନିସ୍‌ ତାରକା ସୁମିତ ନଗଲ ପ୍ୟାରିସ୍‌ ଅଲିମ୍ପିକ୍ସକୁ ଆନୁଷ୍ଠାନିକ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହା ବିଷୟରେ ସେ ନିଜେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରି ଜଣାଇଛନ୍ତି। ଏହା ତାଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଓ ଅଲିମ୍ପିକ୍ସ ତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ସେ କହିଛନ୍ତି। କିନ୍ତୁ ଏ ବିଷୟରେ ଆନ୍ତର୍ଜାତିକ ଟେନିସ୍‌ ମହାସଂଘ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ବିଶ୍ବସ୍ତରରେ ଅନେକ ଉଚ୍ଚ ମାନ୍ୟତାପ୍ରାପ୍ତ ଖେଳାଳିମାନେ ଅଲିମ୍ପିକ୍ସରୁ ଓହରି ଯାଉଥିବାରୁ ନଗଲଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। ପ୍ୟାରିସ୍‌ ଅଲିମ୍ପିକ୍ସରେ ଟେନିସ୍‌ର ମ୍ୟାଚ୍‌ଗୁଡ଼ିକ ରୋଲୋଁ ଗାରୋସ୍‌ରେ ଖେଳାଯିବ। ଏଠାରେ ଫ୍ରେଞ୍ଚ ଓପନ୍‌ ମଧ୍ୟ ଖେଳାଯାଇଛି।

ଏହି ଯୋଗ୍ୟତା ଫଳରେ ୨୬ ବର୍ଷୀୟ ନଗଲ ଏକକରେ ପ୍ରତିଦ୍ବନ୍ଦ୍ବିତା କରିବାରେ ଭାରତରୁ ଦ୍ବିତୀୟ ଖେଳାଳି ହୋଇଛନ୍ତି। ପୂର୍ବରୁ ୧୯୯୨ରୁ ୨୦୦୦ ମସିହା ମଧ୍ୟରେ ଲିଆଣ୍ଡର ପେସ୍‌ ଲଗାତାର ଭାବେ ଅଲିମ୍ପିକ୍ସର ଏକକ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସରେ ପେସ୍‌ କାଂସ୍ୟ ପଦକ ଜିତିଥିଲେ। ନଗଲ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲେ। ଯେଉଁଥିରେ ସେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଏଲ୍‌ ମେଦଭେଦେଭଙ୍କଠୁ ଦ୍ବିତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ। କିନ୍ତୁ ଏଥର ନଗଲଙ୍କ ପାଇଁ ଭଲ ସୁଯୋଗ ରହିଛି। କାରଣ ଚଳିତ ବର୍ଷ ଆରମ୍ଭରୁ ଅଷ୍ଟ୍ରେଲିଆନ୍‌ ଓପନ୍‌ର ମୁଖ୍ୟ ପର୍ଯ୍ୟାୟକୁ ସେ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ୩୧ତମ ମାନ୍ୟତାପ୍ରାପ୍ତ କାଜାଖସ୍ଥାନ ଖେଳାଳି ଆଲେକ୍‌ଜାଣ୍ଡର ବବଲିକ୍‌ଙ୍କୁ ପ୍ରଥମ ରାଉଣ୍ଡରେ ପରାଜିତ କରି ବିପର୍ଯ୍ୟୟ କରିଥିଲେ।

ଫଳରେ ୩୫ ବର୍ଷ‌ ମଧ୍ୟରେ ସେ ପ୍ରଥମ ଖେଳାଳି ଭାବେ ଏକ ଗ୍ରାଣ୍ଡସ୍ଲାମ୍‌ ଇଭେଣ୍ଟରେ ଜଣେ ସିଡେଡ୍‌ ଖେଳାଳିଙ୍କୁ ପରାଜିତ କରିପାରିଥିଲେ। ଏହାବାଦ ଚେନ୍ନାଇ ଓପନ୍‌ ଏଟିପି ଚ୍ୟାଲେଞ୍ଜରରେ ବିଜେତା ହେବା ପରେ ଏଟିପି ମାନ୍ୟତାର ଶୀର୍ଷ ୧୦୦ ଭିତରେ ସେ ସ୍ଥାନ ପାଇଥିଲେ। ପୁଣି ପ୍ରଥମ ଖେଳାଳି ଭାବେ ମଣ୍ଟେ କା‌ର୍ଲୋ ମାଷ୍ଟର୍ସର ମୁଖ୍ୟ ପର୍ଯ୍ୟାୟକୁ ଯିବାରେ ପ୍ରଥମ ଭାରତୀୟ ହୋଇଥିଲେ। ଫ୍ରେଞ୍ଚ ଓପନ୍‌ରେ ସେ ପଦାର୍ପଣ କରିଥିବା ବେଳେ ୱିମ୍ବଲଡନ୍‌ ମୁଖ୍ୟ ପର୍ଯ୍ୟାୟରେ ମଧ୍ୟ ଖେଳିବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button