ମୋହନଙ୍କ କାନ୍ଧରେ ‘ଓଡ଼ିଆ ଅସ୍ମିତା’: ଆଦିବାସୀ କାର୍ଡ ଖେଳିଲା ବିଜେପି, ଆଜି ଅପରାହ୍ଣ ୫ଟାରେ ଶପଥ – Kalinga News

[ad_1]
ଉପକୂଳ ଓ ପଶ୍ଚିମ ଓଡ଼ିଶାରୁ ୨ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବରିଷ୍ଠ ଆଦିବାସୀ ନେତା ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ବୁଧବାର ଦିନ ସେ ଶପଥ ଗ୍ରହଣ କରିବେ। ଆଜି ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାମରେ ମୋହର ବାଜିଛି। ମୋହନ ହେବେ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ପଞ୍ଚଦଶ ଓ ଆଦିବାସୀ ବର୍ଗରୁ ସେ ହେବେ ତୃତୀୟ ମୁଖ୍ୟମନ୍ତ୍ରୀ। ଦୁଇ ବର୍ଷ ତଳେ ମୟୂରଭଞ୍ଜର ଆଦିବାସୀ ନାରୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ବଡ଼ ଆଦିବାସୀ କାର୍ଡ ଖେଳିଥିଲା। ଚଳିତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେପି ଆଶାତୀତ ସଫଳତା ପାଇଛି। ସେଠାରେ ଲୋକସଭା ଆସନର ସହ ସବୁ ବିଧାନସଭା ଆସନରେ ଦଳ ବିଜୟ ଲାଭ କରିଛି। ଏବେ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କୁ ଚୟନ କରି ପୁଣି ଆଦିବାସୀ ବର୍ଗଙ୍କୁ ଦଳ ପ୍ରାଧାନ୍ୟ ଦିଏ ବୋଲି ବାର୍ତ୍ତା ଦେଇଛି। ଏହାଦ୍ବାରା ମୟୂରଭଞ୍ଜ ପରି ସବୁ ଆଦିବାସୀ ବହୁଳ ଜିଲ୍ଲାରେ ଦଳର ସାଂଗଠନିକ ସ୍ଥିତି ଆହୁରି ମଜଭୁତ ହେବ ବୋଲି ଶୀର୍ଷ ନେତୃତ୍ବ ଆଶା ରଖିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏହା ସହ ‘ଓଡ଼ିଆ ଅସ୍ମିତା’କୁ ନାରା କରି ବିଜେପି ଯେଉଁ ସଫଳତା ପାଇଲା, ତାହାକୁ କାର୍ଯ୍ୟକାରୀ କରାଇବା ଦାୟିତ୍ବ ଏବେ ମୋହନଙ୍କ କାନ୍ଧରେ। ଅତ୍ୟନ୍ତ ସାଧାରଣ ପରିବାରରୁ ଆସି ରାଜ୍ୟ ରାଜନୀତିର ଶୀର୍ଷରେ ପହଞ୍ଚିଥିବା ମୋହନ ଏବେ ବିଜେପିର ସବୁ ନିର୍ବାଚନୀ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାର ଗୁରୁ ଦାୟିତ୍ବ ନେଇଛନ୍ତି। ଦଳର ଆଗାମୀ ଭବିଷ୍ୟତ ଏବେ ତାଙ୍କ ଉପରେ ନିର୍ଭର କରୁଛି। ମୁଖ୍ୟମନ୍ତ୍ରୀ ଚୟନ କରାଯିବା ସହ ୨୯ ବର୍ଷ ପରେ ଓଡ଼ିଶା ଶାସନରେ ପୁଣି ଥରେ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ। ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଆସନ୍ତାକାଲି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦୁଇ ଉପ ମୁଖ୍ୟମନ୍ତ୍ରୀ ଚୟନ କରି ଦଳ ପଶ୍ଚିମ ଓଡ଼ିଶା ଓ ଉପକୂଳ ଓଡ଼ିଶା ମଧ୍ୟରେ ସନ୍ତୁଳନ ରଖିବାକୁ ଉଦ୍ୟମ କରିଛି। ଏହାସହ ମହିଳା କାର୍ଡ ବି ଖେଳିଛି ବିଜେପି।
