ସାତ୍ ସୱାଲ୍: ଯେଉଁଠି ଈଶ୍ବର ରାସ୍ତା ଖୋଲିଥାନ୍ତି ସେଠି ଅସୁବିଧା ବି ଦେଇଥାନ୍ତି – Kalinga News

[ad_1]
ଓଡ଼ିଆ ସିନେଶିଳ୍ପରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ଦିବଗଂତ ଅଭିନେତା ମିହିର ଦାସଙ୍କ ବଡ଼ପୁଅ ତଥା ନାୟକ ଅମ୍ଳାନ ଦାସଙ୍କର ପରିଚୟ ପ୍ରଦାନର ଆବଶ୍ୟକତା ନାହିଁ। ୨୦୧୩ ମସିହାରେ ‘ଟାର୍ଗେଟ’ ସିନେମାରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରି ଏବେ ପର୍ଯ୍ୟନ୍ତ ସେ ସକ୍ରିୟ ରହିଛନ୍ତିି। ନିକଟ ଅତୀତରେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ସିନେମା ‘ମାଲ୍ୟଗିରି’ ପାଇଁ ମଧ୍ୟ ତାଙ୍କୁ ବହୁ ଲୋକପ୍ରିୟତା ମିଳିଛି। ଓଲିଉଡ୍ର ସ୍ବନାମଧନ୍ୟ କଳାକାର ଅମ୍ଳାନଙ୍କ ସହ ଅଳ୍ପ ଆଳାପ।
Sambad is now on WhatsApp
Join and get latest news updates delivered to you via WhatsApp
୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଆପଣ ଅଭିନୟ କ୍ଷେତ୍ରରେ ସକ୍ରିୟ ରହି ଆସିଛନ୍ତି। କିଭଳି ଚରିତ୍ର ନିଭାଇବା ବେଳେ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିଥାଏ?
କୌଣସି ବି କାମ କରିବା ବେଳେ ଯଦି କଷ୍ଟ ଲାଗୁଛି ତ ସେହି କ୍ଷେତ୍ର ଆପଣଙ୍କ ପାଇଁ ନୁହଁ। ଚରିତ୍ର ଭିତରେ ନିଜକୁ ହଜେଇବା ପରେ ଯାଇ ଜଣେ ତାହାକୁ ନ୍ୟାୟ ଦେଇପାରିବ। ଅଭିନୟ କଲା ବେଳେ ଭଲ ଲାଗେ, ମଜା ଲାଗେ ଏବଂ ନିଜକୁ ନିଜେ ପରୀକ୍ଷା କରିବା ଭଳି ଲାଗେ। ସେଥିରେ କିଛି କଷ୍ଟ ନଥାଏ।
ସିନେମା ମାଧ୍ୟମରେ ଆପଣ ଦର୍ଶକଙ୍କ ନିକଟରୁ ଅନେକ ଭଲପାଇବା ପାଇଛନ୍ତି। ସୁଯୋଗ ମିଳିଲେ ଟେଲିଭିଜନରେ କାମ କରିବେ?
ସିନେମା ହେଉ କି ଧାରାବାହିକ, ସବୁ ହେଉଛି କଳାର ମାଧ୍ୟମ। ଆଗକୁ ଯଦି ସେପରି କିଛି ଭଲ ସୁଯୋଗ ମିଳେ ବା ମୋତେ ଲାଗିବ ଯେ ମାଧ୍ୟମ ଯାହା ବି ହେଉ ମୋତେ ଦର୍ଶକଙ୍କୁ ମନୋରଞ୍ଜନ କରାଇବାର ଅଛି ତେବେ ମୁଁ ଚିନ୍ତା କରିବି। ବାସ୍ ଚରିତ୍ର ଭଲ ହୋଇଥିବା ଦରକାର।
ଜଣେ ଭଲ କଳାକାର ହେବା ପାଇଁ ବୃତ୍ତିଗତ ପ୍ରଶିକ୍ଷଣ ନିହାତି ଜରୁରି ବୋଲି ଭାବନ୍ତି କି?
ଅଭିନୟ ହେଉଛି ଏକ କଳା। କୌଣସି ବି କଳା ପାଇଁ ବୃତ୍ତିଗତ ପ୍ରଶିକ୍ଷଣର ଆବଶ୍ୟକତା ନଥାଏ। ଯଦି ଆପଣଙ୍କ ମଧ୍ୟରେ ଈଶ୍ବରଦତ୍ତ କଳା ଅଛି ତ ଆପଣ ନିଜର ଦକ୍ଷତା ଜରିଆରେ ଲୋକଙ୍କ ମନ ଜିଣିପାରିବେ। ପ୍ରଶିକ୍ଷଣ ଦ୍ବାରା ନିଜକୁ ଆହୁରି ମାର୍ଜିତ କରାଯାଇପାରିବ। ମାତ୍ର ସେପରି କିଛି ମାନେ ନାହିଁ ଯେ ଜଣେ ପ୍ରଶିକ୍ଷଣ ନେଲେ ହିଁ ଭଲ କଳାକାର ହୋଇପାରିବ।
ଆପଣଙ୍କ ବାପା ଦିବଂଗତ ଅଭିନେତା ମିହିର ଦାସଙ୍କ ସହ ଆପଣ ଅନେକ ସିନେମାରେ ଏକତ୍ର କାମ କରିଛନ୍ତି। ତାଙ୍କ ଉପସ୍ଥିତିରେ କାମ କରିବାକୁ ସହଜ ଲାଗେ ନା ଅସହଜ ଅନୁଭବ ହୁଏ?
