ରାଜନୀତି

ଜାଣନ୍ତୁ ମୋହନ ମାଝୀଙ୍କ ପୂରା ରାଜନୈତିକ କ୍ୟାରିୟର: ରାଇକଳାରୁ ଏମିତି କରିଥିଲେ ଯାତ୍ରା – Kalinga News

[ad_1]

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପରେ ସାଢ଼େ ୪ କୋଟି ଓଡ଼ିଆ ନୂଆ ମୁଖ୍ୟମନ୍ତ୍ରୀ ପାଇଛନ୍ତି। ମୋହନ ମାଝୀ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ। ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ନେତା ଥିଲେ ବି, ସମସ୍ତଙ୍କୁ ପଛରେ ପକାଇ ମୋହନ ମାଝୀ ବାଜି ମାରିଛନ୍ତି। ମୋହନ ମାଝୀ କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ରାଇକଳାରେ ୧୯୭୨ ମସିହା ଜାନୁଆରି ୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ (କଳା)। ରାଜନୀତିକୁ ଆସି ସେ ଅନେକ ବାଧାବିଘ୍ନକୁ ସାମ୍ନା କରିଛନ୍ତି। ରାଇକଳାରୁ ଭୁବନେଶ୍ବର ଯାତ୍ରା ସହଜ ନଥିଲା।

ଦିନେ ଥିଲେ ସରପଞ୍ଚ 

ମୋହନ ମାଝୀ ରାଜନୈତିକ କ୍ୟାରିୟର ଜଣେ ସରପଞ୍ଚ ଭାବେ ଆରମ୍ଭ ହେଇଥିଲା। ୧୯୯୭-୨୦୦୦ ମସିହା ପର୍ଯ୍ୟନ୍ତ ସେ ରାଇକଳା ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଜେପି ଟିକେଟ୍‌ରେ ପ୍ରଥମ ଥର ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜଗଦୀଶ ନାଏକଙ୍କୁ ୨୨,୧୬୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଏହି ବିଧାନସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭାଙ୍ଗିବା ଯାଏଁ କାର୍ଯ୍ୟ କରିଥିଲେ।

ଲଗାତାର ଦ୍ୱିତୀୟ ଥର ବିଧାୟକ 

ଓଡ଼ିଶା ବିଧାନସଭା ନିର୍ବାଚନ-୨୦୦୪ରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୪୬,୧୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ମାଧବ ସରଦାରଙ୍କୁ ୧୧,୦୦୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଏହି ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ।

୨୦୦୯, ୨୦୧୪ରେ ପରାଜୟ

୨୦୦୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପରାଜିତ ହେଇଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୨୯,୨୦୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ବିଜୁ ଜନତା ଦଳର ପ୍ରାର୍ଥୀ ଶୁଭମ ନାଏକ ତାଙ୍କୁ ୭,୨୬୯ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି  ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଧ୍ୟ ମୋହନ ମାଝୀ ପରାଜିତ ହେଇଥିଲେ।  ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ। ବିଜୁ ଜନତା ଦଳର ପ୍ରାର୍ଥୀ ଅଭିରାମ ନାଏକ ତାଙ୍କୁ ୮,୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

୨୦୧୯ରୁ ଲଗାତାର ବିଜୟ

ଗତ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଆଉ ଏଥର ମଧ୍ୟ ସେ ସେହି ସମାନ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେଇଛନ୍ତି। ମୋହନ ମାଝୀ ୨୦୦୫ ଫେବ୍ରୁଆରି ୨୮ରୁ ୨୦୦୯ ମାର୍ଚ୍ଚ ୯ ତାରିଖ ଯାଏଁ ସେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ଥିଲେ। ଆଉ ଏବେ ବିଜେପି ସତ୍ତାକୁ ଆସିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଆଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button