ଓଡ଼ିଶାରେ ଶାସନ କରିବାକୁ ବିଜେପି ସ୍ପଷ୍ଟ ଜନାଦେଶ ପାଇଲା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା। ଦିନ ଯେତିକି ଗଡ଼ୁଥିଲା, ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଧିକ ନେତା ସାମିଲ ହେଉଥିଲେ। ସମସ୍ତଙ୍କ ନଜର ଥିଲା ଶୀର୍ଷ ନେତୃତ୍ବଙ୍କ ନିଷ୍ପତ୍ତି ଉପରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ରାଜ୍ୟ ସଭାପତିଙ୍କ ସମେତ ବରିଷ୍ଠ ବିଧାୟକ ଓ ସାଂସଦଙ୍କ ସହ ନୂଆଦିଲ୍ଲୀରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଥିଲେ। ୯ ତାରିଖରେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳ ଶପଥ ନେଲା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶାରେ ନେତା ଚୟନ ଦାୟିତ୍ବ ଦିଆଯାଇଥିଲା। ଆଜି ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବ ବୋଲି ସମସ୍ତଙ୍କୁ ଅବଗତ କରାଇ ଦିଆଯାଇଥିଲା। ଏଥିରେ ନବନିର୍ବାଚିତ ସାଂସଦମାନଙ୍କୁ ମଧ୍ୟ ଡକାଯାଇଥିଲା।
ଆଜି ମଧ୍ୟାହ୍ନରେ ରାଜନାଥ ସିଂହ ଭୁବନେଶ୍ବରରେ ବିମାନବନ୍ଦରରେ ପହଞ୍ଚି ସିଧାସଳଖ ମେ’ଫେୟାର ହୋଟେଲ୍କୁ ଯାଇଥିଲେ। ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ନେତାମାନେ ଭେଟିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ରାଜନାଥ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିର୍ଦ୍ଧାରିତ ସମୟରେ ଦଳର ବିଧାୟକ ଓ ସାଂସଦମାନେ ପହଞ୍ଚିଥିଲେ। ଓଡ଼ିଶାର ତିନି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ବି ଉପସ୍ଥିତ ଥିଲେ। ଏହାପରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା। ସମସ୍ତେ ଏଥିରେ ସହମତ ହୋଇଥିଲେ। ଏହା ସହ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ଆସିଥିବା ପ୍ରସ୍ତାବକୁ ସମସ୍ତେ ସମର୍ଥନ କରିଥିଲେ। ବୈଠକ ପରେ ଶ୍ରୀ ମାଝୀଙ୍କୁ ବରିଷ୍ଠ ନେତାମାନେ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ। ଗଣମାଧ୍ୟମ ସାମ୍ନାରେ ସେ ପ୍ରତିକ୍ରିୟା ରଖି କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୋର ପ୍ରଣାମ। ମହାପ୍ରଭୁଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିଜେପି ସରକାର ଗଠନ କରିଛି। ରାଜ୍ୟକୁ ଏକ ନମ୍ବର କରିବାକୁ ପ୍ରୟାସ କରାଯିବ। ଓଡ଼ିଶାର ସାଢ଼େ ଚାରି କୋଟି ଜନତା ଆମ ଉପରେ ଭରସା କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ।
ବିଧାୟକ ଦଳ ନେତା ନିର୍ବାଚିତ ହେଲା ପରେ ଶ୍ରୀ ମାଝୀ ଅନ୍ୟ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ରାଜଭବନ ଯାଇଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ବିଜେପିର ୭୮ ବିଧାୟକ ଓ ୩ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଥିବା ସେ ଅବଗତ କରାଇଥିଲେ। ଏହା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଆସନ୍ତାକାଲି ଅପରାହ୍ନରେ ଜନତା ମଇଦାନରେ ଶ୍ରୀ ମାଝୀ ତାଙ୍କ ମନ୍ତ୍ରିମଣ୍ଡଳ ସହ ଶପଥ ଗ୍ରହଣ କରିବେ। ରାଜ୍ୟପାଳଙ୍କୁ ଭେଟିବା ସମୟରେ ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ।
[ad_2]