ମୁଁ ବାବାଙ୍କୁ ବହୁତ ‘ମିସ୍’ କରୁଛି। ତାଙ୍କର ମାର୍ଗଦର୍ଶନ ଆଜିଯାଏ ମୋ ସହିତ ଅଛି। ମୁଁ ତାଙ୍କ ପାଦଚିହ୍ନରେ ହିଁ ଆଗକୁ ବଢୁଛି। ସେ ଦେଇଥିବା ଶିକ୍ଷା ମୁଁ କାର୍ଯ୍ୟକାରୀ କରୁଛି। ମୁଁ ତ କେବେ ତାଙ୍କ ପରି ହୋଇପାରିବିନି। ମାତ୍ର ତାଙ୍କୁ ଅନୁକରଣ କରି ଯେତେ ପର୍ଯ୍ୟନ୍ତ ହୋଇପାରିବ ମୁଁ ଚାଲୁଥିବି। ତାଙ୍କ ସହ କାମ କଲା ବେଳେ ମୋତେ ସେପରି ଅସହଜ କେବେ ଅନୁଭବ ହୋଇନି। ମାତ୍ର ହଁ, ସେ ନଥିଲେ ମୁଁ ଆଉ ଟିକେ ସହଜ ଅନୁଭବ କରେ ଓ ଭଲ କାମ କରିପାରେ। ଯେହେତୁ ସେ ମୋର ବାପା, ତେଣୁ ତାଙ୍କ ଉପସ୍ଥିତିରେ ମୁଁ ଟିକେ ଅଧିକ ସତର୍କ ହୋଇପଡ଼େ। ଗୋଟେ ଛୋଟ କଥା କହିବି, ମୁଁ ଅଷ୍ଟମ ଶ୍ରେଣୀରୁ ଗାଡ଼ି ଚଳାଇବା ଶିଖିଛି। ହେଲେ ବାବା ଗାଡ଼ିରେ ବସିଥିଲେ ମୁଁ ଅଧିକ ସଚେତନ ହୋଇ ଚଳାଏ।
ମିହିର୍ ଦାସଙ୍କ ପୁଅ ହୋଇଥିବାରୁ ଆପଣଙ୍କଠାରୁ ଦର୍ଶକ ଅଧିକ ଆଶା ରଖନ୍ତି। ସୁପର୍ଷ୍ଟାର୍ ବାପାଙ୍କ ପରିଚୟ ଆପଣଙ୍କ କ୍ୟାରିୟର୍ ଉପରେ ଖରାପ ପ୍ରଭାବ ପକାଇଛି ବୋଲି ଭାବୁଛନ୍ତି କି?
ନିଶ୍ଚିତ ଭାବେ। ଯେଉଁଠି ଈଶ୍ବର ଏକ ରାସ୍ତା ଖୋଲିଥାନ୍ତି ସେଠି ଅସୁବିଧା ବି ଦେଇଥାନ୍ତି। ତାଙ୍କ ପୁଅ ବୋଲି ମୋର ଅଭିନୟ କ୍ଷେତ୍ରରେ ପ୍ରବେଶ ସହଜ ହୋଇଗଲା। ଯେହେତୁ ମୁଁ ତାଙ୍କ ପୁଅ, ସେଇଟା ମୋ କଷ୍ଟର କାରଣ ବି ବନିଗଲା। କାରଣ ଲୋକଙ୍କର ଆଶା ମୋଠାରୁ ଖୁବ୍ ଅଧିକ ରହିଲା। ମୁଁ ଦର୍ଶକଙ୍କ ସେହି ଆଶାକୁ ପୂରା କରିବାକୁ କଠିନ ପରିଶ୍ରମ କରୁଛି। ଯେତିକି ଭଲପାଇବା ଆପଣମାନେ ବାବାଙ୍କୁ ଦେଇଛନ୍ତି ସେତିକି ଭଲପାଇବା ପାଇବାକୁ ମୁଁ ଜୀବନଯାକ ଚେଷ୍ଟା ଜାରି ରଖିବି।
ଅଭିନୟ ବ୍ୟତୀତ ଆଉ କେଉଁ କାମ କରିବାକୁ ପସନ୍ଦ କରନ୍ତି ଅମ୍ଳାନ?
ଅଭିନୟ ବ୍ୟତୀତ ମୋତେ ଗାଡ଼ି ଚଳାଇବାକୁ ଖୁବ୍ ଭଲ ଲାଗେ।
ଖରାଦିନର ପଖାଳ ଓ ବର୍ଷା ଦିନର ଚା ପକୁଡ଼ି ଭିତରୁ କେଉଁଟି ଆପଣଙ୍କର ପ୍ରିୟ ଖାଦ୍ୟ?
ଖରା ଦିନ ହେଉ କି ବର୍ଷା ଦିନ, ମୋତେ ପଖାଳ ସହିତ ପକୁଡ଼ି ଖାଇବାକୁ ଖୁବ୍ ଭଲ ଲାଗେ।
[ad_2]