ଟ୍ରେନ ଟ୍ରାଜେଡି,ମୃତକଙ୍କୁ ୧୦ ଲକ୍ଷ ସହାୟତା – Kalinga News

[ad_1]
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ନିକଟରେ ହୋଇଛି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଗୋଟିଏ ଟ୍ରାକରେ ୨ ଟି ଟ୍ରେନ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା I କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରେନକୁ ଏକ ମାଲବାହୀ ଟ୍ରେନ ଧକ୍କା ଦେଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି ପାଇଛି I ମାଲବାହୀ ଗାଡିର ଡ୍ରାଇଭରଙ୍କ ସମେତ ୩ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି I
ଟ୍ରେନ ଦୁର୍ଘଟଣାକୁ ଏକ ମାନବୀୟ ତ୍ରୁଟି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ମାଲବାହୀ ଗାଡି ସିଗ୍ନାଲ ମାନି ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି I ଏନେଇ ସୂଚନା ଦେଇଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷା ତଥା CEO ଜୟା ସିହ୍ନା ବର୍ମା I ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ସରିଛି I ସମସ୍ତ ଆହତଙ୍କୁ ମେଡ଼ିକାରେ ଭର୍ତି କରାଯାଇଛି I ତେବେ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି I ଗୁରୁତର ଆହତଙ୍କୁ ଅଢେଇ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି I ସେହିପରି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି I
ଅନ୍ୟପଟେ ସୋମବାର ସକାଳେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୃତକ ଏବଂ ଆହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ସେହିପରି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ନବୀନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ‘ଏକ୍ସ’ରେ ଲେଖିଛନ୍ତି, ଓ୍ବେଷ୍ଟବେଙ୍ଗଲରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାରେ ୫ ଜଣ ଲୋକ ପ୍ରାଣ ହରାଇବା ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।
[ad_2]




