ରାଜନୀତି

ଉଷ୍ମ ହେଲାଣି ବ୍ଲକ, ସହରାଞ୍ଚଳ ରାଜନୀତି: ଅଙ୍କ ବଦଳିବ – Kalinga News

[ad_1]

ଭୁବନେଶ୍ବର: ସୋର ମ୍ୟୁନିସପାଲଟିର ଅଧ୍ୟକ୍ଷ ଥିଲେ ମାଧବ ଧଡ଼ା। ସେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସୋରରେ ବିଜେପିର ୧୨, ବିଜେଡିର ୪, କଂଗ୍ରେସର ୩ଜଣ କାଉନସିଲର ଅଛନ୍ତି। ଏବେ ମାଧବ ଧଡ଼ା ବିଜେଡିରୁ ସୋର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଖୁବ୍‌ ଶୀଘ୍ର ସୋର ପୌରାଧ୍ୟକ୍ଷ ପଦବି ପାଇଁ ଉପନିର୍ବାଚନ ହେବ। ଏହାକୁ ବିଜେପି ନିଜ ନିୟନ୍ତ୍ରଣରେ ରଖିପାରିବ ନା ବିଜେଡି ଛଡ଼ାଇ ନେବ?

ବିଜେପି ଭୋଟ୍‌ରେ ମାଧବ ଅଧ୍ୟକ୍ଷ ହୋଇଥିଲେ। ବିଜେପିର ଅଧିକ କାଉନସିଲର ଥିବାରୁ ସେମାନେ ଏବେ ନୂଆ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣିବେ। ଏପରି ସ୍ଥିତିରେ ମାଧବଙ୍କ ଭୂମିକା କଣ ହେବ? ସୋର ମ୍ୟୁନିସପାଲଟି ବିଜେଡି ନିୟନ୍ତ୍ରଣକୁ ଆସିବ କି?
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ଅସନ୍ତୁଷ୍ଟ ବିଜେଡି (ବିଧାୟିକାଙ୍କ ବିରୋଧୀ) ଗୋଷ୍ଠୀର ସମର୍ଥନରେ ପଦବି ପାଇଥିଲେ। ମୋଟ୍ ୨୬ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୧୩ ଜଣ ପ୍ରଭାତୀଙ୍କୁ, ୧୩ ଜଣ ତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ଭୋଟ୍ ଦେଇଥିଲେ। ଶେଷର ଟସ୍ ଜିତି ପ୍ରଭାତୀ ବ୍ଲକ ଅଧ୍ୟକ୍ଷା ହୋଇଥିଲେ। ତାଙ୍କୁ ବ୍ଲକ ଅଧ୍ୟକ୍ଷା କରିବା ପଛରେ ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ କୁମାର ସାହୁଙ୍କ ବଡ଼ ଅବଦାନ ଥିଲା। ହେଲେ ନିର୍ବାଚନ ପୂର୍ବରୁ ଉଭୟ ପ୍ରଭା‌ତୀ ଓ ସରୋଜ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ଦୁଇ ନେତା ଏବେ ବିଜେଡିରେ ନାହାନ୍ତି। ଏଠାରେ ବି‌ଜେଡିର ବିଧାୟକ ହୋଇଛନ୍ତି ଅରବିନ୍ଦ ମହାପାତ୍ର। ତେଣୁ ଏବେ ବିଜେପିରେ ମିଶିଥିବା ପ୍ରଭାତୀ ବ୍ଲକ ଅଧ୍ୟକ୍ଷ ରହିବେ ନା ବିଜେଡି ସମର୍ଥିତ ସମିତି ସଭ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଣିବେ?

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ସେ ବିଜେପିରୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ହୋଇଥିଲେ ବି ନିର୍ବାଚନ ହାରିଛନ୍ତି। ଏଠାରେ ବିଜେଡି ଅଧିକ ଜିଲ୍ଲା ପରିଷଦ ସଭ୍ୟ ଜିତିଥିବାରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରେ। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ବିଜେଡି ଖାତାରେ ରହିବ ନା ବିଜେପିକୁ ଆସିବ, ତାହା ଏବେ ବଡ଼ ପ୍ରଶ୍ନ ଭାବେ ଉଭା ହୋଇଛି। ସେହିପରି ସଇଁତଳା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନର୍ଲା ବ୍ଲକ ଉପାଧ୍ୟକ୍ଷ, କୋକସରା ବ୍ଲକ ଅଧ୍ୟକ୍ଷଙ୍କ ସମେତ ଆଉ କେତେକ ସ୍ଥାନରେ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷମାନେ ଦଳ ବଦଳାଇଥିବାରୁ ସେମାନେ ଏବେ କିପରି ପଦ ବଜାୟ ରଖିବେ ସେ ଚିନ୍ତା ଘାରିଛି। ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ଏଭଳି କିଛି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଲାଣି। ସ୍ଥିତି ଏତେ ଗମ୍ଭୀର ଯେ ରାଜ୍ୟର ପ୍ରମୁଖ ଅଞ୍ଚଳର ପଞ୍ଚାୟତ ଓ ପୌର ରାଜନୀତି ଗଣିତ ଓଲଟପାଲଟ ହୋଇଯାଇପାରେ। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ନିଜ ନିଜର ଗଡ଼ ସୁରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଦେଲେଣି।

ତଥ୍ୟ ମୁତାବକ, ପୁରୀ ଜିଲ୍ଲା କଣାସ ବ୍ଲକରେ ପ୍ରଭାତୀ ରାଉତ ବ୍ଲକ ଅଧ୍ୟକ୍ଷା ହୋଇଥିଲେ। ସେ ବିଜେପି ବିଧାୟକ ଓମ୍‌ପ୍ରକାଶଙ୍କ ସମର୍ଥିତ ପ୍ରାର୍ଥୀ। ମୋଟ୍ ୨୮ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ୨୦ଜଣ ବିଜେପି ସମର୍ଥିତ ଥିବା ସମିତି ସଭ୍ୟଙ୍କ ସମର୍ଥନ ତାଙ୍କୁ ମିଳିଥିଲା। ବିନା ବାଧାରେ ସେ ଜିତିଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ସେମାନେ ବିଜେପି ଛାଡ଼ି ବିଜେଡିରେ ମିଶିଥିଲେ। ତାଙ୍କ ସହ ୧୪ଜଣ ସମିତି ସଭ୍ୟ ବି ବିଜେଡିରେ ମିଶିଥିଲେ। ଓମ୍‌ପ୍ରକାଶ ଏବେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଣୁ ସ୍ବାଭାବିକ ଭାବେ କଣାସ ବ୍ଲକ ଏବେ ତାଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବ୍ଲକ୍‌କୁ ନିଜ କବ୍‌ଜାରେ ରଖିବାକୁ ଓମ୍‌ ପ୍ରଭାତୀଙ୍କୁ ଦଳକୁ ଫେରାଇ ଆଣିବେ ନା ସମିତିସଭ୍ୟମାନଙ୍କ ମାଧ୍ୟମରେ ଅନାସ୍ଥା ପ୍ରସ୍ତାବ ଆଣି ଆଉ କାହାକୁ ବ୍ଲକ ଅଧ୍ୟକ୍ଷ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ବିଜେଡିରୁ ବିଧାୟକ ହୋଇଛନ୍ତି। ତାଙ୍କ ସପକ୍ଷରେ ୨୬ଟି ଯାକ ପଞ୍ଚାୟତ ସମିତିର ସମିତି ସଭ୍ୟ ପ୍ରାର୍ଥୀ ଥିଲେ। ଏବେ ଏଠାରେ ଉପନିର୍ବାଚନ ହେବ। ଏଣୁ ମନୋରମା ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ବ୍ଲକ ଅଧ୍ୟକ୍ଷ କରିପାରିବେ ନା ତାଙ୍କ କବ୍‌ଜାରୁ ସଂଗଠନ ଖସିବ, ତାକୁ ନେଇ କଳାହାଣ୍ଡି ରାଜନୀତି ଉଷ୍ମ ହେଲାଣି। ସାଧାରଣ ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନରେ ବିଜେଡି ଅଧିକାଂଶ ସ୍ଥାନରେ ଏକତରଫା ପ୍ରଦର୍ଶନ କରିଥିଲା। ୩୦ଟି ଯାକ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୯୦%ରୁ ଅଧିକ ବ୍ଲକ ଅଧ୍ୟକ୍ଷ, ଏନ୍‌ଏସି, ମ୍ୟୁନିସପାଲଟି ଅଧ୍ୟକ୍ଷଙ୍କ ସମେତ ତିନିଟି ଯାକ ‌ମହାନଗର ନିଗମର ମେୟର ପଦବି ହାତେଇ ନେଇଥିଲା। କିନ୍ତୁ ସାଧାରଣ ନିର୍ବାଚନରେ ବିଜେପି ବାଜିମାତ୍ କରିଛି। ଏବେ ରାଜ୍ୟରେ ବିଜେପି ଶାସକ ଦଳରେ ବସିଛି। ତେଣୁ ଆଗକୁ ବିଭିନ୍ନ ବ୍ଲକ ଅଧ୍ୟକ୍ଷ, ଏନ୍‌ଏସି ଓ ମ୍ୟୁନିସପାଲଟି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ପଦବି ବଜାୟ ରଖିବା ବିଜେଡି ପାଇଁ ଚାଲେଞ୍ଜ ହୋଇପାରେ।

ସାଧାରଣ ନିର୍ବାଚନ ପୂର୍ବରୁ ଦଳଡିଆଁ ରାଜନୀତି ଜୋର୍‌ ଧରିଥିଲା। ବହୁ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଏନ୍‌ଏସି ଓ ମ୍ୟୁନିସପାଲଟି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଦଳ ବଦଳାଇଥିଲେ। ତାଙ୍କ ସହ ବହୁ ସ୍ଥାନରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର ବି ଅନ୍ୟ ଦଳକୁ ଡେଇଁଥିଲେ। ଏବେ ନିର୍ବାଚନ ଜିଣି ବିଜେପି ସରକାର ଗଢ଼ିଥିବାରୁ ବ୍ଲକ ଓ ସହରାଞ୍ଚଳ ରାଜନୀତି ଉଷ୍ମ ହେଲାଣି।
ଏନ୍‌ଏସି, ମ୍ୟୁନିସପାଲଟିର ଅଧ୍ୟକ୍ଷମାନେ ସିଧାସଳଖ ନିର୍ବାଚିତ ହୋଇଥିବାରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ପୁଣି ନିର୍ବାଚନ ହେବ। କିନ୍ତୁ ଯେଉଁଠି ଏନ୍‌ଏସି, ମ୍ୟୁନିସପାଲଟି ଉପାଧ୍ୟକ୍ଷମାନେ ବିଭିନ୍ନ ଦଳର କାଉନସିଲରଙ୍କ ସମର୍ଥନରେ ଜିତିଥିଲେ ସେମାନେ ଏବେ ଦଳ ଡେଇଁବା ପରେ ସେମାନଙ୍କୁ ସେହି ସମର୍ଥନ ଜାରି ରହିବ ତ? ସେନେଇ ଏବେ ପ୍ରଶ୍ନ ଉଠିଲାଣି। ସେହିପରି ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷମାନଙ୍କୁ ବିଭିନ୍ନ ଦଳର ସମର୍ଥିତ ସମିତି ସଭ୍ୟମାନେ ଜିତାଇଥିବା ବେଳେ ସେଥିରୁ ଯେଉଁମାନେ ଦଳ ଡେଇଁଛନ୍ତି ସେମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ସେହି ପୁରୁଣା ସମର୍ଥନ ମିଳିବ ତ?

ଏହାବାଦ୍ ବହୁ ସ୍ଥାନରେ ସରପଞ୍ଚ, ୱାର୍ଡମେମ୍ବରମାନେ ଯେଉଁ ଦଳର ସମର୍ଥିତ ପ୍ରାର୍ଥୀ କହି ଭୋଟ୍ ହାତେଇଥିଲେ ସେମାନେ ଦଳ ଡେଇଁଥିବାରୁ ଗାଁ ରାଜନୀତି ଉଷ୍ଣ ହୋଇପାରେ। କାରଣ ୱାର୍ଡମେମ୍ବରମାନେ ଚାହିଁଲେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରିବେ। ତେଣୁ ସାଧାରଣ ନିର୍ବାଚନ ସରିଥିଲେ ହେଁ ଏବେ ଗାଁ ରାଜନୀତି ତାତି କମିବା ବଦଳରେ ବଢ଼ିବା ଆରମ୍ଭ କରିଛି। ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୨ ଫେବ୍ରୁଆରିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ମାର୍ଚ୍ଚରେ ପୌର ନିର୍ବାଚନ ହୋଇଥିଲା। ହେଲେ ମାର୍ଚ୍ଚରେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରଥମ ବୈଠକ ଏବଂ ଏପ୍ରିଲରେ ନିର୍ବାଚିତ ପୌରାଞ୍ଚଳ ପ୍ରତିନିଧିଙ୍କ ପ୍ରଥମ ବୈଠକ ବସିଥିଲା। ତେଣୁ ଏହାର ଅଢ଼େଇ ବର୍ଷ ପରେ କୌଣସି ଜିଲ୍ଲା ପରିଷଦ ସଭାପତି, ସରପଞ୍ଚ, ବ୍ଲକ ଅଧ୍ୟକ୍ଷ/ଉପାଧ୍ୟକ୍ଷ, ମେୟର, ଡେପୁଟି ମେୟର, ମ୍ୟୁନିସପାଲଟି ଓ ଏନ୍‌ଏସି ଅଧ୍ୟକ୍ଷ/ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା‌ ପ୍ରସ୍ତାବ ଆସିପା‌ରିବ।

ଏହାକୁ ଦେଖିଲେ ଅଗଷ୍ଟ ଓ ସେପ୍ଟେମ୍ବରରେ ବିଭିନ୍ନ ବ୍ଲକ ଏବଂ ପୌରସଂସ୍ଥାରେ ବହୁ ଅଧ୍ୟକ୍ଷ/ଉପାଧ୍ୟକ୍ଷଙ୍କ ବି‌ରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରିବ। ଏହାବାଦ୍ ଯେଉଁମାନେ ଉପରୋକ୍ତ ପଦବିରେ ଥାଇ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଛନ୍ତି ସେହି ଆସନଗୁଡ଼ିକରେ ଖୁବ୍ ଶୀଘ୍ର ଉପନିର୍ବାଚନ ହେବାକୁ ଯାଉଛି। ଯାହା ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ସମେତ ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଚଳିତ ମାସ ଶେଷ ସୁଦ୍ଧା କେଉଁ ସ୍ଥାନରେ (ଅନାସ୍ଥା ପ୍ରସ୍ତାବ ନୁହେଁ) ଉପନିର୍ବାଚନ ହେବ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ମାସରେ ସେଠାରେ ଉପନିର୍ବାଚନ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button